Unknown

 

 

 

 

 

 

 

 

 

 

 

ରକେଟ-ପୁରୀର ଶୟତାନ

ଶ୍ରୀ ରାଜକିଶୋର ଦାସ

 

ଜ୍ୟୋତ୍ସ୍ନା ବିଧୌତ ରଜନୀ—

 

ଫଗୁଣର ମଳୟ ଧୀରେ ଧୀରେ ବହିଚାଲିଛି ପୁଷ୍ପିତ ବଗିଚାର ଛାତି ଥରେଇ । ରଜତ ଚନ୍ଦ୍ରକିରଣରେ ଛୋଟ ବଗିଚାଟି ଖୁବ୍‌ ସୁନ୍ଦର ଦେଖାଯାଉଛି । ସମୟେ ସମୟେ ଶୁଭୁଛି ଗଛର କେଉଁ ଛୋଟିଆ ଶାଖାରୁ ବାଉଳା ଚଢ଼େଇର କୂଜନ ।

 

ପ୍ରଧାନ ଡିଟେକ୍ଟିଭ୍‌ ସୁରେନ୍ଦ୍ରବାବୁ ବଗିଚାର ହେନା ଗଛମୂଳେ ଏକ ସିମେଣ୍ଟ ଚେୟାର ଉପରେ ଆସୀନ । ମୁଣ୍ଡରେ ଅଥଚ ଭାବନା । ପାଖକୁ ଲାଗି ବସିଥାନ୍ତି ସ୍ତ୍ରୀ ଜିତା ।

 

‘‘କଣ ଏତେ ଭାବୁଛ ଦିନରାତି ?’’ ମୃଦୁ ହସି ପଚାରିଲେ ଜିତା ଦେବୀ ।

 

ସୁରେନ୍ଦ୍ରବାବୁଙ୍କ ଭାବନା ଗୋଳମାଳ ହୋଇଗଲା । ସେ ଭାବନା ଶ୍ରୋତରୁ ଫେରିଆସି କହିଲେ, ‘‘ଯାହାର ଭାବନା ଶକ୍ତି ଯେତେ ଅଧିକ, ସେ ସେତେଗୁଣରେ ଅଧିକ ମଣିଷ । ସେପରି ଯାହାର ଭାବନା ନାହିଁ, ସେ ମଣିଷ ନୁହେଁ ।’’

 

‘‘ମୁଁ ଏତିକି ଜାଣେ—ଅତ୍ୟଧିକ ଭାବନା ଶେଷରେ ଚିନ୍ତାର କାରଣ ହୁଏ । ଚିନ୍ତା ଶେଷରେ ମଣିଷକୁ ନଷ୍ଟ କରେ । କଥାରେ ଅଛି ‘ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି ।’’—

 

‘‘ବାସ୍‌, ଏଗୁଡ଼ାକ ମାଇପି କଥା ଛଡ଼ା କିଛି ନୁହେଁ ।’’ ଜିତାକୁ ବିରକ୍ତ କରିବା ଉଦ୍ଦେଶ୍ୟରେ ଟିକେ ତାଚ୍ଛଲ୍ୟ ହସ ହସି କହିଲେ, ‘‘ଭାବନାର ଅର୍ଥ ତୁମେ ଯାହା ବୁଝନା କାହିଁକି ମୁଁ ବୁଝେ ବୁଦ୍ଧିର cultivation. ତୁମର ତେଲ, ଲୁଣ ଚିନ୍ତା ତୁମର ଗଣ୍ଡି ଖାଇପାରେ; କିନ୍ତୁ ବୁଦ୍ଧି ଓ ବିବେକର cultivationରେ ଯେଉଁ ନୂଆ କଥା ବାହାରେ ସେଥିରେ ମଣିଷ ତାର ସଂସାରକୁ ନୂଆକରି ଗଢ଼ିବାକୁ ଚେଷ୍ଟା କରେ । ସେଠାରେ ତମର ଲୁଣ ଆଉ ହାଣ୍ଡିର ଦରକାର ହୁଏନା ।’’

 

ଜିତା ପରାହତ ମୁଖରେ ସୁରେନ୍ଦ୍ରବାବୁଙ୍କୁ ଚାହିଁ ରହିଲେ । ସୁରେନ୍ଦ୍ରବାବୁ ପୁଣି କଣ କହିବାକୁ ଯାଉଥିଲେ, ଏତିକିବେଳେ ଚାକର ଟୋକା ଆସିକି କହିଲା, ‘‘ଆଜ୍ଞା ଫୋନ ଆସିଛି । ଶୀଘ୍ର ଆସନ୍ତୁ ।’’

 

ସୁରେନ୍ଦ୍ରବାବୁ ଓ ଜିତା ଘର ଭିତରକୁ ଉଠି ଚାଲିଗଲେ । ସୁରେନ୍ଦ୍ରବାବୁ ଫୋନ ରିସିଭରଟି ଧରି କହିଲେ, ‘‘ହଲୋ’’ । ଉତ୍ତର ଆସିଲା, ‘‘ଆଜ୍ଞା ମୁଁ ସେଠ୍‌ ଥିରୁମଲ । ମୋର ଗହଣା ଦୋକାନରୁ ଲକ୍ଷେ ଟଙ୍କାର ଗହଣା ବର୍ତ୍ତମାନ ଚୋରି ହୋଇଯାଇଛି । ମୁଁ ବଡ଼ ବିପଦରେ, ଆପଣ ଶୀଘ୍ର ଆସନ୍ତୁ ।’’ ସ୍ୱର ଅତ୍ୟନ୍ତ ଅସ୍ପଷ୍ଟ ଏବଂ ସେ ବିଚଳିତ ହେଲା ପରି ଜଣା ପଡ଼ୁଥିଲା ।

 

ଆଉ ଦଶ ମିନିଟ ଅପେକ୍ଷା କରନ୍ତୁ । ମୁଁ ବର୍ତ୍ତମାନ ଚାଲିଲି । ସୁରେନ୍ଦ୍ରବାବୁ ସଙ୍ଗେ ସଙ୍ଗେ ନିଜର କାର୍‌ଟି ଡ୍ରାଇଭିଂ କରି ଭୁବନେଶ୍ୱର ପୁରୁଣା ବସ୍ତି ଆଡ଼େ ବାହାରି ପଡ଼ିଲେ । ପୁରୁଣା ବସ୍ତିରେ ଗୋଟିଏ ପୁରୁଣା ଗହଣା ଦୋକାନ ଥିରୁମଲ ଅଗ୍ରଓ୍ୟାଲାଙ୍କର । ସହରରେ ମଧ୍ୟ ଗୋଟିଏ ନାମଜାଦ ଲୋକ ସେ । ତାଙ୍କର ଏହି ଆକସ୍ମିକ ବିପଦରେ ସୁରେନ୍ଦ୍ରବାବୁ ବଡ଼ ଦୁଃଖିତ ହେଲେ ।

 

ସୁରେନ୍ଦ୍ରବାବୁଙ୍କ ବସା ପାଖରୁ ପୁରୁଣା ବସ୍ତି ପ୍ରାୟ ପାଞ୍ଚ ମାଇଲ ବାଟ ହେବ ସେ ପବନ ବେଗରେ କାର୍‌ଟିକୁ ଚଳେଇ ଥାନ୍ତି । ତାଙ୍କୁ ଯେପରି ଜଣାପଡ଼ୁଥାଏ ଗାଡ଼ିଟା ମୋଟେ ଚାଲୁ ନାହିଁ, ସ୍ଥିର ହୋଇ ଛିଡ଼ାହୋଇଛି । ସେ ହାତ ଘଡ଼ିକୁ ଚାହିଁଲେ । ସମୟ ବାରଟା । ପ୍ରାୟ ତିରିଶ ମିନିଟ ପରେ ସହରର ନାନା ଅଙ୍କାବଙ୍କା ରାସ୍ତା ଦେଇ ସେ ଥିରୁମଲ ଦୋକାନ ସାମନାରେ ଗାଡ଼ି ଠିଆକଲେ । ଦୋକାନ ସାମନାରେ ଅନେକ ଲୋକ ଠିଆ ହୋଇ ନାନା ପ୍ରକାର ତର୍କ ବିତର୍କ କରୁଥାନ୍ତି । ଜଣେ ଦୁଇଜଣ କନେଷ୍ଟବଳ ମଧ୍ୟ ଠିଆ ହୋଇଥାନ୍ତି । ସୁରେନ୍ଦ୍ରବାବୁଙ୍କୁ ଦେଖିଲା ମାତ୍ରେ ବୃଦ୍ଧ ଥିରୁମଲ ପାଛୋଟି ନେଇ କହିଲେ, ‘‘ଆଜ୍ଞା ମୋର ସବୁ ସଂସାର ସରିଛି । ଆପଣ ମୋତେ ଯଦି ରକ୍ଷା କରିବେ କରନ୍ତୁ; ନଚେତ୍‌ ମୁଁ ଆଉ ବଞ୍ଚିରହିପାରିବି ନାହିଁ । ମୋର ଲକ୍ଷେ ଟଙ୍କାର ଗହଣା’’—ବୃଦ୍ଧ ଆଉ କିଛି କହିପାରିଲେ ନାହିଁ । ସେ ସଙ୍ଗେ ସଙ୍ଗେ ସଂଜ୍ଞାହୀନ ହୋଇଗଲେ । ସୁରେନ୍ଦ୍ରବାବୁ ତାଙ୍କର ଦାୟିତ୍ୱ ଅନ୍ୟ ଲୋକଙ୍କୁ ଦେଇ ସଙ୍ଗେ ସଙ୍ଗେ ଥାନା ଇନସ୍‌ପେକ୍ଟର ପ୍ରେମାନନ୍ଦବାବୁଙ୍କୁ ଫୋନ କଲେ । ସଙ୍ଗରେ ଗୋଟିଏ କନେଷ୍ଟବଳକୁ ନେଇ ଚୋରିଯାଇଥିବା ଗୃହଟି ପରୀକ୍ଷା କରିବାକୁ ଲାଗିଲେ । ଗହଣାଗୁଡ଼ିକ ଗଚ୍ଛିତ ରଖାଯାଇଥିବା ଚେଷ୍ଟଟି ସମ୍ପୂର୍ଣ୍ଣ ଖୋଲା ହୋଇଛି । ଚାବି ପେନ୍ଥାଟା ମଧ୍ୟ ସେଠାରେ ପଡ଼ିଛି । ସୁରେନ୍ଦ୍ରବାବୁ ଚାବି ପେନ୍ଥାଟି ଧରି ପରୀକ୍ଷା କରିବାକୁ ଲାଗିଲେ । ସେଥିରେ କୌଣସି ଟିପଚିହ୍ନ କିମ୍ବା ମଣିଷ ହାତ ସ୍ପର୍ଶର ସୂଚନା ନ ପାଇ ଚାବି ପେନ୍ଥାଟି ଥିରୁମଲଙ୍କୁ ଫେରାଇ ଦେଲେ । ଆହୁରି ଆଶ୍ଚର୍ଯ୍ୟ ହେଲେ ଗୃହ ମଧ୍ୟରେ କୌଣସି ଲୋକର ପଦସ୍ପର୍ଶ ବି ନାହିଁ । ଅତି ନିରୀକ୍ଷଣ କରି ଦେଖିବା ପରେ ଜଣାଗଲା ଯେ ଭୂଇଁରେ ଗୋଟିଏ ଜିନିଷ ଘୋସରା ହେବାର ଚିହ୍ନ ପଡ଼ିଛି । ତାହାକୁ ତନ୍ନ ତନ୍ନ କରି ପରୀକ୍ଷା କରି ସୁରେନ୍ଦ୍ରବାବୁ କିଛି ଅନୁମାନ କରିପାରିଲେ ନାହିଁ । ପ୍ରେମାନନ୍ଦବାବୁ ମଧ୍ୟ ଆସି ପହଞ୍ଚିଲେ ।

 

‘‘ପ୍ରେମାନନ୍ଦବାବୁ । ଅଦ୍ଭୁତ ରକମ ଚୋରି । ପଦଚିହ୍ନ କିମ୍ବା ହସ୍ତଚିହ୍ନର କୌଣସି ସୂଚନା ନାହିଁ; ଅଥଚ ଲକ୍ଷେ ଟଙ୍କାର ଗହଣା ଚୋରି ହେଇଯାଇଛି’’—ସୁରେନ୍ଦ୍ରବାବୁ ଚିନ୍ତିତ ମନରେ କହିଲେ ।

 

‘‘ଆଉ କିଛି ପରୀକ୍ଷା କଲେଣି ନା ?’’

 

‘‘ନା ଆସନ୍ତୁ, ସବୁ ଆଉଥରେ ତନ୍ନ ତନ୍ନ କରି ପରୀକ୍ଷା କରି ଦେଖିବା ।’’

 

ଥିରୁମଲଙ୍କୁ ସୁରେନ୍ଦ୍ରବାବୁ ପଚାରିଲେ, ‘‘ଆଚ୍ଛା ଚୋରି ଗଲାବେଳେ ଆପଣ କେଉଁଠି ଥିଲେ ?’’

 

ଭଗ୍ନଗଳାରେ ବୃଦ୍ଧ ଥିରୁମଲ କହିଲେ, ‘‘ଆଜ୍ଞା, ମୁଁ ଉପର ମହଲାରେ ଶୋଇଥିଲି । ମୁଁ ଶୁଣିବାକୁ ପାଇଲି ପାଚିରୀ ପାଖରେ ଗୋଟାଏ ଶବ୍ଦ । ତା ପରେ ମଟର ଚାଲିଯିବାର ଆବାଜ୍‌ । ମୋର ସନ୍ଦେହ ହେଲା । ମୋର ପୁଅ ପ୍ରେମନାଥକୁ ଡାକି ସବୁକଥା କହିଲି । ତାପରେ ଆମ୍ଭେମାନେ ସମସ୍ତେ ତଳ ମହଲାକୁ ଆସିଲୁ । ହଠାତ୍‌ ପ୍ରେମନାଥର ଆଖି ପଡ଼ିଗଲା—ଏଇ ରୁମ୍‌ଟିର ଦ୍ୱାର ଖୋଲା ଅଛି । ସେ ମୋତେ ପଚାରିଲା ବାପା ଆପଣ ଆଜି ଶୋଇବା ପୂର୍ବରୁ କଣ ଏ ଘର ଚାବି ଦେଇ ନଥିଲେ ? ମୋ ଛାତିରେ ଛନକା ପଶିଲା । ମୁଁ ଘର ଭିତରକୁ ପଶି ଦେଖିଲି ଏ ଅବସ୍ଥା ।’’

 

‘‘ତମେ କଣ ଏ ଘର ଆଜି ଚାବି ଦେଇ ନଥିଲ ?’’

 

‘‘ନା, ଆଜ୍ଞା ମୁଁ ଶୋଇବାକୁ ଯିବା ପୂର୍ବରୁ ଏ ଘର ଚେଷ୍ଟ ଚାବି ଦେଇ ଯାଇଥିଲି ।’’

 

‘‘ଚାବି କଣ ତମ ପାଖରେ ଥିଲା’’ ?

 

‘‘ହଁ ଆଜ୍ଞା, ସବୁ ଚାବି ତ ମୁଁ ମୋ ପାଖରେ ରଖି ଶୋଇଥିଲି ।’’

 

‘‘ବର୍ତ୍ତମାନ ତମକୁ ଯେଉଁ ଚାବି ଦିଆଗଲା, ଏହା ତୁମ ପାଖରୁ ଆସିଲା କିପରି ?’’

 

ଥିରୁମଲ ସେ ଚାବିଟିକୁ ତନ୍ନ ତନ୍ନ କରି ଦେଖି କହିଲେ, ‘‘ନା ଆଜ୍ଞା, ଏ ଚାବି ତ ମୋ ପାଖରେ ଥିବା ଚାବି କିମ୍ବା ଏ ଚେଷ୍ଟର ଚାବି ନୁହେଁ । ଏ ଅନ୍ୟ ଏକ ଚାବି । ମୋ ଚାବି ତ ମୋ ପାଖରେ ଅଛି ।’’

 

ସୁରେନ୍ଦ୍ର ବାବୁ ପ୍ରେମାନନ୍ଦ ବାବୁଙ୍କ ମୁହଁକୁ ଚାହିଁଲେ ଓ ଅସ୍ପଷ୍ଟ ସ୍ୱରରେ କହିଲେ— ‘‘ଏ ଅଜବ ଚୋରୀ ମୁଁ ଦେଖୁଛି ପ୍ରେମାନନ୍ଦ ବାବୁ ! ଏପରି ଚୋରୀ ମୁଁ ଦେଖୁଛି ଆଜି ପ୍ରଥମ ।’’

 

‘‘ଆଚ୍ଛା, ଆସନ୍ତୁ ତ ଯିବା ଆପଣଙ୍କ ପାଚିରୀ ଆଡ଼େ । ଥିରୁମଲ ଆଗେ ଆଗେ ଚାଲିଲେ । ପଛେ ପଛେ ସୁରେନ୍ଦ୍ର ବାବୁ ଓ ପ୍ରେମାନନ୍ଦ ବାବୁ ପାଚିରୀ ପାଖକୁ ଗଲେ । ପାଚିରୀର ଚାରିଆଡ଼ ପରୀକ୍ଷା କରି ଦେଖିଲେ—ପାଚିରୀର ଠିକ୍‌ କଣକୁ ଗୋଟିଏ ପ୍ରକାଣ୍ଡ ଆମ୍ବଗଛ ଅଛି । ତା’ର ଶାଖା ପ୍ରଶାଖା ପାଚିରୀ ଉପରକୁ ଲମ୍ବି ଆସିଛି । ସୁରେନ୍ଦ୍ର ବାବୁଙ୍କ ମନରେ ସନ୍ଦେହ ହେଲା । ସେ ସିଡ଼ି ସାହାଯ୍ୟରେ ପାଚିରୀ ଉପରକୁ ଉଠି ଆମ୍ବଗଛର ବାହିଗୁଡ଼ିକ ପରୀକ୍ଷା କରିବାକୁ ଲାଗିଲେ । ଆମ୍ବଗଛ ବାହିରୁ ସଦ୍ୟ ବକଳ ଛାଡ଼ିଥିବାର ଦେଖାଗଲା । ବାହିଟିରେ ଦୌଡ଼ିଟିଏ ବନ୍ଧା ହୋଇ ଦୋଳି ଖେଳିଲା ବେଳେ ଦୌଡ଼ିଟିର ଚଳନ ଯୋଗୁ ଯେପରି ବାହିରୁ ସୂକ୍ଷ୍ମ ବକଳ ଛାଡ଼ିଥାଏ ସେପରି ଜଣାଗଲା । ସୁରେନ୍ଦ୍ରବାବୁ ଠିକ୍‌ ଅନୁମାନ କରିନେଲେ ଯେ ଚୋର ଦଉଡ଼ି ସାହାଯ୍ୟରେ ଆମ୍ବଗଛକୁ ଆଶ୍ରୟକରି ଭିତରେ ପଶିଛି ଓ ପୁଣି ମଧ୍ୟ ତାହାରି ସାହାଯ୍ୟରେ ବାହାରିଯାଇଛି । ପାଚିରୀ ସେପଟେ ଦେଖାଗଲା ମଟର ଗାଡ଼ିର ଚିହ୍ନ । ଏଥିରୁ ଅନୁମତି ହେଲା ଯେ ଦସ୍ୟୁଦଳ ମଟର ଗାଡ଼ିରେ ଆସି ପାଚିରୀ ପାଖେ ଅପେକ୍ଷା କରିଥିଲେ ଓ ସୁନା ଗହଣା ନେଇ ପୁଣି ମୋଟର ଯୋଗେ ଫେରି ଯାଇଥିଲେ । ଥିରୁମଲ ଶୁଣିଥିବା ଶବ୍ଦ ଠିକ୍‌ ପ୍ରମାଣିତ ହେଲା । କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା ଆମ୍ବଗଛ ମୂଳେ, ପାଚିରୀ ଉପରେ କିମ୍ବା ଅଗଣାରେ ଗୋଟିଏ ହେଲେ ପଦଚିହ୍ନ ନାହିଁ । ଦସ୍ୟୁର କୌଣସି ଭିତ୍ତିପୂର୍ଣ୍ଣ ପ୍ରମାଣ ନପାଇ ସୁରେନ୍ଦ୍ରବାବୁ ଓ ପ୍ରେମାନନ୍ଦବାବୁ ବୃଦ୍ଧ ଥିରୁମଲଙ୍କୁ ସାନ୍ତ୍ୱନା ଦେଇ ଫେରିଥିଲେ । ପ୍ରେମାନନ୍ଦବାବୁ ଦୁଇଟି କନେଷ୍ଟବଳଙ୍କୁ ସେଠାରେ ପହରା ଦେବାକୁ ଆଦେଶ ଦେଇ ଗଲେ । ପ୍ରେମାନନ୍ଦବାବୁ ସାଇକେଲରେ ତାଙ୍କ ବସାକୁ ଫେରିଲେ । ସୁରେନ୍ଦ୍ରବାବୁ କାର୍‌ଟି ଷ୍ଟାର୍ଟକରି ଗୁହାଭିମୁଖେ ଚାଲିଲେ । ସେତେବେଳକୁ ରାତି ତିନିଟା ହେଲାଣି, ତାଙ୍କର ଗୁଇନ୍ଦା ମନ କିନ୍ତୁ ମାନୁ ନଥାଏ । ଘରକୁ ଫେରିବାକୁ ତାଙ୍କର ଆଦୌ ଇଚ୍ଛା ହେଉ ନଥାଏ । ସେ ଭାବୁଥାନ୍ତି, ଫେରିଯାଇ ପୁଣି କିଛି ପରୀକ୍ଷା କରି ଦସ୍ୟୁ ଦଳର ଅନୁସନ୍ଧାନ କରିବେ । ଅଗତ୍ୟା ଚିନ୍ତାପୂର୍ଣ୍ଣ ମନରେ ସେ ଗାଡ଼ି ଚଳାଇଲେ ।

 

ସୁରେନ୍ଦ୍ରବାବୁ ଧୀରେ ଧୀରେ ଆସି ଘରେ ପହୁଞ୍ଚିଲେ । କାର୍‌ଟିକୁ ଗ୍ୟାରେଜରେ ରଖି ଘର ଭିତରକୁ ପଶିଲେ । ଏଁ, ଏ କଣ ସେ ଦେଖୁଛନ୍ତି ? ଘରର ସମସ୍ତ ଦ୍ୱାର ଉନ୍ମୁକ୍ତ; ଅଥଚ ଜିତା କିମ୍ବା ଚାକର ଟୋକାର ଦେଖା ନାହିଁ । ସେ ନିଜ ଆଖିକୁ ବିଶ୍ୱାସ ଗଲେ ନାହିଁ । ସେ ରୁମାଲରେ ଆଖି ପୋଛି ପୁଣି ତନ୍ନ ତନ୍ନ କରି ଚାରିଆଡ଼େ ଚାହିଁଲେ । ସେ ସମସ୍ତ ଘର ଭଲକରି ଥରେ ଖୋଜିଗଲେ । କାହିଁ ଜିତା ? କାହିଁ ସେ ଚାକର ଟୋକା ବିଶିଆ ? ସେ ପାଗଳ ପରି ହୋଇଗଲେ-। ପୁଣି ଘରଗୁଡ଼ିକ ଖୋଜିବାରେ ଲାଗିଲେ । ସମସ୍ତ ଟ୍ରଙ୍କ, ସମସ୍ତ ବାକ୍‌ସ ଉନ୍ମୁକ୍ତ-। ଘର ଚାରିଆଡ଼େ ଆସବାବ୍‌ ପତ୍ର ସବୁ ଇତସ୍ତତଃ ହୋଇ ପଡ଼ିଛି । ମନକୁ ମନ ପ୍ରଶ୍ନ କଲେ ଜିତାକୁ ତେବେ କେହି ଦୁର୍ବୃତ୍ତ ଅପହରଣ କରିଛି ନା ବିଶିଆ ଏପରି ବିଶ୍ୱାସଘାତକତା କରିଛି ? ସେ ଆଉ ଭାବିପାରିଲେ ନାହିଁ । ସେ ଘରର ଗୋଟାଏ ପାଖରେ ମୁଣ୍ଡକୁ ଧରି ବସିପଡ଼ିଲେ । କିଛି ସମୟ ପରେ ତାଙ୍କର ସାହସ ଆସିଲା । ସେ ସେଘରର ସମସ୍ତ ଜିନିଷ ପରୀକ୍ଷା କରିବାକୁ ଲାଗିଲେ । କିନ୍ତୁ ଥିରୁମଲ ଘରେ ଯେପରି ଦସ୍ୟୁର କୌଣସି ଚିହ୍ନ ନପାଇ ହତାଶ ହୋଇଥିଲେ, ଏଠାରେ ମଧ୍ୟ ସେ କିଛି ପାଇଲେ ନାହିଁ । କେବଳ ଘର ମଧ୍ୟରେ କଣ ଗୋଟାଏ ଘୋଷରା ହେବାର ଚିହ୍ନ ଦେଖାଗଲା । ସେ କେବେ ବିଶ୍ୱାସ କରିପାରିଲେନି ଯେ ତାଙ୍କର ବିଶ୍ୱସ୍ଥ ଚାକରର ଏପରି ଆକସ୍ମିକ ବ୍ୟାପାରରେ ହାତ ଅଛି । ସେ ଠିକ୍‌ ଅନୁମାନ କରିପାରିଲେ ଏ ନିଶ୍ଚୟ ଗୋଟାଏ ଭୀଷଣ ଦସ୍ୟୁର କାଣ୍ଡ । ହୁଏତ ଏପରି ହୋଇଥିବ ଜିତାକୁ ଅପହରଣ କରିବା ପୂର୍ବରୁ ବିଶିଆକୁ ହତ୍ୟା କରାଯାଇଥିବ । ତା’ପରେ ତାଙ୍କର ପ୍ରାଣର ଜିତାକୁ କିପରି ଅସହାୟ ଅବସ୍ଥାରେ ନିଆଯାଇଥିବ ସେ କଥା ଭାବିଲା ବେଳକୁ ତାଙ୍କ ଆଖିରୁ ଦୁଇଧାର ଲୁହ ବହିଆସିଲା । ସେ ତାଙ୍କର କର୍ତ୍ତବ୍ୟରୁ ବିରତ ହେଲେ । ଆଖି ଆଗରେ ନାଚିଉଠିଲା ଜିତାର ମୁଖ, ଜିତାର ଆଜି ଅସହାୟ ଅବସ୍ଥା । ସେ ନିଜକୁ ମନେ ମନେ ଧିକ୍‌କାର କଲେ । ଜିତା ପ୍ରତି ସେ କର୍ତ୍ତବ୍ୟରେ ତ୍ରୁଟି କରିଛନ୍ତି । ସବୁବେଳେ ନିଜର କର୍ତ୍ତବ୍ୟରେ ଲିପ୍ତ ରହି ଜିତାପ୍ରତି ସାଧାରଣ କର୍ତ୍ତବ୍ୟରେ ସେ ଅବହେଳା କରିଛନ୍ତି । ଜିତାର ଆଜି ଏପରି ଅବସ୍ଥା ପାଇଁ ସେ ମୁଖ୍ୟତଃ ଦାୟୀ ।

 

ସେତେବେଳକୁ ରାତି ସାଢ଼େଚାରି । ଆକାଶରୁ ଜହ୍ନ ନଇଁଆସିଲାଣି । ରହି ରହି ପହରିକିଆ ବିଲୁଆ ଦୂରରେ ହୁକେ ହୋ ରଡ଼ି ଛାଡ଼ୁଛି । ସୁରେନ୍ଦ୍ରବାବୁ ଭାବନାରୁ ଫେରି ଆସିଲେ । ଭବିଷ୍ୟତ କର୍ମପନ୍ଥା ସ୍ଥିର କରି ଥାନାଆଡ଼େ ବାହାରିଲେ ।

 

ସୁରେନ୍ଦ୍ରବାବୁ ଥାନାରେ ପହଞ୍ଚିଲାବେଳକୁ ରାତି ପାଞ୍ଚ । ପ୍ରେମାନନ୍ଦବାବୁଙ୍କୁ ଡାକିଦେବା ପାଇଁ ଜଣେ କନେଷ୍ଟବଳକୁ କହିଲେ । କନେଷ୍ଟବଳକୁ କହିଲେ । କନେଷ୍ଟବଳଟି କହିଲା, ‘‘ଆଜ୍ଞା; ସେ ବର୍ତ୍ତମାନ ନଳିନୀ ବାବୁଙ୍କ ଘରକୁ ଯାଇଛନ୍ତି । ତାଙ୍କ ଘରେ ଆଜି ଭୀଷଣ ଡକାଇତି ହୋଇଯାଇଛି ।’’ ସୁରେନ୍ଦ୍ରବାବୁ ଆହୁରି ଆଶ୍ଚର୍ଯ୍ୟ ହେଲେ । ଗୋଟାଏ ରାତିରେ ତିନି ତିନୋଟି ଡକାଇତି । ଭୁବନେଶ୍ୱର ସହରଟା କଣ ଦସ୍ୟୁଦଳର ଆଡ୍‍ଡ଼ା ସ୍ଥାନ ହୋଇଗଲା କି ? ପୁଲିସ ବିଭାଗ ଆଉ ପଙ୍ଗୁ ହୋଇଗଲା ନା କଣ ? ମନରେ ତାଙ୍କର ଅସଂଖ୍ୟ ପ୍ରଶ୍ନବାଚୀ । ସେ କାଳ ବିଳମ୍ବ ନକରି ନଳିନୀବାବୁଙ୍କ ଘରକୁ ଚାଲିଗଲେ । ନଳିନୀବାବୁଙ୍କ ଘରେ ପହଞ୍ଚିଲାକ୍ଷଣି ପ୍ରେମାନନ୍ଦବାବୁ ତାଙ୍କୁ ଅଭିବାଦନ ଜଣାଇଲେ— ‘‘ମୁଁ ଆପଣଙ୍କ ନିକଟକୁ ଫୋନ କରିଥିଲି; କିନ୍ତୁ କିଛି ଉତ୍ତର ନପାଇ ଏଠାକୁ ପଳାଇ ଆସିଲି । ଆପଣ ଟିକେ ପରୀକ୍ଷା କରି ଦେଖନ୍ତୁ ତ ସୁରେନ୍ଦ୍ରବାବୁ । ରାତି ରାତି ଦୁଇ ଜାଗାରେ ଡକାଇତି । ସେଠି ତ କେବଳ ଚୋରୀ । ଏଠାରେ ଖୁନ୍‌, ଆଉ ଚୋରୀ ଉଭୟ ।’’

 

ସୁକାନ୍ତ ବାବୁ ଭୀତତ୍ରସ୍ତ ହୋଇ ସେଠାରେ ଠିଆ ହୋଇଛନ୍ତି । ଘରଭିତରୁ ସ୍ତ୍ରୀଲୋକମାନଙ୍କର କ୍ରନ୍ଦନ ଧ୍ୱନି ଶୁଣାଯାଉଛି । ଅଗଣାରେ ସାଇର ଅନେକ ଲୋକ ଜମା ହୋଇଛନ୍ତି । ପ୍ରେମାନନ୍ଦବାବୁ ମଧ୍ୟ ପଛେ ପଛେ ଚାଲିଲେ ।

 

‘‘ସୁରେନ୍ଦ୍ରବାବୁ । ଦେଖନ୍ତୁ ତ ଦୁବୃର୍ତ୍ତର ଖୁନ୍‌ କରିବାରେ କେତେ ଚାଲ୍‌ବାଜି । ପୂରାପୂରି ମୁଣ୍ଡଟି ନେଇ ଯାଇ ଗଣ୍ଡିଟି ଛାଡ଼ି ଯାଇଛି, କାହିଁକି ?’’

 

ସୁରେନ୍ଦ୍ରବାବୁ ଅନ୍ୟମନସ୍କ ହୋଇ ସବୁ ଶୁଣୁଥିଲେ । ସେ ଯେପରି ଏସବୁ ଘଟଣା ପ୍ରତି ନୁହନ୍ତି, ସେପରି ଜଣାପଡ଼ୁଥିଲା ।

 

ସେ ଅଗତ୍ୟା ଶବଟିକୁ ପରୀକ୍ଷା କଲେ । ଶବଟି ଦେଖି ତାଙ୍କ ମନରେ ସନ୍ଦେହ ଜାତ ହେଲା । ସେ ସୁକାନ୍ତବାବୁଙ୍କୁ ପ୍ରଶ୍ନକଲେ, ‘‘ଏ କଣ ତୁମ ଭାଇଙ୍କ ଶବ ବୋଲି ମନେ କରୁଛନ୍ତି ?’’

 

‘‘ହଁ ଆଜ୍ଞା ମୋ ଭାଇଙ୍କ ଶବ ।’’

 

ସୁରେନ୍ଦ୍ରବାବୁ ପୁଣି କହିଲେ, ‘‘ବିରକ୍ତ ହେବେ ବୋଧ ହୁଏ । ମୁଁ ଆପଣଙ୍କୁ ଏପରି ଅନେକ ପ୍ରଶ୍ନ ପଚାରି ଅଧିକ କଷ୍ଟ ଦେଉଛି ।’’

 

‘‘ନାଁ ନାଁ ପଚାରନ୍ତୁ । ପଚାରନ୍ତୁ ।’’

 

‘‘ଏ ଡକାୟତି କେତେବେଳେ ଆପଣଙ୍କର ଏଠି ଘଟିଲା ?’’

 

‘‘ଠିକ୍‌ ସମୟ ମୁଁ କହିପାରିବି ନାହିଁ । ଅନୁମାନ କରେ ରାତି ଗୋଟାଏ ଠାରୁ ଦୁଇଟା ଭିତରେ ଯାହା କିଛି ଘଟିଛି ।’’

 

ଶବର ବେକରୁ ରକ୍ତ ବୋହି ଶୁଖିଯାଇଛି । ବଡ଼ ଆଶ୍ଚର୍ଯ୍ୟର କଥା ଯେ ଦେହର ଅନ୍ୟ କୌଣସି ଜାଗାରେ ଟୋପାଏ ହେଲେ ରକ୍ତ ଲାଗି ନାହିଁ । ଅନୁମାନ କରାଯାଉଥିଲା ଯେପରି ଲୋକଟି ନିଜ ଇଚ୍ଛାରେ ଅନ୍ୟଦ୍ୱାରା ହତ୍ୟାହୋଇଛି । ଦେହରେ ଗେଞ୍ଜିଟି ଓଲଟା ହୋଇ ପିନ୍ଧାଯାଇଛି । ଅଣ୍ଟାରେ ଲୁଗାଟା ଗୁଡ଼େଇ ହେଲାପରି ରହିଛି ।

 

‘‘ଆଚ୍ଛା, କାଲି ରାତିରେ ନଳିନୀ ବାବୁ କଣ ଏକୁଟିଆ ଶୋଇଥିଲେ ?’’

 

‘‘ସେ ସବୁବେଳେ ଏକୁଟିଆ ରହିବାକୁ ଭଲ ପାଉଥିଲେ । ତେଣୁ ସେ ବରାବର ଏକୁଟିଆ ଶୁଅନ୍ତି ।’’

 

‘‘ତୁମେ କିଛି ଶବ୍ଦ ଶୁଣିଥିଲ କି ?’’

 

‘‘ନା, ସେପରି କିଛି ଶବ୍ଦ ଶୁଣି ନଥିଲି । ରାତି ପାଞ୍ଚଟାରେ ମୁଁ ଉଠି ପ୍ରଥମେ ଏ ଘର ଦରଜା ଖୋଲା ହୋଇଥିବାର ଦେଖିଲି ।’’

 

‘‘ଆଶ୍ଚର୍ଯ୍ୟ ଡକାଇତି ପ୍ରେମାନନ୍ଦ ବାବୁ । ମୁଁ ଦେଖୁଛି ଏଇ କିଛିଦିନ ହେଲା ସହରରେ ଡକାୟତଙ୍କ ଉପଦ୍ରବ ବୃଦ୍ଧି ପାଇଛି । ଏହାର ତୁରନ୍ତ ବ୍ୟବସ୍ଥା ନ କଲେ ସହର ବାସୀଙ୍କ ଧନ ଜରବନ ବିପନ୍ନ ହେବ, ସନ୍ଦେହ ନାହିଁ ।’’ ସୁକାନ୍ତ ବାବୁଙ୍କ ଆଡ଼େ ଚାହିଁ କହିଲେ, ‘‘କିଛି ଚିନ୍ତା କରନ୍ତୁ ନାହିଁ ଆପଣ । ଆପଣଙ୍କ ଭାଇକୁ ଆପଣ ଅଚିରେ ଫେରିପାଇବେ ।’’

 

ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସୁକାନ୍ତ ବାବୁ ଅତି ଉଦବେଗରେ କହିଲେ— ‘‘ଆପଣ ମୋତେ ଖାଲି ସାନ୍ତ୍ୱନା ଦେଉଛନ୍ତି ସିନା, ମୁଁ ମୋ ଭାଇକୁ ଆଉ ଫେରି ପାଇବି ନାହିଁ । ମରିଗଲା ପରେ ଲୋକ ପୁଣି ଯେ ବଞ୍ଚେ ମୋର ବିଶ୍ୱାସ ହେଉ ନାହିଁ ।’’ ସୁରେନ୍ଦ୍ରବାବୁ କିଛି ନ କହି ଚୁପ୍‌ ରହିଲେ । ଶବଟିକୁ ଡାକ୍ତର ମାଇନା କରିବାକୁ ପଠାଇ ଦେଇ ପ୍ରେମାନନ୍ଦ ବାବୁଙ୍କ ସହିତ ଥାନାକୁ ଫେରି ଆସିଲେ ।

 

ପ୍ରେମାନନ୍ଦ ବାବୁ ସୁରେନ୍ଦ୍ର ବାବୁଙ୍କଠାରୁ ସବୁକଥା ବୁଝିଲେ । ସେ ଉତ୍ତ୍ୟକ୍ତ ହେଲା ପରି କହିଲେ, ‘‘ସୁରେନ୍ଦ୍ର ବାବୁ, ଆପଣ ଯାହା ସାହାଯ୍ୟ ଚାହାନ୍ତି ମୁଁ ତାହା ଦେବାକୁ ଯେକୌଣସି ସମୟରେ ପ୍ରସ୍ତୁତ ଅଛି । ଆପଣ ଅସଲ ଦସ୍ୟୁକୁ ଧରିବା ପାଇଁ ଶୀଘ୍ର ଯୋଗାଡ଼ କରନ୍ତୁ ।’’

 

ସୁରେନ୍ଦ୍ରବାବୁ ବ୍ୟାକୁଳ କଣ୍ଠରେ କହିଲେ, ‘‘ପ୍ରେମାନନ୍ଦ ବାବୁ, ସବୁ କଥା ହେବ, ଚୋର ଧରାପଡ଼ିବ, ଦଣ୍ଡପାଇବ; କିନ୍ତୁ ମୁଁ ଯେ ମୋ ଜିତାକୁ ଫେରି ପାଇବି ନାହିଁ ।’’ ଆଖିରୁ ତାଙ୍କର ଲୁହ ଗଡ଼ିପଡ଼ିଲା ।

ପ୍ରେମାନନ୍ଦ ବାବୁ ଦେଖିଲେ ଏ ବିଷୟରେ ଯେତେ ସାନ୍ତ୍ୱନା ଦେଲେ ଦୁଃଖ ନ କମି ବରଂ ବଢ଼ିବ । ସେ ଜଣେ ଏପରି କାର୍ଯ୍ୟଦକ୍ଷ ଗୋଇନ୍ଦାଙ୍କ ଆକସ୍ମିକ ଦୁଃଖରେ ସମବେଦନା ଜଣାଇ କହିଲେ, ‘‘ସୁରେନ୍ଦ୍ର ବାବୁ ଆପଣ ଏପରି ଭାଙ୍ଗିପଡ଼ିଲେ ହେବ ନାହିଁ । ଆପଣ ଦମ୍ଭ ଧରନ୍ତୁ-। ଆପଣ ଚେଷ୍ଟା ନକଲେ ଏ ଭୀଷଣ ଦସ୍ୟୁ ଦଳକୁ କେହି ଆୟତ୍ତ କରିପାରିବେ ନାହିଁ । ଫଳରେ ପୋଲିସର ବଦନାମ ହେବ ଓ ସହରବାସୀଙ୍କ ଧନ ଜୀବନ ବିପନ୍ନ ହେବ ।

ସୁରେନ୍ଦ୍ର ବାବୁ ନୀରବ ରହିଲେ ।

ସେଦିନ ସଂଧ୍ୟା । ସୁରେନ୍ଦ୍ର ବାବୁ ତାଙ୍କର ସହକାରୀ ବୀର ବାବୁଙ୍କ ନଳିନୀ ବାବୁଙ୍କ ଗୃହ ଉପରେ ନଜର ରଖିବାକୁ କହି ନିଜେ ବେଶ ବଦଳାଇ ଟୁରିଷ୍ଟ ହୋଟେଲ ଆଡ଼େ ଗଲେ । ତାଙ୍କ ବେଶଟି ଏମିତି ହୋଇଥାଏ ଯେ, ଯେ କୌଣସି ଲୋକ ମନେକରିବ କେହି ଏକ ବିଶିଷ୍ଟ ବ୍ୟବସାୟୀ ଏହି ସହରରେ ନୂଆ କରି ପାଦ ଦେଇଛି । ସେ ନିଜ ରୂପକୁ ନିଜେ ମଧ୍ୟ ବିଶ୍ୱାସ କରିପାରିଲେ ନାହିଁ । ହାତରେ ଚମଡ଼ା ବ୍ୟାଗଟିଏ ଧରି ହୋଟଲରେ ପଶିଲେ । ହୋଟେଲ ମ୍ୟାନେଜର ତାହାଙ୍କୁ ଅଭିବାଦନ କରି ଚେୟାରରେ ବସିବା ପାଇଁ ଇଙ୍ଗିତ ଦେଲେ ।

ହୋଟେଲରେ ସେଦିନ ଭାରି ଭିଡ଼ ହୋଇଥାଏ । ପ୍ରତ୍ୟେକ ଟେବୁଲକୁ ଘେରି ଦୁଇ ଚାରିଜଣ ଲୋକ ଚା’ ପାନ କରିବା ସଙ୍ଗେ ସଙ୍ଗେ ଗତ ରାତିର ଆଶ୍ଚର୍ଯ୍ୟଜନକ ଡକାଇତି ବିଷୟରେ ଆଲୋଚନା କରୁଥାନ୍ତି । ସୁରେନ୍ଦ୍ର ବାବୁ ଗୋଟିଏ ଚେୟାର ଉପରେ ବସି ପଡ଼ି ଜଳଖିଆ ବରାଦ ଦେଲେ । ସଙ୍ଗେ ସଙ୍ଗେ ଚା’ ଜଳଖିଆ ଆସିଗଲା । ସେ ଜଳଖିଆର ସଦ୍‌ବ୍ୟବହାର କରିବାରେ ଲାଗିଲେ । ଟିକିଏ ଦୂରରେ ଗୋଟିଏ ଟେବୁଲକୁ ଘେରି ଚାରିଜଣ ଲୋକ ବସିଥିବାର ଦେଖିଲେ । ସେମାନେ ଖୁବ ସତର୍କ ଭାବରେ ଯେପରି କିଛି ଆଲୋଚନା କରିବାରେ ବ୍ୟସ୍ତ ଅଛନ୍ତି-। ସୁରେନ୍ଦ୍ର ବାବୁଙ୍କର ସନ୍ଦେହ ହେଲା । ସେ ବରାବର ସେମାନଙ୍କ ଆଡ଼େ ଦୃଷ୍ଟି ନିକ୍ଷେପ କଲେ-। ହଠାତ୍‌ ତାହାଙ୍କ ଆଖି ସେମାନଙ୍କୁ ଭିତରୁ ଜଣେ ଲୋକ ଆଖି ଉପରେ ସ୍ଥିର ହୋଇଗଲା-। ଲୋକଟି କାହିଁକି ବଡ଼ ବିବ୍ରତ ହେବାକୁ ଲାଗିଲା । ସୁରେନ୍ଦ୍ର ବାବୁଙ୍କ ସନ୍ଦେହ ଆହୁରି ଦୃଢ଼ୀଭୂତ ହେଲା । ସେ ତାଙ୍କ ସ୍ଥାନରେ ବସି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ଲାଗିଲେ ।

ବୀର ବାବୁ ନିଜକୁ ଗୋଟିଏ ବାବାଜି ବେଶରେ ସଜେଇ ନଳିନୀ ବାବୁଙ୍କ ଘର ସାମନା ଗୋଟିଏ ଗଛମୂଳେ ବେଶ୍‌ ଧୂନି ଲଗେଇ ଆଡ୍‍ଡ଼ା ଜମେଇ ଦେଲେ । କେତେ ଲୋକ ସେପଟେ ଗଲେ, କେତେ ଲୋକ ଆସିଲେ; କିନ୍ତୁ ବାବାଜି ଆଡ଼େ କାହାର ଲକ୍ଷ୍ୟ ନାହିଁ । କାହିଁକି ବା କିଏ ତାଙ୍କୁ ଚାହିଁବ । ସମସ୍ତେ ଜାଣନ୍ତି ଓଡ଼ିଶା ଦେବତା, ବୈଷ୍ଣବ ଓ ସାଧୁମାନଙ୍କ ତୀର୍ଥସ୍ଥାନ । ଓଡ଼ିଶାରେ ବାବାଜିଙ୍କ ସଂଖ୍ୟା ଗରିଷ୍ଠ ଏବଂ ସେମାନଙ୍କ ଆସ୍ଥାନ ହେଲା ଗଛମୂଳ, ଘରର ବାରଣ୍ଡା କିମ୍ବା ଖୋଲା ପଡ଼ିଆ । କିଏ ବା କାହିଁକି ସେଥିପ୍ରତି ଦୃଷ୍ଟି ଦେବ ?

କ୍ରମେ ରାତି ଘନେଇ ଆସିଲା । ବୀର ବାବୁ ଦେଖିଲେ କଳା ପୋଷାକରେ ଆଚ୍ଛାଦିତ କେହି ଜଣେ ନଳିନୀ ବାବୁଙ୍କ ହତା ମଧ୍ୟରେ ପ୍ରବେଶ କଲା । ଧୀରେ ଧୀରେ ଅତି ସନ୍ତର୍ପଣରେ ଅଟ୍ଟାଳିକାର ଗୋଟାଏ କୋଣକୁ ଗଲା । ତା ପରେ ବୀର ବାବୁ ଆଉ କିଛି ଦେଖିପାରିଲେ ନାହିଁ । ତାଙ୍କର ସନ୍ଦେହ ଜମାଟ ବାନ୍ଧିଲା । ସେ ବରାବର ସେଇଆଡ଼େ ଦୃଷ୍ଟି ନିକ୍ଷେପ କଲେ । ପ୍ରାୟ ପନ୍ଦର ମିନିଟ୍‌ ପରେ ସେ ଲୋକଟି ସେହି ସ୍ଥାନରୁ ବାହାରି ସଦର ଫାଟକ ଦେଇ ରାସ୍ତାକୁ ଆସିଲା-। ବୀରବାବୁ ତାହାକୁ ସ୍ପଷ୍ଟ ଦେଖିପାରିଲେ । ଲୋକଟି ବୀରବାବୁଙ୍କୁ ଅତିକ୍ରମ କରି ଚାଲିଗଲା ବେଳେ କିପରି ବିଚଳିତ ହେଲାପରି ଜଣା ପଡ଼ିଲା । ସେ ଲୋକଟିକୁ ଏକଲକ୍ଷ୍ୟରେ ଚାହିଁ ରହିଲେ-। ଲୋକଟି ପଛକୁ ନ ଅନେଇ ଆଗେଇ ଚାଲିଲା । ବୀରବାବୁ ନିଜର ବାବାଜିବେଶ ପରିତ୍ୟାଗ କରି ଲୋକଟିକୁ ଅନୁସରଣ କଲେ । ଲୋକଟି କ୍ରମେ ଯାଇ ହୋଟେଲ ମଧ୍ୟରେ ପ୍ରବେଶ କଲା-। ସେତେବେଳକୁ ପ୍ରାୟ ରାତି ଏଗାର ବାଜିଲାଣି । ବୀରବାବୁ ମଧ୍ୟ ହୋଟେଲରେ ପ୍ରବେଶ କଲେ-। ଲୋକଟି ପୂର୍ବ ନିର୍ଦ୍ଦିଷ୍ଟ ଚାରିଜଣ ଲୋକଙ୍କ ସହିତ ଗୁପ୍ତରେ ଆଳାପ କରି ଆନନ୍ଦ ଅନୁଭବ କରିଲାପରି ଜଣାଗଲା । ସୁରେନ୍ଦ୍ରବାବୁ ସବୁ ଦେଖି ଯାଉଥାନ୍ତି । ବୀରବାବୁ ହଠାତ୍‌ ତାଙ୍କୁ ହଲାଇ କହିଲେ, ‘‘ଆପଣଙ୍କର ବ୍ୟବସାୟ କରିବା କଥା କଣ ହେଲା ? ବର୍ତ୍ତମାନ ନୂଆ ରାଜଧାନୀ ତିଆରି ହେଉଛି । ଜାଗାର ଅଭାବ ନାହିଁ ।

‘‘ହଁ, ମୁଁ ସାଇଟ୍‌ ଦେଖୁଛି । ସୁବିଧା ହେଲେ କରିନବା । ଏ ସବୁ ଆଳାପ ଶୁଣି ସେହି ପାଞ୍ଚୋଟି ଲୋକ ବିଚଳିତ ହେଲାପରି ଜଣାପଡ଼ିଲେ । ଆସ୍ତେ ଆସ୍ତେ ଉଠିବାର ଉପକ୍ରମ କଲେ ।

ବୀରବାବୁଙ୍କ ଠାରୁ ସମସ୍ତ ବିବରଣୀ ଶୁଣି ତାଙ୍କର ସନ୍ଦେହ ଆହୁରି ଦୃଢ଼ୀଭୂତ ହେଲା । ସେ ସଙ୍ଗେ ସଙ୍ଗେ ଉଠି ବାହାରକୁ ଆସିଲେ । ଆଶ୍ଚର୍ଯ୍ୟ କଥା । କେଉଠୁଁ ଗୋଟାଏ ମୋଟର ଗାଡ଼ି ଆସି ସେ ପାଞ୍ଚଟି ବ୍ୟକ୍ତିଙ୍କୁ ଧରି ଆଗେଇ ଚାଲିଲା । ସୁରେନ୍ଦ୍ରବାବୁ ପଛରେ ବସାଇ ଗାଡ଼ିକୁ ଅନୁସରଣ କଲେ । ଉଦ୍ଦିଷ୍ଟ ଗାଡ଼ିଟି ଅଙ୍କାବଙ୍କା ରାସ୍ତାରେ ଛପି ଛପି ଯାଉଥାଏ । କ୍ରମେ ଗାଡ଼ିଟି ଆଉ ଦେଖାଗଲା ନାହିଁ । ସୁରେନ୍ଦ୍ରବାବୁ ସାଧ୍ୟମତେ ନିଜକୁ କଣ୍ଟ୍ରୋଲ କରି ଫାଷ୍ଟ ଗିୟରରେ ମୋଟର ସାଇକେଲ ଚଳେଇଲେ । ବୀରବାବୁ ନିଜକୁ ଦୃଢ଼ ଭାବରେ ରଖିବାପାଇଁ ସଙ୍କେତ କରିଦେଲେ । ଗାଡ଼ିର ବେଗ ଏତେ ବେଶି ହେଲା ଯେ, ସାମାନ୍ୟ ବ୍ୟତିକ୍ରମରେ ଗାଡ଼ିର ପତନ ନିଶ୍ଚୟ ଏବଯ ଦୁଇଟି ପ୍ରାଣୀର ମୃତ୍ୟୁ ଅବସମ୍ଭାବୀ ବୋଲି ପତନ ନିଶ୍ଚୟ ଏବଂ ଦୁଇଟି ପ୍ରାଣୀର ମୃତ୍ୟୁ ଅବସମ୍ଭାବୀ ବୋଲି ମନରେ ଆଶଙ୍କା ହେଲା । କିନ୍ତୁ ସୁରେନ୍ଦ୍ରବାବୁ ପ୍ରାଣମୂର୍ଚ୍ଛୀ ଗାଡ଼ି ଚଳେଇବାକୁ ଲାଗିଲେ । ପ୍ରାୟ ତିନି ମାଇଲ ମୋଟର ସାଇକଲ ଚଳାଇବା ପରେ ଉଦ୍ଦିଷ୍ଟ ଗାଡ଼ିଟି ଖଣ୍ଡଗିରି ରାସ୍ତାରେ ଯିବାର ଦେଖାଗଲା । ସୁରେନ୍ଦ୍ର ବାବୁ ନିଜର ମୋଟର ସାଇକଲର ବେଗ ବଢ଼ାଇ ଆଗ ଗାଡ଼ିକୁ ଧରିବାକୁ ଇଚ୍ଛା କରୁଥିଲେ ସୁଦ୍ଧା ବିପଦର ଆଶଙ୍କା କରି ସେ ଗାଡ଼ିର ଗତି ବଢ଼ାଇବାରୁ ବିରତ ହେଲେ । ଏହିପରି ଅନେକ ବାଟ ଯିବାପରେ ଗାଡ଼ିଟି ଜଙ୍ଗଲ ଭିତରେ ପ୍ରବେଶ କଲା । ଏତେବେଳକୁ ସୁରେନ୍ଦ୍ର ବାବୁ ଗାଡ଼ିର ପାଖକୁ ଲାଗି ଆସିଲେଣି । ଗାଡ଼ିକୁ ନିରୀକ୍ଷଣ କରି ଦେଖିଲେ ଯେ ଗାଡ଼ିର ନମ୍ବର ପ୍ଲେଟ ନାହିଁ । ତାଙ୍କ ସାଇକଲ ଗାଡ଼ିଠାରୁ ଦଶ ପନ୍ଦର ହାତ ତଫାତରେ ଚାଲିଥାଏ । ହଠାତ୍‌ ସେ ମୋଟର ସାଇକଲ ବ୍ରେକ୍‌ କଲେ । ଆଗରେ ମସ୍ତବଡ଼ କାଠଗଡ଼ । ବୀରବାବୁ ନିଜକୁ ଦୃଢ଼ ନ କରିପାରି କିଛି ଦୂରରେ ଛିଟିକି ପଡ଼ିଲେ । ସୁରେନ୍ଦ୍ରବାବୁ ମୋଟର ସାଇକଲରୁ ଓହ୍ଲାଇ ବୀରବାବୁଙ୍କୁ ତଳୁ ଉଠାଇଲେ । ବୀରବାବୁଙ୍କର ପିଚାରେ ସାମାନ୍ୟ ଆଘାତ ହୋଇଥିଲା । ସୁରେନ୍ଦ୍ର ବାବୁ ଆଉ ଆଗକୁ ନ ଆଗେଇ ଫେରିଯିବାକୁ ମନସ୍ଥ କଲେ । ସେତେବେଳକୁ ଗାଡ଼ିଟି ଅନେକ ଦୂର ଆଗେଇଯାଇଥିଲା । ସୁରେନ୍ଦ୍ର ବାବୁ ଗୋଟାଏ ଦୀର୍ଘନିଶ୍ୱାସ ଛାଡ଼ି କହିଲେ, ‘‘ଦେଖିଲୁନା ବୀର ! ଡକାୟତର କି ଚାଲବାଜି । କାଠ ଗଡ଼ଟାଏ କିପରି ଆଗରେ ପକେଇ ମୋଟର ଚଳେଇ ପଳାଇଲା ।’’

ବୀରବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ, ‘‘ଆପଣ କ’ଣ ଦେଖିଛନ୍ତି ?’’

‘‘ନା, ମୁଁ ତ ଦେଖିଲା ପରି ମନେହେଉ ନାହିଁ । କିନ୍ତୁ ହଠାତ୍‌ ଆଗରେ କାଠ । ମୁଁ ବ୍ରେକ୍‌ ଦେଇ ନଥିଲେ ଆମେ ଉଭୟେ ଏତେବେଳକୁ ଯମପୁରକୁ ଚାଲିଯାଇ ସାରିଥାନ୍ତେ ।’’

 

‘‘ମୋର ସନ୍ଦେହ ହୁଏ ସୁରେନ୍ଦ୍ର ବାବୁ, ଦସ୍ୟୁ ଦଳର କେହିଲୋକ କାଠଟି ପକାଇ ଦେଇ ଜଙ୍ଗଲ ଭିତରକୁ ପଳାଇଛି ।’’

 

ସୁରେନ୍ଦ୍ର ବାବୁ ଟିକେ ଚିନ୍ତା କଲାପରି କହିଲେ, ‘‘ତା’ବି ହୋଇପାରେ । ତେବେ ଦସ୍ୟୁର ଆଡ଼୍‌ଡ଼ା କଣ ଏହି ଖଣ୍ଡଗିରି ଜଙ୍ଗଲ ? କଣ ନେଇ ଓଡ଼ିଆ ଆଉ ଗର୍ବ କରିବ ? ଯେଉଁ ଖଣ୍ଡଗିରିର ଗିରି କନ୍ଦରରେ ଗଢ଼ିଉଠିଥିଲା ଓଡ଼ିଆର କଳା ନିପୁଣତା, ଭାସ୍କର୍ଯ୍ୟର ଉତ୍‌କର୍ଷତା, ତାହାରି କୋଳରେ ଗଢ଼ିଉଠିଛି ଆଜି ଚୋର, ଆଉ ଡକାୟତ୍‍ର ଆଡ଼ା । ଯେଉଁ ପାହାଡ଼ ଚଣ୍ଡାଶୋକଙ୍କ ମନରୁ ହିଂସା ଦ୍ୱେଷ ପୋଛିନେଇ ସତ୍ୟ ଓ ଅହିଂସା ମାର୍ଗରେ ଚଳାଇ ତାଙ୍କୁ ବୌଦ୍ଧ ଧର୍ମରେ ଦୀକ୍ଷିତ କରିଥିଲା, ତାହାରି କୋଳରେ ଗଢ଼ିଉଠିଛି ଲକ୍ଷଜୀବନ ଶୋଷକ ଡକାୟତର ଏ ଆଡ଼୍‌ଡ଼ା ବୀର ! ଆଉ ଏ ଜାତି ଆଗେଇ ପାରିବ ନାହିଁ, ଆଉ ଆଗେଇ ପାରିବ ନାହିଁ । ଏହାର ପତନ ଅନିବାର୍ଯ୍ୟ । ସୁରେନ୍ଦ୍ରବାବୁ ଆଉ କିଛି କହିପାରିଲେ ନାହିଁ । ଦେହ ତାଙ୍କର ସେତେବେଳକୁ ଘର୍ମାକ୍ତ ହୋଇଥିଲା । ସେ ଚିନ୍ତିତ ମନରେ ସେଇଠି ବସିପଡ଼ିଥିଲେ । ବୀରବାବୁ କହିଲେ, ‘‘ସୁରେନ୍ଦ୍ରବାବୁ, ଏଠାରେ ବିପଦର ଆଶଙ୍କା ଅନେକ । ବସିରହିଲେ ଲାଭ ନାହିଁ । ରାତି ବାରଟା ହେଲାଣି । ଶୀଘ୍ର ଫେରିଯିବା ଆସନ୍ତୁ ।

 

ଦୁଇବନ୍ଧୁ ପୂର୍ବପରି ମୋଟର ସାଇକେଲରେ ଭୁବନେଶ୍ୱର ଫେରିଆସିଲେ ।

 

ବୀରବାବୁ କହିଲେ, ‘‘ସିଧା ସୁକାନ୍ତବାବୁଙ୍କ ଘରକୁ ଚାଲନ୍ତୁ । ସେଠାରେ ଖବରଟା ବୁଝିଲେ ଯାହା ବ୍ୟବସ୍ଥା କରାଯିବ ।’’

 

ସୁକାନ୍ତ ବାବୁଙ୍କ ଘରେ ଦୁଇବନ୍ଧୁ ପହୁଞ୍ଚିଲେ । ସେ ଏମାନଙ୍କୁ ଦେଖି ବିଶେଷ ଆନନ୍ଦିତ ହେଲେ । କିଛି ସମୟ ପୂର୍ବରୁ ଦସ୍ୟୁ ଦଳର ପାଇଥିବା ଚିଠିଟି ପଢ଼ି ସେ ବିଶେଷ ବିଚଳିତ ହୋଇପଡ଼ିଥିଲେ । ସଙ୍ଗେ ସଙ୍ଗେ ସୁରେନ୍ଦ୍ରବାବୁଙ୍କ ହାତକୁ ବଢ଼ାଇ ଦେଇ କହିଲେ,‘‘ଆଜ୍ଞା, ଆପଣମାନଙ୍କ ଉପରେ ଭରସା ରଖି ମୁଁ ଏପର୍ଯ୍ୟନ୍ତ ବଞ୍ଚିଛି । ନଚେତ୍‌ ହାର୍ଟଫେଲ ହୋଇ ମୁଁ ମରିସାରନ୍ତିଣି ।’’

 

ସୁରେନ୍ଦ୍ର ବାବୁ ଚିଠିଟି ଖୋଲି ପଢ଼ିଲେ ।

 

ସୁକାନ୍ତବାବୁ,

 

ନଳିନୀବାବୁଙ୍କ ପରି ତୁମେ ବି ଦିନେ ମୋ କବଳରେ ପଡ଼ିବ, ଏଥିରେ ସନ୍ଦେହ ନାହିଁ । ନିଜକୁ ବଞ୍ଚାଇବାକୁ ଇଚ୍ଛାଥିଲେ ମୋର ଯୋଡ଼ିଏ କଥା ମାନିବାକୁ ହେବ । ଗୋଟିଏ କଥା ହେଉଛି–ସମସ୍ତ ସମ୍ପତ୍ତି ମନୋରମା ନାମରେ ଉଇଲକରି ମନୋରମାକୁ ଓ ସୁରମାକୁ ମୋ ହାତରେ ଅର୍ପଣ କରିବା, ଦ୍ୱିତୀୟ ହେଉଛି—ସଇତାନ ସୁରେନ୍ଦ୍ର ସାହାଯ୍ୟ ନ ନେବା । ଏଥିରୁ ବ୍ୟତିକ୍ରମ ହେଲେ ତୁମର ମୃତ୍ୟୁ ଅନିବାର୍ଯ୍ୟ । ବିଚାର କରି ଦେଖ । ଯେଉଁଟା ତୁମେ ପସନ୍ଦ କରୁଛ । ତୁମର ମତାମତ ଶୀଘ୍ର ମୋତେ ଜଣାଇବାକୁ ପ୍ରସ୍ତୁତ ହୁଅ ।

 

ତୁମର ଶୁଭାକାଙ୍‌କ୍ଷୀ

କଙ୍କାଳ

 

ସୁରେନ୍ଦ୍ରବାବୁ ଚିଠିଟିପଢ଼ି ସାରିବାପରେ ବୀରବାବୁଙ୍କ ହାତକୁ ବଢ଼େଇ ଦେଇ ଟିକେ ଚିନ୍ତା କଲାପରି ତଳକୁ ମୁହଁ ପୋତି ଠିଆ ହୋଇ ରହିଲେ । ସୁକାନ୍ତବାବୁ ତାହାଙ୍କ ହାତକୁ ଧରି ପକାଇ ଭୟବିହ୍ୱଳ କଣ୍ଠରେ କହିଲେ, ‘‘କୁହନ୍ତୁ ସୁରେନ୍ଦ୍ରବାବୁ, ମତେ କଣ କରିବାକୁ ହେବ ? ଦସ୍ୟୁ ହାତରେ ଜୀବନ ଦେବା ଅପେକ୍ଷା ମୁଁ ନିଜେ ଆତ୍ମହତ୍ୟା କରି ମରିବି ସୁରେନ୍ଦ୍ରବାବୁ !’’ ସୁରେନ୍ଦ୍ରବାବୁ ସୁକାନ୍ତବାବୁଙ୍କୁ ଆଶ୍ୱସନା ସୂଚକ କଣ୍ଠରେ କହିଲେ, ‘‘ଆପଣ ଏପରି ଭୟ ବିହ୍ୱଳ ହେଲେ ଚଳିବ ନାହିଁ । ଆପଣ ଖାଇପିଇ ସୁସ୍ଥରେ ରୁହନ୍ତୁ । ଆପଣଙ୍କର କେହି କିଛି କରି ପାରିବେ ନାହିଁ ।’’ ‘‘ମୋତେ ଭୟ ହୁଏ ସୁରେନ୍ଦ୍ର ବାବୁ, ଏ ଘରେ ମୁଁ କ୍ଷଣେମାତ୍ର ରହିବାକୁ ଚାହେଁନା । ମୋତେ ଅନ୍ୟତ୍ର କେଉଁଠିକି ଯିବାକୁ ହେବ ସୁରେନ୍ଦ୍ର ବାବୁ !’’

 

ଏପରି ଭୟାତୁର ହୋଇ ଘର ଛାଡ଼ି ପଳେଇବା ଠିକ୍‌ ହେବ ନାହିଁ । ମୁଁ କାଲିଠାରୁ ପୋଲିସ ପହରା ରଖି ଦେଉଛି । ଆପଣ ଆଉ ଚିନ୍ତିତ ହେବା ଦରକାର ନାହିଁ ।’’

 

‘‘ଆଜି ଆପଣମାନେ ଚାଲିଯିବେ ? ନାଁ, .ନାଁ ମୁଁ ଯିବାକୁ ଦେବି ନାହିଁ । ଆଜି ଆପଣମାନେ ଏଇଠି ରହିଯାନ୍ତୁ । ସକାଳ ହେଲେ ଯାହା ହେବ ।’’

 

ଅତ୍ୟଧିକ ପରିଶ୍ରମ ପରେ ଦୁହେଁ ବିଶ୍ରାମ ଲୋଡ଼ୁଥିଲେ । ସୁକାନ୍ତବାବୁଙ୍କ କଥାରେ ଅମଙ୍ଗ ନହୋଇ ରହିବା ପାଇଁ ସୁରେନ୍ଦ୍ରବାବୁ ସମ୍ମତି ପ୍ରକାଶ କଲେ । ବୈଠକ ଘରେ ସୁରେନ୍ଦ୍ର ବାବୁ ଓ ବୀରବାବୁଙ୍କର ରହିବାର ବନ୍ଦୋବସ୍ତ ହେଲା । ରାତ୍ରୀଭୋଜନ ପରେ ଦୁଇବନ୍ଧୁ ଗଦିଦିଆ ଖଟଉପରେ ନିଜକୁ ନିଦ୍ରାଦେବୀଙ୍କୁ କୋଳରେ ହଜାଇ ଦେଲେ । ସୁକାନ୍ତବାବୁ ଓ ଦୁଇଝିଅ ଗୋଟିଏ ଘରେ ଶୋଇ ପଡ଼ିଲେ । ଚାକରଟି ବାହାର ଦୁଆର ମୁହଁରେ ଜଗି ଶୋଇଲା ।

 

ରାତ୍ରି ଆଗେଇ ଚାଲିଛି । ଘଣ୍ଟା ପରେ ଘଣ୍ଟା ବିତିଯାଇଛି । ସୁରମା ଆଖିରେ ନିଦ ନାହିଁ-। ଯେତେ ରାତି ବଢ଼ିଚାଲିଛି, ତା ମୁଣ୍ଡ ଭିତରେ ଭାବନା ସେତିକି ମାଡ଼ ଯାଉଛି । ଏଇ କେତେଦିନ ହେଲା ତାର ଦୁଃଶ୍ଚିନ୍ତା ବଢ଼ିଯାଇଛି । ସେ ଯେମିତି ଜାଣିଛି ତାର ଜୀବନର ଅର୍ଦ୍ଧ ପ୍ରଷ୍ଫୁଟିତ ସୌଭାଗ୍ୟ କଳିଟି ଛିନ୍ନ ଭିନ୍ନ ହୋଇଯିବାକୁ ଯାଇଛି । ପିତା ଶତ୍ରୁଦ୍ୱାରା ମୃତ, ମା’ ପିତାଙ୍କ ବିରୁଦ୍ଧରେ ମଧ୍ୟ ଯାଇଛି । ସେ ଖାଲି ପଡ଼ି ରହିଛି ଏକା—ଆହୁରି କଷଣ ଦୁଃଷଣ ସହିବାକୁ । କିଏ ଅଛି ଆଜି ତାର ଏଇ ଜୀବନର ଦୁର୍ଦ୍ଦିନରେ ସାହାଯ୍ୟ କରିବାକୁ ? ବୃଦ୍ଧ ଦାଦା ? ତାଙ୍କର ବା କି କର୍ତ୍ତବ୍ୟ ଅଛି ଏ କ୍ଷେତ୍ରରେ ? ଅସୀମ ଧନସଂପଦ–ତାର ବା ମୂଲ୍ୟ କଣ ହୋଇପାରେ— ? କେବଳ ଚୋର ତସ୍କରଙ୍କ ଲୋଭନୀୟ ବସ୍ତୁ—ସମସ୍ତ ଦୁଃଖ ନିର୍ଯ୍ୟାତନାର କାରଣ । ସୁରେନ୍ଦ୍ର ବାବୁ– ? ସେ ପୁଣି କି ରକମ ସାହାଯ୍ୟ କରିବେ ? ମୋର ବୃଦ୍ଧ ପିତାଙ୍କୁ ଫେରାଇ ଆଣିପାରିବେ-? ଏହି ପ୍ରଶ୍ନର ଉତ୍ତର ଯେପରି ସେ ଆଉ ଖୋଜି ପାଇଲା ନାହିଁ । ତାର ଭାବନା ଗୋଳମାଳ ହୋଇଗଲା । ମନ ଭିତରେ କିଏ ଯେପରି କହି ଉଠିଲା—ସୁରେନ୍ଦ୍ର ବାବୁ, ସୁରେନ୍ଦ୍ର ବାବୁ, ସୁରେନ୍ଦ୍ର ବାବୁ । ତାକୁ ଯେପରି ଜଣାଗଲା ଦିଗବିଦିଗ୍‌ ସୁରେନ୍ଦ୍ର ବାବୁଙ୍କ ନାମରେ ମୁଖରିତ ହୋଇ ଉଠୁଛି-। ସେ ଆଉ ନୀରବ ହୋଇ ରହିପାରିଲା ନାହିଁ । କଡ଼ ଲେଉଟାଇ ଏପଟ ସେପଟ ହୋଇ ଶୋଇଲା-। କିନ୍ତୁ କିଛି ପରିବର୍ତ୍ତନ ହେଲା ନାହିଁ । ସତେ ଯେପରି ସୁରେନ୍ଦ୍ର ବାବୁଙ୍କ ନାମର ମଧୁରତା ତାର କର୍ଣ୍ଣକୁହରରେ ବାରମ୍ବାର ଉଦ୍‌ଭାସିତ ହେଉଛି । ସେ ଅଜଣାରେ କହି ଉଠିଲା—ସୁରେନ୍ଦ୍ର ବାବୁ-। ସୁରେନ୍ଦ୍ର ବାବୁଙ୍କ ଛବି ତା ଆଖି ଆଗରେ ନାଚି ଉଠିଲା । ତା ମନ ସ୍ଵତଃ ସୁରେନ୍ଦ୍ର ବାବୁଙ୍କ ପ୍ରତି ଆକୃଷ୍ଟ ହେଲା-। ଅଜଣା ଆନନ୍ଦରେ ସେ ଯେପରି ମୁଗ୍‌ଧା ହୋଇ ଚାହିଁ ରହିଲା କୋଠାର କଡ଼ି ଆଡ଼େ ।

 

ଦିନ ଆଠଟା ବାଜିଲାଣି । ବୀରୁ ବାବୁ ଉଠି ନିଜର ନିତ୍ୟକର୍ମ ସାରି ବାହାରେ ବୁଲୁଛନ୍ତି-। ମନୋରମା ଓ ସୁରମା ଉଠି ବୃଦ୍ଧ ପିତାଙ୍କ ସମସ୍ତ ବିଷୟ ତତ୍ତ୍ୱାବଧାନ କରୁଛନ୍ତି-। ସେ ମନୋରମାକୁ ପଚାରିଲେ, ‘‘ସୁରେନ୍ଦ୍ରବାବୁ କଣ ଉଠି ନାହାନ୍ତି କି ?’’

 

‘‘ମୁଁ ଜାଣେନି’’—ସିଧା ଉତ୍ତର ଦେଲା ମନୋରମା । ‘‘ବହୁତ ପରିଶ୍ରମ କରି ଫେରିଛି ବୋଧେ କାଲି । ବିଚାରା କେଡ଼େ ଉପକାରୀ ସିନା.... । ପୋଲିସ—ଏମାନେ ଯଦି ସୁରେନ୍ଦ୍ର ପରି କର୍ତ୍ତବ୍ୟ ପରାୟଣ ହୁଅନ୍ତେ ଆଜି ଦେଶରେ କିଛି ବିଶୃଙ୍ଖଳା ଘଟନ୍ତା ନାହିଁ । ମନ—ତୁ କି ମତ ପୋଷଣ କରୁ ସୁରେନ୍ଦ୍ର ଉପରେ ?’’ ‘‘ମୁଁ କିଛି ଜାଣେନା ତାଙ୍କ ବିଷୟରେ ସେ ଜଣେ ଗୁଇନ୍ଦା—ବେଶ୍‌ ଏତିକି ଜାଣେ ।’’

 

ବୁଦ୍ଧଙ୍କ ମୃଦୁ ହସ ଭିତରେ ମନୋରମା ମନର ଭାବ ଧରିବାର କୌଶଳ ଯେପରି ପ୍ରଚ୍ଛନ୍ନ ଥିଲା । ତେବେ ସେ ଅନ୍ୟ କିଛି ନ ଉଠାଇ ନୀରବ ରହିଲେ ।

 

ସୁରମା ଆସି ପହଞ୍ଚିଲା । ‘‘ସୁର ବାବୁ ଉଠିଲେଣି ବାପା । ସେ ଆପଣଙ୍କୁ ଡାକୁଛନ୍ତି ।’’

 

ସୁକାନ୍ତ ବାବୁ ସେଠାରୁ ଚାଲିଗଲେ । ‘‘ହଁ—ମୁଁ ବର୍ତ୍ତମାନ ବାହାରିଲି । କନେଷ୍ଟବଳ କେତୋଟି ପଠେଇ ଦେଉଛି । ଆପଣ କିଛି ଭୟ କରିବେନି । ଆଉ ବିଶେଷ ଘଟଣା କିଛି ଘଟିଲେ ମତେ ସାଙ୍ଗେ ସାଙ୍ଗେ ଫୋନ କରିବେ ।

 

‘‘ନା, ସୁରବାବୁ ତମକୁ ନ ଖୋଇ ଛାଡ଼ିବିନି । କଣ ଦି’ଟା ଖାଇ ଦେଇ ଯାନ୍ତୁ ।’’

 

‘‘ଆପଣ ବ୍ୟସ୍ତ ହେବେନି—ସେ ସବୁ କାମ ସରିଯାଇଛି । ସୁରମା ଦେବୀ ସେ କାମ ଆଗରୁ ସାରି ଦେଇଛନ୍ତି । ଏତେ ସକାଳୁ ସେ ଏତେ ରକମ ଜଳଖିଆ କରି ରଖିଥିଲେ ନା । ବହୁତ କଷ୍ଟ କରିଛନ୍ତି ବିଚାରୀ—’’

 

ସୁରେନ୍ଦ୍ରବାବୁଙ୍କର ପଞ୍ଚମୁଖୀ ପ୍ରଶସାଂରେ ସୁରମାର ଛାତି ଫୁଲି ଉଠୁଥିଲା ଯେପରି । ମୃଦୁ ସଲଜ ବଦନରେ କଣ କହିବାକୁ ଯାଉଥିଲା—ହଠାତ୍‌ ଆଖି ପଡ଼ିଗଲା ମନୋରମାର ଗାମ୍ଭୀର୍ଯ୍ୟପୂର୍ଣ୍ଣ ମୁଖ ମଣ୍ଡଳରେ । ତାର ମନେ ହେଲା ଯେପରି କ୍ଷୁବ୍‌ଧ ଓ ଈଷାନ୍ୱିତ ହୋଇଛି ତାର ପ୍ରଶଂସାରେ ।

 

କଥାର ସୁଅ ରଖି ସୁକାନ୍ତ କହିଲେ— ‘‘ମା’ଟି ମୋର ଲକ୍ଷ୍ମୀଟିଏ ବାପା । ପିଲାଟାର ଆଜହୁଁ ଏତେ ବୃଦ୍ଧି ହେବ ବୋଲି ମୁଁ ଆଶା କରି ନଥିଲି ସୁର ।’’ ସୁର ବାବୁ ଆଉ କିଛି କହି ପାରିଲେ ନାହିଁ । ବୀର ବାବୁ ଓ ସେ ସେଠାରୁ ବିଦାୟ ନେଇ ଚାଲିଗଲେ ।

 

ରାତି ବାର । ଆକାଶରେ ବଉଦ ଖଣ୍ଡେ ଖଣ୍ଡେ ଦକ୍ଷିଣା ପବନରେ ଭାସି ଆସି ଚନ୍ଦ୍ରଙ୍କ ଉପରେ ନିଜର ବ୍ୟକ୍ତିତ୍ୱ ବିସ୍ତାର କରୁଛି । କେତେବେଳେ ଅନ୍ଧାର ତ କେତେବେଳେ ତୋଫା ଚନ୍ଦ୍ରାଲୋକ—ଆଶା ଓ ନିରାଶାର ଲୁଚକାଳି ଖେଳ ପରି–

 

ସୁରେନ୍ଦ୍ର ବାବୁ ଓ ବୀରବାରୁ ବାହାରି ପଡ଼ିଲେ ଜଙ୍ଗଲ ଆଡେ ।

 

ଭୁବନେଶ୍ୱର ପାଖ ଆଶ୍ରମ ଜଗୁଆଳ ଜିମା କାର୍‌ଟି ଦେଇ ଚାଲି ଚାଲି ଜଙ୍ଗଲ ଭିତରକୁ ପଶିଲେ । ପ୍ରାୟ ମାଇଲିଏ ବାଟ ଯିବା ପରେ ଆଉ ବାଟ ଦେଖାଗଲା ନାହିଁ । ସୁରେନ୍ଦ୍ର ବାବୁ ଗୁପ୍ତ ଆଲୋକ ସାହାଯ୍ୟରେ କଣ୍ଟା ଭିତର ଦେଇ ଚାଲିଲେ । ବୀରବାବୁ ମଧ୍ୟ ତାଙ୍କ ପଥାନୁସରଣ କଲେ-

 

ଦୁଇ ମାଇଲ କଣ୍ଟା-ବାଟରେ କ୍ଷତ ବିକ୍ଷତ ହୋଇଯିବାପରେ ଗୋଟିଏ ସଫା ଜାଗା ପଡ଼ିଲା । ସେଠାରେ ଦୁଇବନ୍ଧୁ ନିଜର ପୋଷାକ ପରିବର୍ତ୍ତନ କରି ଗୋଟିଏ, ଗୋଟିଏ ପ୍ରକାଣ୍ଡ ଦସ୍ୟୁ ବେଶ ସାଜି ବାହାରିଲେ । ହାତରେ ଗୋଟିଏ ଗୋଟିଏ ତୀକ୍ଷ୍‌ଣ ଛୁରୀ ଓ ଦୋନଳୀ ରିଭଲଭର ପକେଟ ଭିତରେ ରଖି ବିଭିନ୍ନ ଆଡ଼େ ବାହାରିଲେ ।

 

ସୁରବାବୁ ମନୁଷ୍ୟର ପଦଚିହ୍ନ ବାରି ଯାଉଁ ଯାଉଁ ଗୋଟିଏ ପଥର ଝୁଣ୍ଟି ପଡ଼ିଲେ । ଦେଖିଲେ ଯେ ଏହି ପଥରଟି ମାଟିତଳୁ ଉପରକୁ ବାହାରିଛି । ସେ ଆସ୍ତେ ଆସ୍ତେ ସେଇଟିକୁ ଟେକିବାରେ ଲାଗିଲେ । ହଠାତ୍‌ ଭିତରୁ କାହାର ଶବ୍ଦ ଶୁଭିଲା । ସେ କାନ ଡେରି ଶୁଣିଲେ ‘‘ଆ, ଶୀଘ୍ର ଚାଲିଆ ।’’ ‘‘ନାଁ, ମୁଁ ଯିବିନି, ହଉ ମୁଁ ଯାଉଛି ।’’ ତା ପରେ ପଥରଟି ଉଠିବାରେ ଲାଗିଲା । ସୁରବାବୁ ନିକଟସ୍ଥ ଏକ ଝଙ୍କାଳିଆ ବୁଦାମୂଳେ ଲୁଚିଗଲେ । ମରଣ ନିଶ୍ଚୟ ଭାବି ଭୂମି ଉପରେ ଶୋଇପଡ଼ିଲେ ।

 

ଗୋଟାଏ କଳା ମଚ ମଚ ଲୋକ, ଦେହରେ କଳା ପୋଷାକ, ଅଣ୍ଟାର ଦୁଇ କଡ଼ରେ ଦୁଇଟି ଛୁରୀ ଖୋସା ହୋଇଛି । ପୁଣି ନିଶ ଦୁଇଟାକୁ ଦେଖିଲେ ନିଶ୍ଚୟ ସାଧାରଣ ଲୋକର ହାର୍ଟ ଫେଲ୍‌ ହୋଇଯିବ ।

 

ସୁରେନ୍ଦ୍ରବାବୁ ରାଗରେ ଜଳି ଉଠିଲେ । ଭାବିଲେ ସଙ୍ଗେ ସଙ୍ଗେ ଲୋକଟାକୁ ଭୂମିସାତ କରିଦେବେ ବୋଲି । କିନ୍ତୁ ଦୂରରୁ କାହାର ପାଦ ଶବ୍ଦ ଶୁଭିଲା । ନିଶ୍ଚୟ ଦସ୍ୟୁ ଦଳର ଲୋକ—ଭାବି ସାହସ ହେଲା ନାହିଁ । ସେ ସେମିତି ସେଇଠି ପଡ଼ି ରହିଲେ । କିଛି ସମୟ ପରେ ଦୁଇ ଜଣ ଏକାଠି ହୋଇ ଦୁହେଁ ଦୁହିଁଙ୍କୁ ନମସ୍କାର ଜଣାଇଲେ । ସୁରେନ୍ଦ୍ରବାବୁ ଆସ୍ତେ ଆସ୍ତେ ତାଙ୍କ ଆଡ଼କୁ ଘୁଞ୍ଚିଯାଇ ଶୁଣିପାରିଲେ ଯେ, ଜଣେ ଅନ୍ୟ ଜଣକୁ କହୁଛି— ‘‘କିରେ ତୋର ଆଉ ଚିନ୍ତା କଣ ? ସର୍‌ଦାର୍‌ ତ ତୋ ଉପରେ ଭାରି ଖୁସି । ତୁ ଯେପରି ସୁରେନ୍ଦ୍ରର ସ୍ତ୍ରୀକୁ ଆଣି, ନଳୀନୀବାବୁର ହତ୍ୟା ପ୍ରମାଣ କରି ପାରିଛୁ....’’

 

‘‘ଆରେ ଦୋସ୍ତ—ସୁରେନ୍ଦ୍ରକୁ ହତ୍ୟା କରି ତାର ମୁଣ୍ଡ ଆଜି ଦଉଛି ଆଣି ।’’

 

‘‘—ହଁ ଭାଇ, ସେ ପ୍ରତି କ୍ଷେତ୍ରରେ ଆମର କାଳ ହେଉଛି ।

 

‘‘ସେ ତ ଆଜି ଜଙ୍ଗଲକୁ ଆସିଛି—ମୁଁ ଦେଖି ଆସିଲି । ଯାଉଛି, ସର୍‌ଦାର୍‌କୁ ଜଣାଇ ତାର ପ୍ରତିଶୋଧ ନେବି ।’’ ‘‘ସତେ ନାଁ ଭାଇ ? ଶୁଭସ୍ୟ ଶୀଘ୍ରଂ ।’’ ତା ପରେ ପ୍ରଥମ ଓ ଦ୍ୱିତୀୟ ବ୍ୟକ୍ତି ଫେରି ପଥର ପାଖକୁ ଯାଇ ଡାକିଲେ— ‘‘କଙ୍କାଳ, କଙ୍କାଳ’’—ତା ପରେ ପଥର ଖୋଲି ଦୁଇଜଣ ଯାକ ଗୁହା ଭିତରେ ପ୍ରବେଶ କଲେ । ସୁରବାବୁ ନିଶ୍ଚିତ ରୂପେ ଜାଣିଲେ ଯେ ଏହି ଗୁହା ଭିତରେ ତାଙ୍କର ପ୍ରାଣର ଜିତା ଅଛି । ତାଙ୍କ ଆଖିରୁ ଲୁହ ଝରିବାକୁ ଲାଗିଲା । ତାଙ୍କ ଅନ୍ତରର କେଉଁ ନିଭୃତ କୋଣରୁ ଉଠିଲା କୋହ । ହଠାତ୍‌ ମନେ ପଡ଼ିଗଲା ବୀର କଥା । ବୋଧହୁଏ ସେ ବୀରକୁ ଦେଖି ତାଙ୍କୁ ବୋଲି ଭାବି ତାର ମୃତ୍ୟୁର ଷଡ଼ଯନ୍ତ୍ର କରୁଛି । ସେ ପ୍ରଥମ ଓ ଦ୍ୱିତୀୟ ବ୍ୟକ୍ତିର ପଦଚିହ୍ନ ଦୁଇଟିକୁ ମାପି ରଖିଲେ । ହଠାତ୍‌ ଜଙ୍ଗଲ ମଧ୍ୟରୁ ଗୁଳି ଆବାଜ ଶୁଣି ଚମକି ପଡ଼ିଲେ । ଭାବିଲେ—ନିଶ୍ଚୟ ବୀର ମରଣ ସାଙ୍ଗ କରିଛି । ସେ କଣ୍ଟାବଣ ଭିତରେ ଖୁବ୍‌ ଜୋରରେ ଦୌଡ଼ିବାକୁ ଲାଗିଲେ । କିଛି ବାଟ ଯିବା ପରେ ପୂର୍ବ ନିର୍ଦ୍ଦିଷ୍ଟ ପରିଷ୍କାର ଜାଗାରେ ପହଞ୍ଚିଲେ । ଦେଖିଲେ ବୀର ତାହାଙ୍କୁ ଅପେକ୍ଷା କରି ଛିଡ଼ା ହୋଇଛି । ସେ ଟିକେ ସ୍ଥିର ହୋଇ ପଚାରିଲେ, ‘‘ଗୁଳି ଶବ୍ଦ କଣ ?’’ ‘‘ହୁଁ କୌଣସି ଜାଗାରେ କିଛି ଦସ୍ୟୁଙ୍କ ଖବର ନପାଇ ଦୁଇଟି ଗୁଳି ଫୁଟାଇଲି-।’’

 

‘‘—ଆରେ ବାବା ମୁଁ ଭାବିଲି—’’

 

‘‘—କଣ ? ମୋତେ କିଏ ମାରିଦେଲା ବୋଲି ?’’

 

‘‘—ହଁ ।’’

 

—ବୀର ହସି ହସି କହିଲା— ‘‘ଏତେ ସହଜରେ ବୀର ମରିଯିବ ନାହିଁ ସୁରବାବୁ ! ଟିକେ ଏଠି ବସିପଡ଼ନ୍ତୁ ଆପଣ । ବଡ଼ କ୍ଳାନ୍ତ ହୋଇ ପଡ଼ିଛନ୍ତି ମୁଁ ଦେଖଛି ।’’

 

‘‘—ପଲାଇ ଯିବା ଆ—ସେମାନେ ଏକ୍ଷଣି ଏଠାରେ ପହଞ୍ଚିବେ ।’’

 

‘‘—କେଉଁମାନ ? ବୀର ବୋକାଙ୍କ ପରି ପଚାରିଲା ।’’

 

‘‘—ଚାଲ, ବାଟରେ କହିବି ।’’

 

ଦୁଇବନ୍ଧୁ ବିନା ବାକ୍ୟ ବ୍ୟୟରେ ଭୁବନେଶ୍ୱର ଆଡ଼େ ଫେରିଗଲେ । ଆଶ୍ରମ ପାଖରେ ପହଞ୍ଚି ଘଡ଼ିକୁ ଅନେଇଲେ । ସେତେବେଳେ ଚାରିଟା ବାଜିଯାଇଥିଲା । ଜଗୁଆଳଟି ନିଦ୍ରିତ ଥିଲା । ସେ ତାହାକୁ ଉଠାଇ ପାଣି ପିଇ କାରରେ ବସିପଡ଼ିଲେ । ଝାଳ ଗୋଟା ଗୋଟା ହୋଇ ବହିଯାଉଥାଏ । ବୀରବାବୁ ମଧ୍ୟ ଖୁବ୍‌ ବ୍ୟଗ୍ର ଥାନ୍ତି ଘଟଣାଟା ଜାଣିବାକୁ । କାର୍‌ ଷ୍ଟାଟ୍‌ କରିଦେଲେ-

 

ବୀରକିଶୋର ପଚାରିଲେ, ‘‘ସୁରବାବୁ—ଘଟଣାଟା ତ କିଛି କହିଲେନି ।’’

 

‘‘—ତୁ ଯଦି ଥାନ୍ତୁ ନା ମୋ ହାବୁଡ଼େ ପଡ଼ିଥିବା ଦସ୍ୟୁ ଦୁଇଜଣଙ୍କୁ ସ୍ଵର୍ଗପୁରକୁ ପଠାଇ ଦେଇଥାନ୍ତି । ହଁ ବୀର, ସେଠାରେ ମୋ ଜିତା ବନ୍ଦିନୀ । ଏକଥା କହିବାକ୍ଷଣି ତାଙ୍କ ଆଖିରୁ ଦୁଇଟୋପା ଲୁହ ଗଡ଼ି ପଡ଼ିଲା । ବୀରକିଶୋର ସାନ୍ତ୍ୱନା ଦେଇ କହିଲେ, ‘‘ଥୟ ଧରନ୍ତୁ ସୁରବାବୁ ! ଏବେ ଜିତା ଦେବୀଙ୍କୁ ଉଦ୍ଧାର କରିବା ସହଜ ହେବ । ଆଚ୍ଛା ଆପଣ ଦସ୍ୟୁ ପୋଷାକର ଚିହ୍ନ ଦେଖିଛନ୍ତି ?’’

 

‘‘—ମୋତେ ଘନଅନ୍ଧକାର ଭିତରେ କିଛି ଦେଖାଯାଉ ନଥିଲା । କିନ୍ତୁ ଦସ୍ୟୁ ଦୁଇଜଣ ‘କଙ୍କାଳ’ କହିବାରୁ ସାଙ୍ଗେ ସାଙ୍ଗେ ଗୁହାର ମୁଖ ଖୋଲି ହୋଇଗଲା । ତାପରେ ଦୁଇଜଣ ପ୍ରବେଶ କଲେ ।’’

 

ବୀରବାବୁଙ୍କ ମୁଖ ପ୍ରଫୁଲ୍ଲିତ ହୋଇ ଉଠିଲା । କହିଲେ—‘‘ସତେତ । ସେ ଚିଠିରେ ମଧ୍ୟ ସେପରି ଚିତ୍ରଟିଏ ଥିଲା । ଆଚ୍ଛା, ଆପଣ ଗୁହା ଦ୍ୱାର ଦେଖିଚନ୍ତି ନା ?’’ ‘‘ହୁଁ, ମୁଁ ଦେଖିଛି ।’’

 

‘‘ତେବେ ଖୁବ୍‌ ସହଜ । କେବଳ ଦସ୍ୟୁ କଳର ବଳ କଳି ସେମାନଙ୍କ ସହିତ ଯୁଦ୍ଧ କରିବାର ଯୋଗାଡ଼ କରିବା ଆବଶ୍ୟକ । ହୁଁ, ବର୍ତ୍ତମାନ ଗୁହା ମଧ୍ୟକୁ ଯିବା ବୋଧେ ଠିକ୍‌ ହେବ ନାହିଁ । କିଛି ଦିନ ସେମାନଙ୍କର ଗତିବିଧି ଅନୁସନ୍ଧାନ କରିବାକୁ ହେବ । ତାପରେ...’’

 

ବର୍ତ୍ତମାନ ଦୁଇବନ୍ଧୁ ବସା ଫାଟକ ପାଖରେ ପହଞ୍ଚି ଗଲେଣି । ଗ୍ୟାରେଜରେ କାର୍‌ଟିକୁ ରଖିଦେଇ ବସାକୁ ଶୋଇବାକୁ ଗଲେ । ସୁରେନ୍ଦ୍ରବାବୁଙ୍କର ଏକମାତ୍ର ଚିନ୍ତାର ବିଷୟ ଜିତା । ତାଙ୍କୁ ଆଉ ନିଦ ମାଡ଼ିଲା ନାହିଁ । ବୀରକିଶୋର ଅଧିକ କ୍ଳାନ୍ତିଯୋଗୁ ନିଘୋଡ଼ ନିଦରେ ଶୋଇପଡ଼ିଲେ । କିନ୍ତୁ ସୁରେନ୍ଦ୍ରବାବୁ ଜିତା ବିଷୟରେ ଆକାଶ ପାତାଳ ଭାବିବାକୁ ଲାଗିଲେ । ଯେଉଁ ଜିତା ମୋର ଅଙ୍କଶାୟିନୀ ହୋଇ ସୁଦ୍ଧା ବଜାରର ବୁଲା କୁକୁର କିମ୍ବା ବୁଲା ଷଣ୍ଢର ଚିତ୍କାର ଶୁଣିଲେ ଭୟ ମିଶ୍ରିତ କଣ୍ଠରେ ଅସ୍ପଷ୍ଟ ଚିତ୍କାର କରି ମୋତେ ତାର ସୁକୋମଳ ବାହୁଦ୍ୱୟରେ ଭିଡ଼ିଧରେ, ସେ ଆଜି କିପରି ଦସ୍ୟୁଗୁହାରେ ଥିବ ? ଯିଏ ସାଧାରଣ ସିପାହୀ ଥୋଡ଼ିବାଲା ଦେଖିଲେ ଭୟ କରେ, ସେ କଣ ଏହି ବିକଟାଳ ଦସ୍ୟୁଗୁଡ଼ାକୁ ଦେଖି ଜୀବନରେ ଥିବ ? ପିଲାଙ୍କ ପରି ସେ ଭୋ ଭୋ କାନ୍ଦିଉଠିଲେ । ପୁଣି ମନେ ପଡ଼ିଲା—ଜିତାର ମା କେତେ ଆଦର କରି କହିଥିଲେ—‘‘ବାପା, ମୋର ପୁଅ ନାହିଁ, ତୁ ମୋର ପୁଅ । ମୋର ଡରକୁଳି, ଲାଜକୁଳି ଶିରୀଷ କୁସୁମ ଜିତା ତତେ ଲାଗିଲା । ତାର ଯେପରି କିଛି ଅସୁବିଧା ନହୁଏ । କିନ୍ତୁ ଆଜି କଣ ହେଲା ? ତାଙ୍କର କୋହ ଅଧିକ ବଢ଼ିଲା—ସେ ତକିଆରେ ମୁହଁ ଦେଇ କାନ୍ଦିବାକୁ ଲାଗିଲେ ।

 

ଭୋର ଛ’ଟା । କର୍ତ୍ତବ୍ୟପରାୟଣ ସୂର୍ଯ୍ୟ ଦୁନିଆରେ ଉତ୍ସବ ଲଗେଇ ଦେଲେ ।

 

ଦୁଇବନ୍ଧୁ ବିଛଣାରୁ ଉଠି ଗାଧୁଆ ପାଧୁଆ ସାରି ହୋଟେଲରୁ ଚା’ ଖାଇ ବାହାରିଲେ ମନ୍ଦିରଆଡ଼େ । କେଦାରଶ୍ୱର ହେବାକୁ ଆଉ ଫର୍‌ଲଙ୍ଗେ ବାଟ ଅଛି । ଗୋଟାଏ ସମାଜ ବିକାଳି ଡାକ ଛାଡ଼ିଲା‘‘ସମାଜ, ବାବୁ ସମାଜ । ନୂଆ ଖବର—ଜମିଦାରୀ ଆଇନ ଉଚ୍ଛେଦସ–ମାଜ, ବାବୁ ସମାଜ ।’’

 

ସୁରବାବୁ ଗାଡ଼ି ଅଟକାଇ କହିଲେ—‘‘କେବେ ତ କାହିଁ ଭୁବନେଶ୍ୱରରେ ‘କାଗଜ’ ଦେଖା ନଥିଲା ।’’ ‘‘ହଁ ବାବୁ’ ଆପଣମାନଙ୍କ ପାଇଁ ବ୍ୟବସାୟଟି ବାନ୍ଧିଲି । ଯଦି ଦି’ପଇସା ଲାଭ ପାଏ, ତେବେ ବ୍ୟବସାୟଟି ସବୁଦିନ ପାଇଁ ଚଳାଇବି ।’’

 

‘‘ଆଛା ହଉ ଦେ ଖଣ୍ଡେ–’’

 

ସବା ତଳୁ ଖଣ୍ଡେ କାଗଜ ଆଣିଦେଲା ।

 

ସୁରେନ୍ଦ୍ର ବାବୁ ପଇସା ବଢ଼ାଇ ଦେଇ ଗାଡ଼ି କରିଦେଲେ । ସମାଜକୁ ଖୋଲି ପଢ଼ୁ ପଢ଼ୁ ଖଣ୍ଡେ ଛୋଟ ଧଳା କାଗଜ ଗଳି ପଡ଼ିଲା ପେପର ଭିତରୁ । ସୁରବାବୁ ତଳୁ ଚିଠିଟି ଗୋଟେଇ ଆଣି ଦେଖିଲେ ଖଣ୍ଡେ ଚିଠି । ଚିଠିରେ ଲେଖାଥିଲା—

 

ପ୍ରିୟ ସୁରେନ୍ଦ୍ର......

 

ନିଜକୁ ରକ୍ଷା କରିବାକୁ ସାହସ ନାହିଁ । କିନ୍ତୁ ସୁକାନ୍ତକୁ କହି ଆସିଛୁ ତା ଭାଇକୁ ସାତଦିନ ଭିତରେ ଫେରାଇଦେବୁ ବୋଲି । ବୃଥା ଚେଷ୍ଟା । ତୁଇ ଏକା ସିନା ଗୋଲକଧନ୍ଦାରେ ଧନ୍ଦି ହେବୁ । କାହାର କ’ଣ ଯିବ ?

 

କାଲି ଜଙ୍ଗଲରେ ରକ୍ଷା ପାଇଗଲୁ । ମନରେ ଦୟା ଆସିଲା । କିନ୍ତୁ କାଲି ତୋର ବୁଦ୍ଧି ଓ ସାହସର ପରୀକ୍ଷା ନେଇଥାନ୍ତି । ଇତି ।

 

ତୋର ପରିଚିତ

‘କଙ୍କାଳ’

 

ସୁରେନ୍ଦ୍ର ବାବୁ ଟିକେ ଭୟଭୀତ ହୋଇ ପଡ଼ିଲେ । ଆହୁରି ମଧ୍ୟ ବେଶୀ ଆଶ୍ଚର୍ଯ୍ୟ ହେଲେ ସମାଜ ବିକାଳି ଜଣେ ଦସ୍ୟୁ ଦଳର ଲୋକ । ଦସ୍ୟୁମାନେ ଯେ ଏମାନଙ୍କ ପିଛା ଧରୁଛନ୍ତି, ବୁଝିବାକୁ କୌଣସି ବାକି ରହିଲା ନାହିଁ । ବୀରବାବୁ କହିଲେ, ‘‘ଶୀଘ୍ର କାର ଫେରାନ୍ତୁ; ସମାଜ ବିକ୍ରେତାଙ୍କୁ ମାମୁଘର ଦେଖାଇଦେବା ।’’ ସେତେବେଳକୁ କାର୍‌ଟି ଦେଉଳ ପାଖେ ପହଞ୍ଚିଲା । ଶୀଘ୍ର କାର ବୁଲାଇ ସ୍ପିଡରେ ଛାଡ଼ିଦେଲେ । ପ୍ରାୟ ପାଞ୍ଚ ମିନିଟ ପରେ ଲକ୍ଷ୍ୟ ସ୍ଥାନରେ ପହଞ୍ଚିଗଲେ । କିନ୍ତୁ ସମାଜ ବିକ୍ରେତା ନଥିଲେ । ଏଣେ ତେଣେ ମଧ୍ୟ ଟିକେ ଖୋଜିଲେ । କିନ୍ତୁ ତାହାର ପତ୍ତା ମିଳିଲା ନାହିଁ । ପୁଣି ଫେରି ଚାଲିଲେ ଦେଉଳ ଅଭିମୁଖେ ।

 

ଦେଉଳ ପାଖରେ ସୁକାନ୍ତ ବାବୁ ଦେଖା ହେଲେ । ସାଙ୍ଗରେ ସୁରମା । ସୁରମାର ସଜଳ ଆଖି ଦୁଇଟିରେ ରକ୍ତିମା ଖେଳି ଉଠିଛି । ବିଜୁଳି ପରି ଚଞ୍ଚଳ ଚକ୍ଷୁଦ୍ୱୟ ନିଷ୍ପ୍ରଭ ।

 

ସୁରବାବୁ ଓହ୍ଲାଇପଡ଼ି ସୁକାନ୍ତ ବାବୁଙ୍କୁ ନମସ୍କାର କଲେ । ଆଖି ପଡ଼ିଗଲା ସୁରମା ଉପରେ । ସେ କିଛି ଭାବି ଠିକ୍‌ କରିପାରିଲେ ନାହିଁ । ଯୁବକ ସୁରବାବୁଙ୍କ ମନ ତରଳି ଗଲା—ସେ ତା’ର ଦୁଃଖ ବୁଝିବା ପାଇଁ ଉଦ୍‌ବିଗ୍ନ ହୋଇ ଉଠିଲେ । କିଶୋରୀ ସୁରମା ସଲଜ ନୟନରେ ଗୋଟିଏ ବକ୍ରଦୃଷ୍ଟି ନିକ୍ଷେପ କରି ତାହା ଫେରାଇ ନେଲା । ଏହି କ୍ଷଣିକ ଦୃଷ୍ଟିର ଗୋପନ ଭାଷା ସୁରେନ୍ଦ୍ର ବାକୁ କେଜାଣି କିଛି ବୁଝିଲେ ଅବା ?

 

ସୁରବାବୁ ସଂଯତ କର୍ମପ୍ରବଣ ଯୁବକ । ନିସ୍ୱାର୍ଥ ପରଉପକାର ତାଙ୍କ ଜୀବନର ବ୍ରତ । ସେ କାର୍ଯ୍ୟରେ ହିଁ ଆତ୍ମନିୟୋଜିତ ପ୍ରାଣ କେବେହେଲେ ସୌନ୍ଦର୍ଯ୍ୟ ଉପାସନା କରିବାକୁ ଚେଷ୍ଟା କରି ନଥିଲା । ପ୍ରଣୟ ତତ୍ତ୍ୱ ସେ ପୁଙ୍ଖାନାପୁଙ୍ଖ କେବେହେଲେ ଘାଣ୍ଟି ନାହାନ୍ତି । ଜୀବନରେ ରମଣୀ ସଂପର୍କ ଖୁବ୍‌ କମ୍‌ । ସେତେବେଳକୁ ତାଙ୍କ ବିବାହ ମୋଟେ ଛ ମାସ ହୋଇଥିଲା । ସେ ବଡ଼ ଘରର ପିଲା—ଜିତା ପରି ରୂପସୀର ପ୍ରଣୟୀ । ସେ ଦିନେ ହେଲେ ତାଙ୍କ ଚରିତ୍ରକୁ କଳୁଷିତ କରି ନାହାନ୍ତି । ଯୁବତୀର ସ୍ନିଗ୍‌ଧ ଦୃଷ୍ଟିରେ ସହଜରେ ବିଚଳିତ ହେବାର ଜୀବ ସେ ନୁହନ୍ତି ।

 

ତଥାପି ଆଜି କି ବିଚିତ୍ର ଅନୁଭୂତି ତାଙ୍କର ତରୁଣ ପ୍ରାଣକୁ ଅକସ୍ମାତ ଅଭିଭୂତ କରିଦେଲା । ଜୀବନର ସଂଯମ ସାଧନା ଯେପରି ଧୂଳିସାତ୍‌ ହୋଇଗଲା । ସୁରମାର ସଂକୋଚମୟ ସୂକ୍ଷ୍ମ ଦୃଷ୍ଟିଟି କି ଅମୃତମୟ ଆବେଶ ଦେଇ ଆସିଥିଲା ସେ ଜାଣନ୍ତି ନାହିଁ । କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ତାଙ୍କର ପ୍ରାଣ ଅମୃତମୟ ହୋଇ ଉଠିଲା । ଅଗାଧ କ୍ଷମତାର ମୋହ ଆଜି ତାଙ୍କୁ ଅକସ୍ମାତ ଗ୍ରାସ କରି ବସିଲା ।

 

ସୁକାନ୍ତ ବାବୁ କମ୍ପିତ କଣ୍ଠରେ କହିଲେ, ‘‘ସୁରବାବୁ, ଏଇ ଚିଠିଟି ପଢ଼ନ୍ତୁ । ସୁରେନ୍ଦ୍ରବାବୁଙ୍କ ଧ୍ୟାନ ଭାଙ୍ଗିଗଲା । ସେ ଅନ୍ୟମନସ୍କ ଭାବରେ ଚିଠି ଉପରେ ଆଖି ପକାଇଲେ–‘‘ସୁକାନ୍ତ–ତୁ କାହା ବଳରେ ବଳିୟାର ହୋଇଛୁ ? ସେହି ନିର୍ଲ୍ଲଜ ସୁରେନ୍ଦ୍ର ବଳରେ । ସେଇଟା ଗୋଟାଏ ନିପଟ ବୋକା–ତା’ର ସ୍ତ୍ରୀକୁ ରକ୍ଷା କରିବାକୁ କି ଯୋଗାଡ଼ କରିଛି ସେ ? ମୋର ପୂର୍ବ ଚିଠିର କୌଣସି ଉତ୍ତର ପାଇଲି ନାହିଁ । ପୁଣି ଥରେ ସ୍ମରଣ କରାଇ ଦେଉଛି–ମନୋରମା ନାମରେ ସମସ୍ତ ସମ୍ପତ୍ତି ଉଇଲ କରି ମୋ ପାଖକୁ ପଠାଇ ଦେ । ନଚେତ୍‌ ତୋର ଭାଇପରି ତୋର ମୁଣ୍ଡ ଟିକି ଟିକି କରି ମନୋରମାକୁ ନିଜେ ଯାଇ ନେଇ ଆସିବି । ଇତି ।

 

କଂକାଳ

 

ତା’ପରେ ସୁରମା ସୁରେନ୍ଦ୍ର ବାବୁଙ୍କ ହାତକୁ ଆଉ ଖଣ୍ଡିଏ ଚିଠି ବଢ଼ାଇ ଦେଲା । ସେଟା ହେଉଛି ଦସ୍ୟୁର ପ୍ରେମ ଚିଟାଉ ତା ପାଖକୁ ।

 

ପ୍ରାଣର ସୁରମା,

 

ତୁମେ ଏକା ମୋର ହୃଦୟ-ନନ୍ଦନ-କାନନର ପାରିଜାତ । ତମକୁ ଦେଖିଲା ଦିନୁ ମୁଁ ମୋର ମନ ପ୍ରାଣ ତମ ପାଦତଳେ ସମର୍ପି ଦେଇଛି । ତମର ମୁଖପଦ୍ମର ମଧୁ ଟିକିକ ପାଇଁ ଯେ ମୁଁ କେତେ ବ୍ୟାକୁଳ, ତମେ କାହୁଁ ଜାଣିବ ? ତମକୁ ମୁଁ ଭଲପାଏ–ଏଥିରେ ଯଦି ଅବିଶ୍ୱାସ ହୁଏ ତୁମର–ମୁଁ ମୋର ବକ୍ଷ ଚିରି ତମ ଆଗରେ ଦେଖାଇବାକୁ ପ୍ରସ୍ତୁତ ଅଛି–ତମେ ଦେଖିବ, ସବୁଠି ଲେଖାଅଛି ତମରି ନାମର ସେଇ ମଧୁର ତିନୋଟି ଲିପି ‘ସୁରମା’ । ତମେ କଣ ତମର ଲବଣୀ ପିତୁଳା ତନୁର ପରଶରୁ ମୋତେ ବଞ୍ଚିତ କରିବ ?

 

ହଁ, ତମେ ମୋତେ ଘୃଣା କରିପାର । ମୁଁ ଗୋଟାଏ ଦସ୍ୟୁ । ମୁଁ ଗୋଟାଏ ସଇତାନ । କିନ୍ତୁ ସୁରମା ଏ ସବୁ କାହା ପାଇଁ ? ମୁଁ ଆଜି ଦସ୍ୟୁର ଆବରଣ ତଳେ ମୋର ମର୍ଯ୍ୟଦା ହରାଇଛି କାହାପାଇଁ ଜାଣ ? ତାହା କେବଳ ତମର ବିମ୍ବ ଅଧରର ମରକନ୍ଦ ପାନ ପାଇଁ । ତମେ ଆସି ଦେଖ–ତମ ପାଇଁ ମୁଁ କଣ ନ କରିଛି । ମୁଁ ଦ୍ୱିତୀୟ ସ୍ୱର୍ଗ ଗଢ଼ିଛି । କେତେ ଦାସ ଦାସୀ, କେତେ ଗହଣା, କେତେ ବେଶଭୂଷା ଜମା କରିଛି ତମପାଇଁ । ଅମର ସ୍ୱର୍ଗପୁରରେ ଯାହା ନାହିଁ ତାହା ଏଇ ପାତାଳ ପୁରରେ ମୁଁ ରଖିଛି । ଥରେ ଆସି ଦେଖିଯାଅ ଯଦି ବିଶ୍ୱାସ ନକର ।

 

ତେବେ ସୁରମା କେତେଦିନ ମତେ ଆଉ ଏପରି ଜଳେଇ ମାରିବ ? ତମେ କଣ ଆଉ ପୁରୁଷର ଉଷ୍ମ ପରଶ ତମର କାଉଁରୀବୋଳା, ଯୌବନଭରା ତନୁରେ ଚାହୁଁନା ? କାହିଁକି ଏ ରୂପ, ଏ ଭରାଯୌବନ ନେଇ ନିଜକୁ ଏତେ ଜଳାଉଛ ?

 

ସାବଧାନ—ସୁରେନ୍ଦ୍ର ତମର ପାଖେ ପାଖେ ବୁଲୁଛି । ତା ପ୍ରେମରେ ଯେବେ ପଡ଼—ତେବେ ତାର କୁଫଳ ସୁରେନ୍ଦ୍ରଙ୍କୁ ଏକା କାହିଁକି ତମକୁ ବି ଭୋଗିବାକୁ ପଡ଼ିବ ।

 

ଏଇ ଦସ୍ୟୁ ଆବରଣ ତଳେ ତମର ପ୍ରେମିକ ।

 

କଂକାଳ

 

ସୁର ବାବୁ ଚିଠିଟି ପଢ଼ିସାରି କହିଲେ, ‘‘ଦସ୍ୟୁ ଦଳର ମାଲିକ ଜଣେ ଶିକ୍ଷିତ ଲୋକ ନିଶ୍ଚୟ ।’’ ସେ ମନେ ମନେ ଭାବିଲେ—ଯୁବକ ପାଖକୁ ଯୁବତୀ ଓ ଯୁବତୀ ପାଖକୁ ଯୁବକ ଏପରି ପ୍ରେମ ଚିଟାଉ ଦେବା ସ୍ଵାଭାବିକ । ବର୍ତ୍ତମାନ ମୁଁ ମଧ୍ୟ ଉନ୍ମାଦ ହୋଇପଡ଼ିଥିଲି । ଏହା ଯୁବକ ପକ୍ଷେ କିଛି ଅସମ୍ଭବ ନୁହେଁ । ତାଙ୍କ ମୁଖ ପ୍ରଫୁଲ୍ଲିତ ହୋଇ ଉଠିଲା । ପରକ୍ଷଣରେ ସେ ମୃଦୁ ହସକୁ ଚାପିରଖିଲେ । ମୁଁ ସୁରମା ପ୍ରତି ଆକୃଷ୍ଟ ହୋଇପଡ଼ିଛି । ସୁରମାକୁ ଜୀବନର ସାଥି ରୂପେ ପାଇବା ଲାଳସା ମୋର ଜାଗିଛି । ଦସ୍ୟୁ ହେଉ, ପିଶାଚ ହେଉ ବା ପଶୁ ହେଉ ସମସ୍ତଙ୍କଠାରେ ‘ପ୍ରେମର’ ମାପକାଠି ପ୍ରାୟ ସମାନ । ପ୍ରାଣୟିନୀ ପାଇଁ ପ୍ରେମିକ କଣ କରି ନପାରେ ?

 

ବୀର ବାବୁ କହିଲେ, ‘‘ସେ ତ ଆମ ପିଛା ଧରିଛି । ତେବେ ଉପାୟ ?’’

 

ସେଇଟା ତା’ର ଧମକ ଖାଲି । ସେ ଭୟଭୀତ ହୋଇ ନାନା ପ୍ରକାର ଚିଠି ଲେଖୁଛି । ମରଣ ନିକଟ ହୋଇ ଆସିଲେ ପ୍ରାଣୀ ଯେମିତି ଏଣୁ ତେଣୁ ବିଳିବିଳେଇ ଉଠେ, ଏଇ ଚିଠିଗୁଡ଼ିକ ମୃତ୍ୟୁମୁଖୀ ଦସ୍ୟୁର ପ୍ରଳାପ ଛଡ଼ା ଆଉ କିଛି ନୁହେଁ ।

 

ସୁକାନ୍ତବାବୁ ଓ ସୁରମା ସୁରବାବୁଙ୍କ ଅଭୟ ବାଣୀ ଶୁଣି କିଞ୍ଚିତ୍‌ ଆଶ୍ୱସ୍ତ ହେଲେ । କିନ୍ତୁ ବିପଦ ଯେ ଘନେଇ ଉଟୁଛି, ଏଥିରେ ସଂଦେହ ନାହିଁ ।

 

‘‘–ଘରକୁ ଯା’ନ୍ତୁ ସୁକାନ୍ତ ବାବୁ । ଭୟ କରନ୍ତୁନି ।

 

ସୁକାନ୍ତ ବାବୁ ସୁରବାବୁଙ୍କର ହାତ ଧରି ପକାଇ କହିଲେ, ‘‘ତୁମେ ଯଦି ମତେ ସାହାଯ୍ୟ ନକର....’’

 

‘‘—ଆପଣ ଧୈର୍ଯ୍ୟଚ୍ୟୁତ ହେଲେ ଚଳିବନି ।’’

 

‘‘ସୁରବାବୁ, ମୋ ଯଉବନ ପାଇଁ କିମ୍ବା ମୋ ଧନ ପାଇଁ ମୋତେ ଭୟ ଲାଗୁନି । ପାଖରେ ଦୁଇ ଦୁଇଟା ଅଭିଆଡ଼ି ଝିଅ । ଆପଣ ଯଦି ମୋ ଘରେ ରହନ୍ତେ ମୋର ଏତେ ଭୟ ରହନ୍ତା ନାହିଁ । କାଲି ରାତିର ଘଟଣା ତ କହି ନାହିଁ ।’’

 

‘‘ରାତି ବାରଟା ପ୍ରାୟ । ସମସ୍ତେ ଖାଇ ପିଇ ଶୋଇ ସାରିଲେଣି । ମୁଁ ଏକ ଭାବନାରେ ଚିନ୍ତିତ । ହଠାତ୍‌ କାହିଁକି ଗୋଟାଏ ଝରକା କାନ୍ଥରେ ପିଟିହୋଇଗଲା । ଚାକରକୁ ଡାକିଲି—ଝରକା ଦେଇନୁ କି ? କୌଣସି ଉତ୍ତର ମିଳିଲାନି । ତା ପରେ ଦୁଇ ଚାରି ଜଣ ଉପର ମହଲାକୁ ଉଠିବାର ଜଣାଗଲା । ମୁଁ ନିଶ୍ଚିତ ରୂପେ ଜାଣିଲି ଯେ ଏ ଦସ୍ୟୁଦଳ । ଆଖି ବୁଜି ଚୁପ୍‌ ହୋଇ ପଡ଼ିରହିଲି । କ୍ରମେ ସେମାନେ ମୋ ଘର ଦୁଆର ମୁହଁକୁ ଆସିଲେ । ଏ ସମୟରେ ବାହାରୁ ଜଣେ ଆସି କିଏ କହିଲା, ‘‘ଆଜି ଆସ ଯିବା–ଆର ଥରକ ମୃତ୍ୟୁର ଦିବସ ।’ ମନୋରମା ଓ ସୁରମା ପାଇଁ ମୋର ଛାତି ଥରି ଉଠିଲା । ମୁଁ ଭୟବିହ୍ୱଳ ହୋଇ ପଡ଼ିରହିଲି । ସେମାନେ ଚାଲିଗଲେ । ସକାଳୁ ଉଠି ମନ ମୋତେ ଏଇ ଦୁଇଖଣ୍ଡ ଚିଠି ଦେଇଗଲା । ତାର ଶୋଇବା ଘରେ ପଡ଼ିଥିଲା ।’

 

ସୁରେନ୍ଦ୍ର ବାବୁ ଆକାଶ ପାତାଳ ଭାବିବାରେ ଲାଗିଲେ । ଦସ୍ୟୁ କେଉଁ ଉଦ୍ଦେଶ୍ୟରେ ଆସିଥିଲା ଓ କି ଉଦ୍ଦେଶ୍ୟ ସାଧନ କରି ଚାଲିଗଲା । ‘‘ଆଚ୍ଛା ଆପଣ ଦସ୍ୟୁର କିଛି ସଂଧାନ ପାଇଛନ୍ତି କି ?’’

 

ସେ ଇତସ୍ତତଃ ହୋଇ କହିଲେ, ‘‘ନା—’’

 

‘‘ସହର ଭିତରେ ଆପଣଙ୍କର କେଉଁ ଶତ୍ରୁ ଅଛି କି ?’’ ‘‘ସେମିତି କେହି ଶତ୍ରୁ ନାହାନ୍ତି । ସୁରମାର ବିବାହ ଲାଗିଥିଲା କଟକର ବିଶିଷ୍ଟ ବ୍ୟବସାୟୀ ମଦନ ବାବୁଙ୍କ ପୁତ୍ର କୈଳାସ ସଙ୍ଗରେ । ମୁଁ ସେ ପ୍ରସ୍ତାବଟା ଉଠାଇ ଆଣିଲି । ଶୁଣିଥିଲି କୈଳାସ ସୁରମା ଛଡ଼ା ଅନ୍ୟ କାହାରିକୁ ବିବାହ କରିବ ନାହିଁ—ତେବେ ସେ’ଟା କିଛି କଥା ନୁହେଁ ।’’

 

ସୁର ବାବୁ ଦସ୍ୟୁ ଦଳର କୌଣସି ନୂତନତ୍ୱ ଆବିଷ୍କାର କଲା ପରି କହିଲେ, ‘‘ଓ, କୈଳାସ ନା—ହଉ ଆପଣ ଯାନ୍ତୁ । ମୁଁ ନିଶ୍ଚୟ ଯିବି ।’’

 

—ପୁଣି ହାତ ଧରି ପକାଇ କହିଲେ, ‘‘ଆପଣ ଯଦି ଏ ଜୀବନଟା ରଖିବେ ତ ନୋହିଲେ—’’

 

‘‘ରାତିରେ ତ ବିପଦର ଆଶଙ୍କା—ରାତିରେ ଯାଇ ପହଞ୍ଚିବି ।’’

 

ଫୋନ୍‌ କ୍ରିଂ କ୍ରିଂ ବାଜି ଉଠିଲା । ସୁର ବାବୁ ଫୋନ ରିସିଭର ଉଠାଇ ଧଇଲେ ।

 

Hallo ମୁଁ ବିଜୟ ବାବୁ—ଆପଣ କିଏ ?

 

ମୁଁ ସୁରବାବୁ ।

 

ନମସ୍କାର... । ହଁ ମୋର ଭାଇର ବିଭାଘର–ପ୍ରୀତି ଭୋଜନରେ ଯୋଗଦେବାପାଇଁ ନିମନ୍ତ୍ରଣ କରୁଛି । ପାଞ୍ଚ ତାରିଖ ୯ଟା ବେଳେ । ଫୋନ ଜନିତ ନିମନ୍ତ୍ରଣ ପାଇଁ ତ୍ରୁଟି ମାର୍ଜନା କରିବେ ।

 

ସୁରବାବୁ ହସି ଉଠିଲେ । ଆଚ୍ଛା ଆଚ୍ଛା ମୁଁ ମାର୍ଜନା କଲି ।

 

ନିଶ୍ଚୟ ଆସିବେ.....

 

ଫୋନ ରିସିଭରଟାକୁ ରଖିଦେଇ ସୁରବାବୁ ଆକାଶ ପାତାଳ ଭାବିବାକୁ ଲାଗିଲେ । ବିଜୟ ବାବୁ ଏଠାରେ ହେଡ଼ମାଷ୍ଟର ହେଇ ରହିବା ପ୍ରାୟ ୫ ବର୍ଷ ହୋଇଗଲାଣି । କାହିଁ କେବେ ତ ତାଙ୍କୁ ଆଡ଼ ଆଖିରେ ବି ଅନେଇ ନାହାନ୍ତି । ଏ ଆକସ୍ମିକ ନିମନ୍ତ୍ରଣରେ କିଛି ଉଦ୍ଦେଶ୍ୟ ନାହିଁ ତ ? ତାଙ୍କର ଗୁଇନ୍ଦା ମନ ସନ୍ଦେହୀ ହୋଇଉଠିଲା । ଆଚ୍ଛା, ସେଦିନ ତ ଅଛି । ଦେଖାଯିବ ।

 

ସୁରବାବୁଙ୍କର କ୍ଲାସମେଟ୍‌ ଥିଲେ ବିଜୟବାବୁ ! ସାଥି ହୋଇ ବି. ଏସ୍‌ସି. ପର୍ଯ୍ୟନ୍ତ ପଢ଼ିଥିଲେ ସେ ଦୁହେଁ । କିନ୍ତୁ ପରସ୍ପର ସହିତ ମନ ମିଳେ ନାହିଁ । ବରଂ ବିଜୟ ସୁରବାବୁଙ୍କ ପ୍ରଶସାଂରେ ଈର୍ଷାନ୍ୱିତ ହୋଇ ତାଙ୍କୁ ଅନେକ ବିପଦରେ ପକାଏ । ବିଜୟ କଲେଜରେ ଥିଲା ଏକ ବଡ଼ ବଦମାସ୍‌ ଆଉ ଗୁଣ୍ଡା । ଦିନେ ଦିନେ ସେ ହଷ୍ଟେଲର ସବୁ ପିଲାଙ୍କ ଟ୍ରଙ୍କ ଭାଙ୍ଗି ଟଙ୍କା ପଇସା ନେଇ ଯାଉଥିଲା । ସୁରବାବୁଙ୍କ ଟ୍ରଙ୍କ ଚାବି ଫିଟାଇ ଦୁଇ ଥର ସେ ଟଙ୍କା ନେଇଛି । ତାଙ୍କୁ ଦିନେ ଜୀବନରେ ମାରିଦେବ ବୋଲି ଧମକ ଦେଇଥିଲା ସେ ।

 

ଘଟଣା କ୍ରମେ—ଜିତା ସହିତ ବିବାହ ଲାଗିଲା ବିଜୟ ବାବୁଙ୍କର । କିନ୍ତୁ ଶେଷରେ ବିବାହ କଲେ ସୁରବାବୁ ଜିତାକୁ । ବିଜୟ ଅପଦସ୍ଥ ହୋଇ ଯାଇଥିଲା ସତ; କିନ୍ତୁ ପ୍ରତିଶୋଧ ନେବାର ନିଆଁ ତା ମନରେ କୁହୁଳି ଉଠୁଥିଲା ।

 

ସଂଧ୍ୟା ପ୍ରାୟ—

 

ଦୁଇ ବଂଧୁ ସୁକାନ୍ତ ବାବୁଙ୍କ ଘରେ ପହଞ୍ଚିଲେ । ସେ ଆଗରୁ ପ୍ରସ୍ତୁତ ଥିଲେ । ଏମାନଙ୍କୁ ନେଇ ସେ ବୈଠକଖାନାକୁ ଗଲେ । ଘରଟା ଅନ୍ଧାର ହୋଇଥାଏ । ସେତେବେଳେ ସଂଧ୍ୟାବତୀ ଲାଗି ନଥିବାରୁ ହିନ୍ଦୁ ନିୟମାନୁୟାୟୀ କୌଣସି ଘରେ ଆଲୋକ ଜଳି ନଥିଲା । କିନ୍ତୁ ସୁକାନ୍ତ ବାବୁ ଆଉ ସଂଧ୍ୟାବତୀକୁ ଅପେକ୍ଷା ନକରି ଶୀଘ୍ର ଲଣ୍ଠନ ଲଗାଇ ଆଣିବାକୁ ଚାକରକୁ କହିଲେ ।

 

ସୁକାନ୍ତ ବାବୁଙ୍କର ସୁରବାବୁ କୌଣସି ସୂତ୍ରରେ ସଂପର୍କୀୟ ବଂଧୁ ହେବେ । କିନ୍ତୁ ସେ ସଂପର୍କ ବିଷୟରେ ସୁରେନ୍ଦ୍ରବାବୁ ପୂରାପୂରି ଅଜ୍ଞ ଥିଲେ । ବର୍ତ୍ତମାନ ସେ ସଂପର୍କକୁ ସୁକାନ୍ତବାବୁ ଯୋର୍‌ କରି ଯୋଡ଼ିଦେଲେ । ହେଲେ ନିସ୍ୱାର୍ଥ କର୍ମପ୍ରବଣ ସୁରେନ୍ଦ୍ର ବାବୁଙ୍କ ମନରେ କୌଣସି ପରିବର୍ତ୍ତନ ଆସିଲା ନାହିଁ । ସେ ତାଙ୍କ ନିଜର ଲକ୍ଷ୍ୟପଥରେ ସମ ଗତିରେ ଆଗେଇ ଚାଲିଲେ ।

 

ସୁକାନ୍ତ ବାବୁ ସହରର ଜଣେ ବିଶିଷ୍ଟ ଲୋକ । ତାହାଙ୍କୁ ପୁରୀ ଜିଲ୍ଲାର ଅଧିପତି କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କ ବଡ଼ ଭାଇ ହେଉଛନ୍ତି ନଳିନୀବାବୁ । ନଳିନୀ ବାବୁଙ୍କର ସ୍ତ୍ରୀ ଓ ପଞ୍ଚଦଶ ବର୍ଷିୟା ଗୋଟିଏ ଝିଅ ସୁରମା ଛଡ଼ା ତାଙ୍କର ନିଜର ସଂସାରରେ କେହି ନାହିଁ । ସୁକାନ୍ତବାବୁଙ୍କର ଝିଅ ମନୋରମା । ତାଙ୍କର ସ୍ତ୍ରୀ ଆଗରୁ ମରିଛନ୍ତି । ନଳିନୀବାବୁଙ୍କ ହତ୍ୟାକାଣ୍ଡପରେ ତାଙ୍କର ସ୍ତ୍ରୀ ଆତ୍ମହତ୍ୟା କରି ମରିଛନ୍ତି । ବର୍ତ୍ତମାନ ଦୁଇ ଭାଇଙ୍କର ସମ୍ବଳ—ଦୁଇଟି ଅଭିଆଡ଼ି ଝିଅ । ସମସ୍ତ ସଂପତ୍ତି ସେମାନଙ୍କ ନାମରେ ଉଇଲ କରାହୋଇଛି । ବର୍ତ୍ତମାନ ନଳିନୀ ବାବୁଙ୍କୁ ହରାଇ ସୁକାନ୍ତ ବାବୁ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଜରା ଯେପରି ତାଙ୍କୁ ପ୍ରବଳ ଗତିରେ ଗ୍ରାସ କରୁଛି ।

 

ଚାକର ଦାମା ଲଣ୍ଠନ ଆଣିବା ସମୟରେ ହଠାତ୍‌ ବୈଠକଖାନାଘରୁ କିଏ ଗୋଟାଏ ବାହାରି ଦାମାକୁ ଏକ ଧକ୍‌କା ଦେଇ କେଉଁଆଡ଼େ ଦୌଡ଼ି ପଳାଇଲା । ସୁରେନ୍ଦ୍ରବାବୁଙ୍କର ନଜର ନଥାଏ । ସେ ଆଜି ଚିନ୍ତାରେ ନିମଗ୍ନ । କିନ୍ତୁ ବୀରକିଶୋର ଲୋକଟିକୁ ଦେଖିଲେ ମଧ୍ୟ ସେ ତାଙ୍କର ସୂକ୍ଷ୍ମ ବୃଦ୍ଧି ଦ୍ୱାରା କଣ କରିବେ କିଛି ଠିକ୍‌ କରିପାରିଲେ ନାହିଁ । ଯେତେବେଳେ ଦାମା ‘‘ମରିଗଲି—ମରିଗଲି—କିଏ ଗୋଟାଏ ଧକ୍‌କା ଦେଇ ପଳାଇଲା’’—ଚିତ୍କାର କରିବାକୁ ଲାଗିଲା । ସୁର ଓ ବୀର ବାବୁ ତା ପାଖକୁ ଦୌଡ଼ିଲେ । ସେତେବେଳକୁ ଦାମା ରକ୍ତାକ୍ତ ଅବସ୍ଥାରେ ଅଚେତ୍‌ ହୋଇପଡ଼ିଛି । କଥାଟା ସୁରେନ୍ଦ୍ରବାବୁ କିଛି ବୁଝିପାରିଲେ ନାହିଁ । ବୀରକିଶୋର ଭୟମିଶ୍ରିତ କଣ୍ଠରେ କହିଲେ, ‘‘ହଁ, ଏ ଘରୁ କିଏ ଗୋଟେ ଦୌଡ଼ି ପଳାଇଲା—ମୁଁ ଦେଖିଛି । ଆପଣ ସେ ପଟକୁ ମୁହଁ କରି ବସିଥିଲେ ।’’ ସୁକାନ୍ତବାବୁଙ୍କ ଛାତି ଥରିଉଠିଲା । ତାଙ୍କର ମୃତ୍ୟୁ ହେବାର ଉପକ୍ରମ ହେଲା । ପାଖରେ ମନୋରମା ଓ ସୁରମା ଭୟରେ ବୋକାପରି ଛିଡ଼ା ହୋଇଥିଲେ । ସୁରେନ୍ଦ୍ର ବାବୁଙ୍କ ଇଙ୍ଗିତରେ ସୁକାନ୍ତବାବୁଙ୍କୁ ସେମାନେ ନେଇ ଘରେ ଶୁଆଇ ଦେଲେ ।

 

ସୁରେନ୍ଦ୍ରବାବୁ କାଳ ବିଳମ୍ବ ନକରି ଦାଣ୍ଡ ଆଡ଼କୁ ଦୌଡ଼ିଲେ । ବୀରବାବୁ ଦାମାକୁ ଚେତା କରାଇଲେ । ଏଣେ ସୁର ବାବୁଙ୍କ ହାତରେ ରିଭଲଭର ହୁକୁମ ଅପେକ୍ଷାରେ ଥାଏ । ଆଗରେ ଦେଖିଲେ କେତେଗୁଡ଼ିଏ ପଦଚିହ୍ନ ପଡ଼ିଛି । ତାହାକୁ ଅନୁସରଣ କରି ଆଗେଇଲେ । ଦାଣ୍ଡ ବଗିଚାର ବୁଦାମୂଳେ କିଏ ଜଣେ ଲୁଚିବାର ଦେଖାଗଲା । ସୁରେନ୍ଦ୍ରବାବୁ କାଳ ବିଳମ୍ବ ନକରି ଦୁଇଟା ଗୁଳି ଫଏର କଲେ । କିନ୍ତୁ ମନୁଷ୍ୟର କୌଣସି ସୂଚନା ପାଇଲେ ନାହିଁ । ଭାବିଲେ ଲୋକଟି ବୋଧେ ମରିଗଲା; ବୁଦାମୂଳକୁ ନଇଁ କରି କଣ ପରୀକ୍ଷା କଲେ । ହଠାତ୍‌ ତାଙ୍କ ପିଠିରେ ଛୁରାର ସାମାନ୍ୟ ଆଘାତ ବାଜିଲା । ସେ ଉପରକୁ ଅନାଇ ଦେଖିଲେ ଯେ ଏକ ଭୀଷଣକାୟ ବ୍ୟକ୍ତି ଗଛଡ଼ାଳରେ ଦୋହଲୁଛି । ସଙ୍ଗେ ସଙ୍ଗେ ଦୁଇଟା ଗୁଳି ତା ମୁଣ୍ଡକୁ ଲକ୍ଷ୍ୟ କରି ଫୁଟାଇଲେ । କିନ୍ତୁ କିଛି ଫଳ ହେଲା ନାହିଁ । ଲୋକଟା ଡେଇଁପଡ଼ି ଦୌଡ଼ିବାକୁ ଲାଗିଲା । ସୁରେନ୍ଦ୍ର ବାବୁ ମନେ ମନେ ବଡ଼ ଲଜ୍ଜିତ ହୋଇଗଲେ । ଶେଷଥର ପାଇଁ ଦୁଇଟି ଗୁଳି ଫୁଟାଇଲେ । ସଙ୍ଗେ ସଙ୍ଗେ ଲୋକ ଭୂମିଶାୟୀ ହେଲା । ସୁରେନ୍ଦ୍ର ବାବୁ ଲୋକଟିକୁ କାନ୍ଧରେ ପକାଇ ଘରକୁ ଫେରିଲେ ।

 

ରାତି ପ୍ରାୟ ୮ଟା । ଦାମା ସେତେବେଳକୁ ଚେତା ହୋଇ ସାରିଛି । ସୁକାନ୍ତବାବୁ ଟିକେ ସୁସ୍ଥ ହୋଇଛନ୍ତି । ଭୀଷଣ ଲୋକଟିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ବୀରବାବୁ ଟର୍ଚ୍ଚ ପକାଇ ମୁହଁକୁ ଦେଖି କହିଲେ, ଏ ଯେ ଆଜିର ସମାଜ ବିକାଳି ! ସୁକାନ୍ତ ବାବୁ, ମନୋରମା ଓ ସୁରମା ମୂକ ପରି ଅନାଇ ରହିଥିଲେ ।

 

ସୁରେନ୍ଦ୍ରବାବୁଙ୍କ ମୁଖ ଉଜ୍ଜ୍ୱଳ ହୋଇଗଲା । ସେ ତାର ପକେଟ ଖୋଜିବାରେ ଲାଗିଲେ, କିଛି ବିଶେଷ ଗୁପ୍ତ ରହସ୍ୟ ମିଳିଲାନି । ଲୋକଟି ମରିଯାଇଥିଲା । ପକେଟବୁକରେ ଦସ୍ୟୁର ନମ୍ବର, ସମାଜର ହିସାବ ଓ ଆଜିର କାମ ଲେଖା ହୋଇଥିଲା—‘‘ରାତି ବାର ବେଳକୁ ଝରକାରେ ଶଦ୍ଦ ହେବ । ତୁ ଆଗରୁ ସୁରମା ଶୋଇବା ଘରେ ଲୁଚି ରହିଥିବୁ । ଶଦ୍ଦ ହେବା ମାତ୍ରେ କବାଟ ଖୋଲିଦେବୁ ।’’

 

ସୁରବାବୁ ବୀରବାବୁଙ୍କ କାନରେ କଣ ଚୁପ୍‌ କରି କହିଲେ । ତା’ପରେ ଶବଟିକୁ ଥାନାକୁ ପଠାଇ ଦେଇ ପୁଣି ବୈଠକଖାନାକୁ ଫେରି ଆସିଲେ । ଦସ୍ୟୁର ପୋଷାକ ଓ ଡାଏରୀ ବହିଟିକୁ ସୁରବାବୁ ଯତ୍ନରେ ରଖିଲେ ।

 

ରାତି ବାର । ସୁରେନ୍ଦ୍ରବାବୁଙ୍କ ଆଖିରେ ନିଦ ନାହିଁ । ସୁରମା ଓ ମନୋରମା ଏପର୍ଯ୍ୟନ୍ତ ଶୋଇ ନାହାନ୍ତି । କଣ ଘଟଣା ଘଟିବ, ଏଇ ଆଶଙ୍କାରେ ସେମାନେ ଭୟରେ ଜଡ଼ବତ୍‌ ହୋଇ ଅପେକ୍ଷା କରିଥାନ୍ତି । ଆଜି ରାତିରେ କଣ ଯେ ଘଟିବ ସେ କିଛି ଭାବିପାରିଲେ ନାହିଁ । ଥାନାରୁ ଆଉ କେତୋଟି କନେଷ୍ଟବଳ ଅଣାଇବାକୁ ଭୁଲି ଯାଇଥିଲେ । ତେବେ ଯାହାହେଉ ଦସ୍ୟୁ ସହିତ ଆଜି ସମ୍ମୁଖ ଯୁଦ୍ଧ କରିବାକୁ ହେବ । ସେ ନିଜକୁ ଦସ୍ୟୁ ରୂପରେ ସଜ୍ଜିତ କଲେ । ହାତ ଘଡ଼ିକି ଚାହିଁଲେ ଠିକ୍‌ ୧୨ ବାଜିଛି । ବୀରବାବୁଙ୍କୁ ସତର୍କ କରି ବାହାରକୁ ଆସିଲେ । ହଠାତ୍‌ ଝରକାରେ ଶଦ୍ଦ ହେଲା । ଦସ୍ୟୁ ତାର ପୋଗ୍ରାମ ଅନୁସାରେ ଆସିଗଲେ ବୋଧେ । ସୁରେନ୍ଦ୍ରବାବୁ ଆଶ୍ଚର୍ଯ୍ୟ ହେଲେ-କି ସମୟ ଜ୍ଞାନ ଏମାନଙ୍କର ! ଟିକେ ବି ଆଗପଛ ନାହିଁ । ଠିକ୍‌ ସମୟରେ ସେମାନେ ତାଙ୍କ କାମ କରିବାକୁ ବାହାରି ଆସିଲେଣି । ସେ ଗୋଡ଼ ଚିପି ଚିପି ଝରକା ଆଡ଼କୁ ଗଲେ । ତାଙ୍କ ଛାତି ଥରି ଉଠିଲା । କଣ ଯେ ଘଟିବ—ତାଙ୍କ ଚାଲାକି ଧରାପଡ଼ିଯିବନି ତ ? ଅନ୍ଧାରରେ କିଏ କହିଲା, ‘‘ସୁବାସ—ଠିକ୍‌ ହୈ ।’’ ‘‘ହାଁ, ସବ୍‌ ଠିକ୍‌ ହୈ ।’’ ସୁରେନ୍ଦ୍ରବାବୁ ଚାପା ଗଳାରେ କହିଲେ । ସୁରେନ୍ଦ୍ରବାବୁ ଦସ୍ୟୁର ହାତ ଧରି ସାଇ ଭିତରକୁ ଆସିଲେ । ପଚାରିଲେ, ‘‘ଆର କୋନ ହୈ ?’’ ଦସ୍ୟୁଟି ଉତ୍ତର ଦେଲା, ନାହିଁ ହୈ ।’’ ଦସ୍ୟୁଟି ପୁଣି ପଚାରିଲା, ‘‘କୋନ୍‌, କମେରା ମେ ସୁରମା ହୈ-।’’ ସୁରବାବୁ ସାମନା ଖୋଲା ଘରକୁ ଆଙ୍ଗୁଳି ନିର୍ଦ୍ଦେଶ କରିଦେଲେ । ଦସ୍ୟୁଟି ଘର ଭିତରେ ପଶିଗଲା । ସୁରବାବୁ ମଧ୍ୟ ଧୀରେ ଧୀରେ ଯାଇ ବାହାର ପଟୁ କବାଟ ଦେଇଦେଲେ । ଘର ଭିତରୁ ଦସ୍ୟୁଟି କହିଲା, ‘‘କାହାଁ ହେ ସୁରମା ?’’ ସୁବାସ ଉତ୍ତର ଦେଲେ‘‘ଜରା ଚଷମା ଲଗାକେ ଢୁଂଢ଼ିଏ-।’’ ବୀରବାବୁ ଠୋ ଠୋ ହୋଇ ହସି ଉଠିଲେ । ଏସବୁ ସୁରବାବୁର ଚାଲାକି ବୋଲି ଦସ୍ୟୁଟିକୁ ଜାଣିବାକୁ ଆଉ ବାକି ରହିଲା ନାହିଁ । ସେ କିଂକର୍ତ୍ତବ୍ୟମୂଢ଼ ହୋଇ କହିଲା, ‘‘ସୁବାସ ବିଶ୍ୱାସଘାତକ-। ଦେଖିବୁ ତୋର ପାପର ପ୍ରାୟଶ୍ଚିତ । ତୋର ରକ୍ତ ବନଦେବୀଙ୍କ ମୁଖ ରଞ୍ଜିତ କରିବ-।’’ ମନୋରମା କହିଲା, ‘‘ସୁରବାବୁ, ଆପଣ ନଥିଲେ ଆମ ଅବସ୍ଥା କଣ ହୋଇଥାନ୍ତା ଅନୁମାନ କରିପାରୁଛନ୍ତି ତ ?’’ ସୁରବାବୁ ଆଉ କିଛି କହିଲେ ନାହିଁ । ସେ ଘରେ ଗୋଟିଏ ତାଲା ପକାଇ ତାହା ବୀରବାବୁଙ୍କ ଦାୟିତ୍ୱରେ ଦେଖି ଦେଇ ଶୋଇବାକୁ ଗଲେ । ମନୋରମା ଓ ସୁରମା ଅନିଚ୍ଛା ସତ୍ୱେ ନିଜ ନିଜ କୋଠରୀକୁ ଚାଲିଗଲେ । ସୁରମାର ମନ ହଉଥାଏ ସେ ଆଜି ସୁରବାବୁଙ୍କ ସହିତ ଆଳାପ କରି ରାତିଟା କଟାଇ ଦିଅନ୍ତା ।

 

ସୁରବାବୁ ବିଛଣା ଧରିଲେ । କାନ୍ଥ ଘଡ଼ିରେ ବାଜିଲା ଦୁଇ । ଆଖିକୁ ନିଦ ଆସୁ ନଥାଏ-। ଦସ୍ୟୁ ଦଳର ଏଇ ଜୀବନ ମୂର୍ଚ୍ଛା ଅଭିଯାନ, ସୁରମାର ଢଳ ଢଳ ଛଳ ଛଳ ଆଖିର ଅର୍ଥପୂର୍ଣ୍ଣ ଚାହାଁଣି, ଆଉ ଜିତାର ଦସ୍ୟୁପୁରରେ ଲୋତକପୂର୍ଣ୍ଣ ଚକ୍ଷୁ ଓ ପାଣ୍ଡୁର ସୁଖ—ସବୁ ତାଙ୍କ ଆଖି ଆଗରେ ନାଚି ଉଠିଲା । ଜିତାକୁ ହରାଇବା ଓ ମନୋରମାର ବଙ୍କିମ କ୍ରସ୍ତ ହରିଣୀ ଚାହାଁଣୀରେ ବିହ୍ୱଳ ହେବା ଏସବୁ ମୂଳରେ ରହିଛି ଦସ୍ୟୁଦଳର ଅମାନୁଷିକ କାର୍ଯ୍ୟ । କାହାକୁ ଛାଡ଼ିବେ ଆଉ କାହାକୁ ପାଇବେ, ସେ କିଛି ଠିକ୍‌ କରିପାରୁ ନଥିଲେ । ତେବେ ଦସ୍ୟୁ ଦଳର ଅନୁସନ୍ଧାନ କରି ସେହି ଦଳକୁ ଫାଶିଖୁଣ୍ଟରେ ନ ଝୁଲାଇଲେ ହୁଏତ କେଉଁଟା ପାଇବା ସମ୍ଭବ ହୋଇପାରିବ ନାହିଁ । ସେ ଦୃଢ଼ ପ୍ରତିଜ୍ଞା ହେଲେ—ରାବଣର ଲଙ୍କାପୁରକୁ ଚୂର୍ଣ୍ଣକରି ସୀତାଙ୍କୁ ଶୀଘ୍ର ଉଦ୍ଧାର କରିବେ ।

 

ସୁରବାବୁଙ୍କୁ ଟିକେ ଛାଇନିଦ ଲାଗି ଆସିଛି । ତାଙ୍କ ବିଛଣା ପାଖରେ କିଏ ଛିଡ଼ା ହେଲାପରି ଜଣାପଡ଼ିଲା । ହଠାତ୍‌ ତାଙ୍କ ନିଦ ଭାଙ୍ଗିଗଲା । ସେ ରିଭଲଭରଟିକୁ ଜାବୁଡ଼ି ଧରି ପଚାରିଲେ, ‘‘କିଏ ?’’

 

‘‘ମୁଁ ଦସ୍ୟୁ ନୁହେଁ ସୁରବାବୁ ।’’

 

‘‘କିଏ ସୁରମା.... ?’’ ସୁରବାବୁ ବିଛଣାରେ ଉଠି ବସିଲେ । ‘‘ହଁ......’’

 

‘‘ଏତେ ରାତିଯାଏ ଶୋଇନ ଯେ–ହଁ, କିଛି ଆପତ୍ତି ନଥିଲେ ଏଠି ବସିପାରନ୍ତି ।’’

 

ସୁରମା ନିରବ ରହିଗଲା—ଗୋଡ଼ରେ ଗାର କାଟୁଥିଲା ଅନ୍ଧାରରେ ।

 

‘‘ହଁ କିଛି କହିଲେ ନାହିଁ ତ ?’’

 

‘‘ନା—ଆପଣଙ୍କୁ ତ ନିଦ ହେଇନି । ଆଉ ଅନ୍ୟକୁ ନିଦ ହେବ ବୋଲି କେମିତି ଆଶା କରୁଛନ୍ତି ।’’

 

ସୁରେନ୍ଦ୍ର ବାବୁ ଯେପରି ପରାହତ ହେଲେ ।

 

‘‘ନା—ମୁଁ ଶୋଇ ଉଠିଲିଣି ଯେ—’’

 

‘‘ଏହା ହିଁ ମୋ ପକ୍ଷରେ ପ୍ରଯୁଜ୍ୟ ନ ହେବ କାହିଁକି ?

 

‘‘ଆଚ୍ଛା—ହଁ କଣ ମୋ ପାଖେ କାମ ଥିଲା ସୁରମା ଦେବୀ ?’’

 

‘‘କିଛି ନ ଥିଲେ ବୋଧେ ଏ ସମୟରେ ମୁଁ ଆସି ନ ଥାନ୍ତି......’’

 

‘‘ନା, କୁହନ୍ତୁ କୁହନ୍ତୁ, କି ସେବା କରିପାରେ.... ?’’

 

ସୁରମାର ପ୍ରତ୍ୟେକ କଥାଗୁଡ଼ିକ ତାଙ୍କର ଗୁଇନ୍ଦା ମନରେ ନାନା ଖିଅ ସୃଷ୍ଟି କରୁଥିଲା । ତଥାପି ସେ ବିଚଳିତ ନହୋଇ ଚୋରକୁ ଜେରା କଲା ପରି ଅନର୍ଗଳ ପ୍ରଶ୍ନ ପଚାରିବାରେ ଲାଗିଥାନ୍ତି-

 

‘‘ହଁ, ବହୁତ ବେଳରୁ ଛିଡ଼ା ହେଲେଣି । ବସି ପଡ଼ନ୍ତୁ ଏଠି ।’’

 

ସୁରମା ସୁର ବାବୁଙ୍କ ପାଖକୁ ଲାଗି ବସି ପଡ଼ିଲା ।

 

‘‘ହଁ, କଣ କହନ୍ତୁ...... ।’’

 

ନା—ସୁର ବାବୁ ମୁଁ ଯାଉଛି—ପରେ କହିବି । ଉଠି ଯାଉଥିଲା । ସୁରବାବୁ ମନୋରମାର ହାତ ଟାଣି ବସିବାକୁ ଅନୁରୋଧ କଲେ ।

 

ସୁର ବାବୁଙ୍କ ସ୍ପର୍ଶ ସୁରମା ଦେହରେ ବିଜୁଳିର ସ୍ରୋତ ସୃଷ୍ଟି କଲା । ସେ ଯେପରି ମନ୍ତ୍ରମୁଗ୍‌ଧା ହୋଇଗଲା । ସେ ପୁଣି ବସିବା ସ୍ଥାନରେ ବସି ପଡ଼ିଲା ।

 

ସୁରେନ୍ଦ୍ର ବାବୁ ସୁରମାର ମୁହଁକୁ ନିଜ ଆଡ଼କୁ ବୁଲାଇ ପଚାରିଲେ—‘‘କିଛି କହୁନ ଯେ’’—ସୁରମାର ଗଣ୍ଡଯୁଗ ରକ୍ତାଭ ହୋଇ ଉଠିଥିଲା । କପାଳରେ ସ୍ୱେଦବିନ୍ଦୁ ଦେଖାଯାଇଥିଲା । ଧନୁ ପରି ଟଣାଟଣି ଆକର୍ଣ୍ଣ ବିଶ୍ରାନ୍ତ ନୟନ ଯୋଡ଼ିକ ମୁଦିହୋଇ ଯାଇଥିଲା । ସୁରମାର ଦେହ ମନ ସବୁ ଯେପରି ଚାହୁଁଥିଲା ସୁରବାବୁଙ୍କ ବକ୍ଷରେ ଆଶ୍ରୟ ।

 

ସୁର ବାବୁ ନିଜର ତଣ୍ଟି ଶୁଖିଗଲା ପରି ମନେକଲେ । ତାଙ୍କ ଦେହରୁ ଅଜାଣତରେ ଗୋଟାଏ ଝାଳ ବି ବୋହିଲା । ଦୁହେଁ ନୀରବ ରହିଲେ କିଛି ସମୟ ପାଇଁ ।

 

ସୁର ବାବୁ ସୁରମାର କଅଁଳ ହାତ ଦିଓଟିକୁ ଧରି କହିଲେ, ‘‘ସୁରମା—କିଛି ଭୟ କରିବା ଅନୁଚିତ । ମୁଁ ଅନ୍ତତ ବଂଚିଥିବାଯାଏ ତମର କୌଣସି ବିପଦ ନାହିଁ । ଆଉ କଣ କରିପାରେ ତୁମର, କୁହ ?’’

 

ସୁରମା ଆଉ ସମ୍ଭାଳି ହୋଇ ପାରିଲା ନାହିଁ । ସେ ସୁର ବାବୁଙ୍କ ହାତ ଦିଓଟିକୁ ଜାବୁଡ଼ି ଧରି କଇଁ କଇଁ ହୋଇ କାନ୍ଦି ଉଠିଲା—‘‘ଆପଣ ଜାଣନ୍ତି ମୁଁ ନିରାଶ୍ରୟା.....ମୋର ବାପ ମା’ କେହି ନାହାନ୍ତି.....ବାପା....ମା....ଏ ଅଭାଗିନୀକୁ ଛାଡ଼ି ଯାଇଛନ୍ତି....ତାପରେ ଦସ୍ୟୁଦଳର ଅତ୍ୟାଚାର.....ମୋର କାଳଗ୍ରାସୀ ରୂପରେ ମୋହରେ.....କିନ୍ତୁ ମୋର ଜୀବନର ଗତି କେଉଁ ଆଡ଼େ..... ? ଆପଣଙ୍କ କୋଳରେ ସ୍ଥାନ ଦେଲେ....’’

 

ଆଉ କହିପାରିଲା ନାହିଁ ସୁରମା । ତାର କୋହ ବଢ଼ିବାରେ ଲାଗିଲା ।

 

ସୁରବାବୁଙ୍କ ଆଖିରେ ଲୁହ ଦେଖାଗଲା । ତାଙ୍କର ଗୁଇନ୍ଦା ପାଷାଣ ହୃଦୟ ମଧ୍ୟ ଦୁଃଖରେ ଦବିଗଲା । ସେ ସୁରମାର ଲୁହ ପୋଛୁ ପୋଛୁ କହିଲେ, ‘‘ସୁରମା—ମୁଁ ତମକୁ ଦେଖିଲା ଦିନଠୁଁ ତମକୁ ଆପଣାର କରିବାର ପ୍ରୟାସୀ ହୋଇଛି । କିନ୍ତୁ... ।’’ ସେ ବି ଅଟକି ଗଲେ । ତାଙ୍କ ଆଗରେ ଜିତାର ରୂପ ଭାସି ଉଠିଲା । ସେ ନିରବ ରହିଲେ । କଥାକୁ ବୁଲାଇ କହିଲେ—‘‘ସୁରମା, ରାତି ଆଉ ଅଳ୍ପ ଅଛି, ଦାଦା ଓ ମନୋରମା ଉଠିବେ ।’’

 

ସୁରମା ଉଠି ଠିଆ ହେଲା । ସୁରବାବୁଙ୍କୁ ଅର୍ଥପୂର୍ଣ୍ଣ ନୟନରେ କେତେ ଥର ଚାହିଁବା ପରେ ତାର ନିଜ ଶୋଇବା ଘରକୁ ଫେରୁଥିଲା । କେଉଁ ଅନ୍ଧାରୀ ହାତ ତାର ଗୋଡ଼କୁ ପଛକୁ ଟାଣି ରଖୁଥିଲା ଯେପରି ।

 

ସୁରବାବୁ ପୁଣି ବିଛଣାରେ ଲୋଟି ପଡ଼ିଲେ । ଦକ୍ଷ ଗୁଇନ୍ଦା ମନରେ ଆଜିର ଘଟଣା ଭାବାନ୍ତର ସୃଷ୍ଟି କଲା । ସେ ନିଜର କର୍ତ୍ତବ୍ୟ ଯେପରି ଭୁଲିଗଲେ । ତାଙ୍କୁ ବଡ଼ ଅଳସୁଆ ବୋଧ ହେଲା । ସେ କଣ କରିବେ କଣ ନକରିବେ, କିଛି ଠିକ୍‌ କରି ପାରିଲେ ନାହିଁ ।

 

ରାତି ପାହି ସକାଳ ହେଲା । ପକ୍ଷୀମାନଙ୍କ କଳକୂଜନରେ ଦିଗ ବିଦିଗ ପୂର୍ଣ୍ଣ ହୋଇଗଲା । କାଳସୂର୍ଯ୍ୟ ଅରୁଣ ଆଭା ଉକୁଟାଇ ପୂର୍ବ ଆକାଶରେ ମୁଣ୍ଡ ଟେକିଲେ । ଲିଙ୍ଗରାଜ ମନ୍ଦିରରୁ ଘଣ୍ଟ ମାଦଳ ଶବ୍ଦ ବାଜିଉଠିଲା ।

 

ବୀରବାବୁ ଉଠି ସୁରବାବୁଙ୍କ ଶୋଇଥିବା ଘରକୁ ଆସିଲେ । ସେତେବେଳେ ସୁରବାବୁ ଉପରକୁ ଚାହି କଣ ଗୁଡ଼ାଏ ଏଣୁ ତେଣୁ ଭାବୁଥିଲେ । ବୀରବାବୁ ପହଞ୍ଚିବାରୁ ତାଙ୍କର ଧ୍ୟାନ ଭାଙ୍ଗିଗଲା । ସେ ଉଠି ବିଛଣାରେ ବସିପଡ଼ିଲେ । ସେ ଯେ ସେଠି ସକାଳର କାର୍ଯ୍ୟ କର୍ମ ଭୁଲିଯାଇଛନ୍ତି । ବୀରବାବୁ ତାଙ୍କର ଏପରି ଅନ୍ୟମନସ୍କ ଭାବ ଦେଖି ଭାବିଲେ–ସୁରବାବୁ ନିଶ୍ଚୟ ଦସ୍ୟୁଦଳକୁ ଧରିବାକୁ ଏକ ନୂତନ ରାସ୍ତା ଚିନ୍ତା କରୁଛନ୍ତି । ତେଣୁ ସେ କିଛି ନକହି ନିରବ ରହିଲେ-

 

ସୁରବାବୁ ଓ ବୀରବାବୁ ନିଜ ନିଜର ନିତ୍ୟକର୍ମ ସାରି ଗତ ରାତିରୁ ବନ୍ଦୀ ହୋଇଥିବା ଦସ୍ୟୁର ଗୃହଟି ଖୋଜିଲେ । ଦସ୍ୟୁଟି ରାଗରେ ଗର୍ଜନ କରି କହିଲା, ‘‘ସୁରେନ୍ଦ୍ର, ତୁ ଜାଣି ଜାଣି ମରଣକୁ ବରଣ କରୁଛି । ତୋ ଉପରେ ଆମ ସର୍ଦ୍ଦାରର ବଡ଼ ଦୟା ଥିଲା—କିନ୍ତୁ...’’

 

ସୁରବାବୁ ଟିକେ ହସି କହିଲେ, ‘‘ସର୍ଦ୍ଦାରଙ୍କ ଦୟା ସକାଶେ ମୁଁ ବଡ଼ କୃତଜ୍ଞ । ତମ ସର୍ଦ୍ଦାର ଯଦି ତମମାନଙ୍କୁ ପ୍ରତିଦିନ ଗୋଟିଏ ଗୋଟିଏ ପଠାନ୍ତେ, ଆଉ ଜେଲଖାନାରେ ହାତକଡ଼ି ପିନ୍ଧି ତୁମେମାନେ ଶୋଭାପା’ନ୍ତ—ତେବେ ତମ ସର୍ଦ୍ଦରଙ୍କର ମୋ ଠାରେ ପ୍ରକୃତ ଦୟା ଅଛି ବୋଲି ମୁଁ ଜାଣନ୍ତି ।’’

 

‘‘ବେଶୀ କିଛି କଥା ନ କହି ତୁମ ପାଖରେ ଥିବା ହତିଆର ଓ ପୋଷାକ ତଳେ ଥୋଇଦିଅ ।’’

 

ଦସ୍ୟୁଟି କିଂକର୍ତ୍ତବ୍ୟବିମୂଢ଼ ହୋଇ ପୋଷାକ ପ୍ରଭୃତି ତଳେ ଥୋଇଦେଲା । କନେଷ୍ଟବଲ୍‌ ହାତକଡ଼ା ଲଗାଇ ତାକୁ ଥାନାକୁ ନେଇଗଲା ।

 

ସୁକାନ୍ତ ବାବୁଙ୍କ ଆଖିରୁ ଆନନ୍ଦରେ ଦୁଇଧାର ଲୁହ ଗଡ଼ି ପଡ଼ିଲା ।

 

ବୀରବାବୁ ଓ ସୁରବାବୁ ମଧ୍ୟ ଥାନାକୁ ଚାଲିଗଲେ । ପୂର୍ବୋକ୍ତ ଦସ୍ୟୁକୁ ଅନେକ ପ୍ରଶ୍ନ ପଚାରାଗଲେ ମଧ୍ୟ ତାଙ୍କ ଦସ୍ୟୁଦଳ ବିଷୟରେ କୌଣସି ସଂଧାନ ସେ ଦେଲାନି ।

 

‘‘ଦେଖ୍‌—ତୁମେ ଯଦି ଦସ୍ୟୁଦଳର ସନ୍ଧାନ ଦିଅ, ତମକୁ ଆମେ ମୁକ୍ତି ଦେବୁ—ତମ ପିଲା ଛୁଆଙ୍କ ପାଇଁ ଓ ତମ ପାଇଁ ସରକାର ସମସ୍ତ ସୁବିଧା କରିଦେବେ । ତମେ ଗୋଟିଏ ସୁସ୍ଥ ନାଗରିକ ହୋଇ ଚଳିବ; ନଚେତ୍‌ ତମର ପରିଣାମ କଣ ହେବ ଜାଣ ?’’

 

‘‘ଜାଣେ ସୁରବାବୁ—ମୁଁ ତୋ ପରି ଏତେ ବୋକା ନୁହେଁ ଯେ—ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୂରାଇଛି । ମୁଁ ମୃତ୍ୟୁକୁ ଖାତିର କରେନା । ଆଉ ତୋର ସରକାରଙ୍କର ବ୍ୟବସ୍ଥା ପ୍ରତି ମୁଁ ଲାଳାୟିତ ନୁହେଁ । ଦୁନିଆରେ ଅନେକ ଗରିବ, ଦୀନ ହୀନ ଲୋକ ଅଛନ୍ତି—ସେମାନଙ୍କ ପାଇଁ ବସତି, ଡାକ୍ତରଖାନା, ସ୍କୁଲ ତିଆରି କରୁନି ତ ତମର ସରକାର–ହାଃ ହାଃ—ଗୁରୁନିନାଦ ସ୍ୱରରେ ହସି ଉଠିଲା ଭୀଷଣକାୟ ଦସ୍ୟୁଟା—’’

 

ଠିକ୍‌ ଅଛି—ତେବେ ମୃତ୍ୟୁକୁ ଅପେକ୍ଷା କର—’’

 

‘‘ଆଉ ପାଞ୍ଚଟା ଦିନ ମାତ୍ର.......’’

 

‘‘କିନ୍ତୁ ସୁରବାବୁ—ମୋର ବିଶ୍ୱାସ ଆସନ୍ତା ଅମାବାସ୍ୟା ପୂର୍ବରୁ ତୁମେ ବୋଧେ ମୋତେ ଅପେକ୍ଷା କରିଥିବ ଆର ପାରିରେ—’’

 

ସୁରେନ୍ଦ୍ର ବାବୁ ରାଗ ଓ କ୍ରୋଧ ସମ୍ଭାଳି ସେଠାରୁ ଫେରି ଆସିଲେ ।

 

ଗତ ରାତିରେ ଭଲ ନିଦ ହୋଇ ନଥିଲା । ଦେହଟା କେମେତି ଅଳସୁଆ ଲାଗୁଥିଲା । ବୀରବାବୁ ଓ ସୁରବାବୁ ବସାକୁ ଫେରିଗଲେ । ଟିକିଏ ବିଶ୍ରାମ ନେବାପରେ ଭବିଷ୍ୟତ କାର୍ଯ୍ୟପନ୍ଥା କଣ ସ୍ଥିର କରିବେ ।

 

ବାଟରେ ଦେଖାହେଲେ ବିଜୟ ବାବୁ—ପିଲାଦିନର ସାଥି । ଆଉ ତାଙ୍କ ସାଥିରେ ପୋଷ୍ଟ ମାଷ୍ଟର ଜିତେନ୍‌ ବାବୁ, ଡାକ୍ତର ରମାକାନ୍ତ ବାବୁ ।

 

ବିଜୟ ବାବୁ ପଚାରିଲେ—‘‘ହଲୋ ସୁରବାବୁ—କୁଆଡ଼େ ଯାଇଥିଲେ ? ହଁ, I mean to say ସୁକାନ୍ତ ବାବୁଙ୍କ ଘରକୁ ଓ ତାଙ୍କ ଝିଅଙ୍କୁ I mean to say—’’

 

‘‘ନା, ମୁଁ ଥାନାରୁ ଫେରୁଛି ।’’

 

ବିଜୟବାବୁ ପୁଣି ଆରମ୍ଭ କଲେ, ‘‘କେସ୍‌ଟା କେତେଦୂର ? ହଁ, ସେତେ ସହଜ ନୁହେଁ । I mean to say ମୁଣ୍ଡ ଏକବାର ବିଗାଡ଼ି ଦେବ । କିନ୍ତୁ sucessful ହୋଇପାରିବେନି ସୁରେନ୍ଦ୍ର ବାବୁ ।’’

 

ସେତେବେଳକୁ ସୁରେନ୍ଦ୍ର ବାବୁ ରାଗରେ ଲାଲ ପଡ଼ିଯାଇଥିଲେ । ବିଜୟ ବାବୁ ପୁଣି କହିଲେ—‘‘ନିରୁତ୍ତର ରହିଲ ଯେ ?’’

 

‘‘—ନା, ଭାବୁଥିଲି କେଶ୍‌ଟା ସହଜ ନୁହେଁ, କିନ୍ତୁ ସହଜ କରିବାକୁ ତ ହେବ ।’’ ଡାକ୍ତରବାବୁ ସହସା କହି ଉଠିଲେ, ‘‘କେତେ ଦିନ ପରେ, ଆଉ କେତେଦିନ ପରେ ଶେଷ ହେବ ? କେଶ୍‌ଟା କିନ୍ତୁ ବଡ଼ intersting ଏଇ ଭୁବନେଶ୍ୱରରେ ପୁଣି ଏମେତି ଡକାୟତ ଅଛନ୍ତି ତ ଯେ’ କି ପୋଲିସ ଆଖିରେ ଧୂଳି ଦେଇପାରୁଛନ୍ତି ? ତେବେ କଣ କମ୍‌ ସେମାନଙ୍କର ସାହସ ?’’

 

ନମସ୍କାର ପ୍ରତିଧ୍ୱନିତ ହେବା ପରେ ମଟର ଦୁଇଟି ନିଜ ନିଜ ରାସ୍ତାରେ ଚାଲିଗଲେ ।

 

ସୁରବାବୁଙ୍କ ମନରେ ଏକ ସନ୍ଦେହର କଳା ପରଦା ଆଚ୍ଛାଦିତ ହୋଇଗଲା । ମନରେ ତାଙ୍କର ପ୍ରଶ୍ନ ଉଠିଲା—ରମାକାନ୍ତ, ବିଜୟ ଓ ଜିତେନବାବୁ ଦସ୍ୟୁ ଦଳର ଲୋକ ନୁହନ୍ତି ତ ? ହଠାତ୍‌ ବୀରବାବୁ କହି ଉଠିଲେ, ‘‘ମୁଁ ଭାବୁଛି—ଏମାନେ ସବୁ ଦସ୍ୟୁଦଳର ଲୋକ । ସୁରବାବୁ ହର୍ଷୋତଫୁଲ୍ଲ ହୋଇ କହିଲେ,’’ yes my dear, there you are. ହଁ ହଁ, ଠିକ୍‌ ଠିକ୍‌—ନୋହିଲେ ମୋ ଭାବନା ସହିତ ତୋ କଥା ତାଳ ଦିଅନ୍ତା କିପରି ? ଠିକ୍‌ ଟିକିଏ ପୂର୍ବରୁ ମୁଁ ସେଇ କଥା ଭାବୁଥିଲି ।’’

 

ରାତି ଆଠଟା । ଶୀତଦିନ—ମେଘୁଆ ପାଗ । କିଏ କୁଆଡ଼େ ଶୋଇଲେଣି । ଠାଏ ଠାଏ ରାସ୍ତାରେ ଆଲୁଅ ଜଳୁଛି । କେଉଁଠି କଣ୍ଟ୍ରାକ୍ଟରଙ୍କ ତମ୍ବୁରେ ସାମାନ୍ୟ ପାଟିତୁଣ୍ଡ ଶୁଭୁଛି ବା କେଉଁ କୁଲିପଡ଼ାରେ ରୋଷେଇବାସର ଆବାଜ ଶୁଭୁଛି । ବିଚାରା ଗରିବ ଲୋକ । କାମରୁ ଖଟି ଖଟି ଆସିଲେ ଛ’ ଟାରେ । ପୁଣି ପଇସା ପାଇଁ କଣ୍ଟ୍ରାକ୍ଟରଙ୍କ ଲୋକଙ୍କୁ ବାର ଖୁସାମତ୍‌—ଝିଅ ବୋହୂ ହୋଇଥିଲେ—ସେ ପଦେ ଅଧେ କଥାବାର୍ତ୍ତ—ହସ ରହସ୍ୟ ନ କରି ପଇସା ନ ଦିଏ । ନଇଲେ ଆଉ କିଛି କଥା । ଆପତ୍ତି କଲେ—ପଇସା ତ ଗଲା—ଆଗକୁ କାମ କରିବାକୁ ଆଉ ସୁବିଧା ମିଳିବନ—କୋଉ ରେଜା ନା କୁଲି ଅଭାବ ହୋଇଛନ୍ତି ? ଉପାୟ ନାହିଁ । ସେତେବେଳେ ନୂଆ ରାଜଧାନୀ ନୂଆ ହୋଇ ତିଆରି ହେଉଥାଏ । କାଁ ଭାଁ ଘର ଦ୍ୱାର କେଇଟା—

 

ବୀରବାବୁ ଓ ସୁରବାବୁ ଖଣ୍ଡଗିରି ଆଡ଼େ ବାହାରି ପଡ଼ିଲେ । ଉଭୟେ ଦ୍ରୁତ ଗତିରେ ଯିବାକୁ ଲାଗିଲେ । କାହାରି ମୁହଁରେ କଥା ନାହିଁ । ନିରବରେ ନିଜ ଚିନ୍ତାରେ ବିଭୋର ହୋଇ ପଥ ଅତିକ୍ରମ କରିବାକୁ ଲାଗିଲେ । ସୁରବାବୁଙ୍କ ମନ ଉତ୍ତେଜନାରେ ଭରି ଉଠୁଥାଏ ଯେପରି । ନୂତନ ଅନୁଭୂତି ପାଇଁ ତାଙ୍କ ପ୍ରାଣରେ ସ୍ପନ୍ଦନ ସୃଷ୍ଟି ହେଲା ।

 

ଅନେକ କ୍ଷଣ ନିରବରେ ଅତିବାହିତ ହେବାପରେ ସୁରେନ୍ଦ୍ର ବାବୁ ନିରବତା ଭାଙ୍ଗି କହିଲେ—‘‘ମୋର ଖୁବ୍‌ ବିଶ୍ୱାସ, ଏ ନାରୀ ହରଣ ରହସ୍ୟର ତଦନ୍ତ ପାଇଁ ନଳିନୀବାବୁଙ୍କ ପରିବାର ଶେଷ ଅସ୍ତ୍ର ହେବ—ତାହାହିଁ ଆମର ପ୍ରଧାନ ଘାଟି ହେବ ।’’

 

ବୀରବାବୁ ନିରବରେ ହଁ’ ଟିଏ ମାଇଲେ ।

 

ପଥର ଘର ଦେଖାଗଲା । ମେଘୁଆ ରାତିର ବୁକୁ ଚିରି ଜଗୁଆଳି ବୁଢ଼ା ଘରୁ ମିଞ୍ଜି ମିଞ୍ଜି ହୋଇ ଆଲୁଅ ଦିଶିଲା । ମନର ଉଦବେଗ ଦମନ କରି ଉଭୟେ ଖଣ୍ଡଗିରି ପାହାଡ଼ ପାଖରେ ପହଞ୍ଚିଲେ । ଏଥର ଦିଗ ଠିକ୍‌ କରି ଜଙ୍ଗଲ ଉପରକୁ ଯିବାକୁ କୌଣସି ଅସୁବିଧା ହେଲାନି । ସେ ବୀରବାବୁଙ୍କ ହାତ ଧରି ସାବଧାନ ଓ ନିରବରେ ଯିବାକୁ କହି ଅତି ସତର୍କ ଭାବରେ ଚାରିଆଡ଼କୁ ଚାହିଁ ଜଙ୍ଗଲ ଭିତରକୁ ପଶିଲେ । ଏ ଭୀଷଣ ଅନ୍ଧାରରେ ଜଙ୍ଗଲର ରୂପ ଆହୁରି ଭୀଷଣ ଦେଖାଯାଉଥାଏ । ବୀରବାବୁଙ୍କ ଛାତି ଥରି ଉଠିଲା । ଅଜଣା ବିପଦର ଛାଇ ଯେପରି ତାଙ୍କ ପଛେ ପଛେ ଅନୁସରଣ କରୁଛି । ସେ ଦୃଢ଼ ଭାବରେ ସୁରେନ୍ଦ୍ରବାବୁଙ୍କ ହାତ ଧରି କମ୍ପିତ ପଦରେ ଅନ୍ଧକାରପୂର୍ଣ୍ଣ ଲତା ଗହଳି ଦେଇ ଅଣନିଶ୍ୱାସୀ ହୋଇଯିବାକୁ ଲାଗିଲେ ।

 

Unknown

ଜଙ୍ଗଲ ଅଧାଅଧି ହୋଇଆସିଲାଣି । କାହାର ପାଦଶବ୍ଦ ଶୁଣାଗଲା । ଦୁଇ ବଂଧୁ ଗୋଟିଏ ଗଛତଳେ ଲୁଚିଗଲେ । ପଦଶଦ୍ଦ ନିକଟରୁ ନିକଟତର ହେଲା । ଦେଖିଲେ ଗୋଟାଏ ହାତୀ ଯୂଥ । ମାଈ ଓ ଛୁଆ ହାତୀ ହୋଇ ପ୍ରାୟ ପଚାଶ । ସେମାନଙ୍କ ପଦଶବ୍ଦରେ ଜଙ୍ଗଲ କମ୍ପି ଉଠିଲା । କ୍ରମାଗତ ଏହିପରି ପ୍ରାୟ ଅଧଘଣ୍ଟାଏ ପରେ ସମସ୍ତ ହାତୀ ବଣ ଭିତରେ ଅଦୃଶ୍ୟ ହୋଇଗଲେ । ତା’ପରେ ବୀର ବାବୁ ଓ ସୁରବାବୁ ନିଜ ନିଜର ଲୁଚିବା ସ୍ଥାନରୁ ବାହାରି ପଦାକୁ ଆସିଲେ । ଦେହଗୋଟା ଝାଳରେ ବୁଡ଼ିଯାଇଛି । ସୁରବାବୁ କହିଲେ, ‘‘ବୀର—ସେମାନଙ୍କ ଭିତରୁ କେହି ଯଦି ଆମର ଗନ୍ଧ ପାଇଥାନ୍ତା ନା, ଆମର ଆତ୍ମରକ୍ଷା କରିବା କଷ୍ଟ ହୋଇ ପଡ଼ିଥାନ୍ତା । ସେମାନେ କଣ ଗୁଳି ବା ବାରୁଦ ମାନିଥାନ୍ତେ ?’’

 

‘‘ବଡ଼ ଆଶ୍ଚର୍ଯ୍ୟ ଲାଗେ ଏ ଦସ୍ୟୁମାନଙ୍କର ସାହସ ! କିମିତି ଏମାନେ ଏ ବିପଦପୂର୍ଣ୍ଣ ଜଙ୍ଗଲରେ ନିରାପଦରେ ରହିଛନ୍ତି ?’’

 

‘‘ଆଜି ଚାଲ ଦେଖିବା । ଆଉ ତ ଅଳ୍ପ ବାଟ ।’’

 

ପ୍ରାୟ ଦଶ ମିନିଟ୍‌ ପରେ ଏପରି କିଟିକିଟିଆ ଜଙ୍ଗଲ ମଧ୍ୟ ଦେଇଯିବା ପରେ ଉଭୟେ ଆସି ଗୋଟାଏ ଗଛମୂଳରେ ଛିଡ଼ାହେଲେ । ଗଛ ପଛପଟେ ଗୋଟାଏ ବଡ଼ କଣ୍ଟାବୁଦା । ସେଠାକୁ ଯିବାକୁ ବୀରକୁ ନିର୍ଦ୍ଦେଶ ଦେଇ ନିଜେ ଆଗେ ଆଗେ ଗଲେ । ସେଠାରେ ପହଞ୍ଚି କ୍ଷିପ୍ରହସ୍ତରେ ନିଜର ପୋଷାକ ଓହ୍ଲାଇବାକୁ ଲାଗିଲେ । ଅଳ୍ପ ସମୟ ପରେ ଦୁହିଙ୍କର ଛଦ୍ମବେଶ ସଂପୂର୍ଣ୍ଣ ହେଲା । ଉଭୟେ ଦସ୍ୟୁରୂପରେ ସଜ୍ଜିତ ହେଲେ । ଦୁହେଁ ଦୁହଁଙ୍କୁ ଚିହ୍ନି ପାରିଲେ ନାହିଁ ।

 

ଝିଂକାରୀର ଝାଂ ଝାଂ ଶବ୍ଦରେ ବନଭୂମିର ଅନ୍ଧକାରପୂର୍ଣ୍ଣ ବୁକୁ ଥରିଉଠିଲା । ସୁରେନ୍ଦ୍ରବାବୁ ଚମକି ଉଠିଲେ—ମନରେ ଭୟ ପୁଣି ଉଙ୍କି ମାରିଲା ।

 

ବୀରବାବୁ ଆଡ଼କୁ ଥରେ ଓ ନିଜ ଦେହକୁ ଥରେ ଚାହିଁନେଲେ । କିଛି ଭୁଲ ହୋଇ ନାହିଁ ତ–ପୁଣି ଆଗେଇଲେ ।

 

ଉଭୟେ କ୍ଷିପ୍ରଗତିରେ ଗୁହାଦ୍ୱାରକୁ ଚାଲିଲେ । ଅନ୍ଧକାରରେ ଆତ୍ମଗୋପନ କରି ଦଳର ଆଗନ୍ତୁକକୁ ଅପେକ୍ଷା କରି ରହିଲେ । ଭାବିଲେ, ଆଜି ତାଙ୍କର ଜୀବନ ମରଣ ସମସ୍ୟା । ବୁଦ୍ଧି-ଯୁଦ୍ଧର ପରୀକ୍ଷା ଦିନ । ହଠାତ୍‌ କନ୍ଧରେ କାହାର ହାତର ସ୍ପର୍ଶ ଅନୁଭବ କଲେ । ପିସ୍ତଲକୁ ଦୃଢ଼ ଭାବରେ ଧରି ଚକିତ ଭାବରେ ଫେରି ଗଲେ । ଦେଖିଲେ—ସମ୍ମୁଖରେ ଜଣେ ଲୋକ ତାଙ୍କୁ ଗୁଳିଭରା ପିସ୍ତଲ ଲକ୍ଷ୍ୟ କରି ଅଚଳ ଭାବରେ ଠିଆହୋଇଛି । ଆଖି ଦି’ଟା ଅନ୍ଧାରରେ ଜକ୍‌ ଜକ୍‌ ଦିଶୁଛି । ବେଶ୍‌ ବଳିଷ୍ଠ ସ୍ୱାସ୍ଥ୍ୟବାନ–କଟିଦେଶରେ ଶାଣିତ ଦୀର୍ଘ ଛୁରୀକା । ସୁରବାବୁ ଅନୁମାନ କଲେ—ଆଗନ୍ତୁକ ହିଁ ଦସ୍ୟୁଦଳର ଲୋକ ।

 

ଲୋକଟା କର୍କଶ ସ୍ୱରରେ କହିଲା—‘‘ତୁମ୍ଭେମାନେ କିଏ ? ଶୀଘ୍ର କୁହ—ଏଠାକୁ କାହିଁକି ଆସିଛ ?’’ ସାହସର ଚିହ୍ନ ମୁହଁରେ ଫୁଟାଇ ସୁରେନ୍ଦ୍ରବାବୁ କହିଲେ, ‘‘ମାଲିକିର ହୁକୁମ୍‌ ତାମିଲ କରିବାକୁ ଆସିଛୁ ।’’

 

‘‘କିଏ ସୁବାସ୍‌ ଆଉ ରବିନ୍‌ ।’’

 

‘‘ହଁ ଆମେ ଦୁହେଁ—ସୁରେନ୍ଦ୍ରବାବୁ ମନେ ମନେ ଭାବୁଥାନ୍ତି ଚତୁରୀ ଧରାପଡ଼ିଲା କି ?

 

‘‘ଆଚ୍ଛା ସୁରମା କଥା ?’’

 

‘‘ଦୁର୍ଭାଗ୍ୟକୁ ସୁରେନ୍ଦ୍ର ବାବୁ ଓ ପୋଲିସ ସବୁ ତାଙ୍କ ଘରେ ରହିଛନ୍ତି । ଭାଗ୍ୟକୁ ଆମେ ଦୁହେଁ ବର୍ତ୍ତି ଆସିଲୁ । ମୁଁ ଆଗରୁ ତାଙ୍କ ବୈଠକଖାନାରେ ଲୁଚିଥିଲି । ତା ପରେ ରବିନ୍‌ ପହଞ୍ଚିଲା । ତେବେ ବହୁତ ଚେଷ୍ଟା କଲୁ । ଶେଷରେ ନିରାଶ ହୋଇ ଫେରିଲୁ ।’’ ସୁରେନ୍ଦ୍ର ବାବୁ କହିଲେ ।

 

‘‘ପୋଲିସ—ସୁରେନ୍ଦ୍ର ବାବୁ—ଏମାନେ ସବୁ ଆମର ଶତ୍ରୁ । ତାକୁ ଯେପରି ତାର ସ୍ତ୍ରୀ ସହିତ ତାକୁ ବନଦେବୀଙ୍କ ପାଖରେ ବଳି ଦେବାକୁ ପଡ଼ିବ । ସାହସ ସହିତ କହିଲେ, ‘‘ନିଶ୍ଚୟ—ନିଶ୍ଚୟ—’’

 

ସୁରେନ୍ଦ୍ର ବାବୁଙ୍କ ପ୍ରାଣ କାନ୍ଦି ଉଠିଲା । ତାଙ୍କର ଜନ୍ମ ଏଇ ଯମପୁରୀରେ କି ଯନ୍ତ୍ରଣା ପାଉଥିବ—ତାଙ୍କ ଆଖିଆଗରେ ନାଚି ଉଠିଲା—ସେ ଶୀଘ୍ର କେମିତି ଜିତାକୁ ଦେଖା କରିବେ—ତାଙ୍କ ମନ ଉଚ୍ଛନ୍ନ ହୋଇ ଉଠିଲା । ତେବେ ଚାତୁରୀ ଧରା ପଡ଼ିବା ଭୟରେ କୋହ ଚାପି ରଖିଲେ-। ଦସ୍ୟୁଦଳର ଲୋକଟି ଜଙ୍ଗଲ ଭିତରେ ଅର୍ନ୍ତଧ୍ୟାନ ହୋଇଗଲା । ଦୁଇ ବନ୍ଧୁ ‘କଙ୍କାଳ’ ‘କଙ୍କାଳ’ ଡାକିଲେ । ଦ୍ୱାର ଖୋଲିଗଲା । ସେ ଅନୁମାନ କଲେ ତଳେ ପଥର ପାହାଚ । ଧୀରେ ଧୀରେ ତଳକୁ ଓହ୍ଲାଇବାକୁ ଲାଗିଲେ । ମନେ ମନେ ସୁରବାବୁ ଗଣିଲେ ବାରଟା ପାହାଚ-। ତା’ପରେ ସମତଳ ଭୂଇଁ ପଡ଼ିଲା । ଆଗକୁ ଯିବାକୁ ଲାଗିଲେ । ପବନ ଚଳାଚଳ ଏକବାର ବନ୍ଦ । ଅନୁମାନ କଲେ ସେମାନେ ସୁଡ଼ଙ୍ଗ ଭିତର ଦେଇ ଯାଉଛନ୍ତି । କିଛି ସମୟ ପରେ ଉପରକୁ ଉଠିବାକୁ ଲାଗିଲେ । ଥଣ୍ଡା ପବନ ଦେହରେ ଲାଗିଲା । ସୁଡ଼ଙ୍ଗ ଶେଷ ହେଲା । ନିକଟରେ ଅନେକ ଲୋକଙ୍କର କୋଳାହଳ ଶୁଭିଲା । ସେ ଆଶ୍ଚର୍ଯ୍ୟ ହୋଇ ଚାରିଆଡ଼କୁ ଅନାଇଲେ ।

 

ସମତଳ ପଡ଼ିଆର ଗୋଟାଏ କଡ଼କୁ ଧାଡ଼ି ଧାଡ଼ି କୋଠାଘର । ତା ସାମନାକୁ ସୁରମ୍ୟ ଉଦ୍ୟାନ । ପାଖକୁ ଲାଗି ଖେଳ ପଡ଼ିଆ । ପଡ଼ିଆଟିର ଚାରିଆଡ଼ ତାରବାଡ଼ ଘେରା ହୋଇଛି । ଗୋଟାଏ କଣକୁ ଛୋଟ ଚିଡ଼ିଆଖାନାଟିଏ । ନାନା ଜାତିର ପଶୁପକ୍ଷୀ ପୋଷା ହୋଇ ରହିଛନ୍ତି ।

 

ଆଉ ଗୋଟାଏ ଆଶ୍ଚର୍ଯ୍ୟ କଥା ଦେଖିଲେ ସୁରବାବୁ । ଦଳ ଦଳ ସ୍ତ୍ରୀ ଲୋକ ଆଧୁନିକ ପରିପାଟିରେ ସଜ୍ଜିତ ହୋଇ ବଗିଚାର ଚାରିଆଡ଼େ ମନଖୁସିରେ ବୁଲୁଛନ୍ତି । ସେ ମନେ ମନେ ଚିନ୍ତା କଲେ ଏ ଝିଅଗୁଡ଼ାକ କଣ ଛାଏଁ ଛାଏଁ ଏଠି ଧରା ଦେଇଛନ୍ତି ? ଏମାନେ କଣ ଏଇ ଲଗାମଛଡ଼ା ଜୀବନ ଯାପନ କରିବାକୁ ଭଲ ପାଉଛନ୍ତି ? କି ଚାଲକ ଦସ୍ୟୁ ସର୍ଦ୍ଦାର—କେମିତି ଏମାନଙ୍କୁ ସବୁ ଖୁସି କରି ରଖିଛି ? ବେଶୀ ସମୟ ସେଠାରେ ରହିବାକୁ ସେ ଇଚ୍ଛା କଲେ ନାହିଁ । କୋଠାଘରଗୁଡ଼ିକ ଭିତରେ ପଶି ଦେଖିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ହେଲା । ସେ ଅତି ସତର୍କତା ସହିତ ଗୋଟିଏ ଘରେ ପ୍ରବେଶ କଲେ । ଘରଟାରେ ଖଣ୍ଡା, ଢାଲ ବନ୍ଧୁକ ଇତ୍ୟାଦି ରଖାଯାଇଛି । ଗୋଟାଏ କଣକୁ ସଜା ହୋଇଛି ଦସ୍ୟୁଦଳର ପୋଷାକଗୁଡ଼ାକ । ତା ପାଖ ଘରକୁ ପଶିଲେ । ଦଶ ବାର ପଚାଶ ଜଣ ଲୋକ କେତେଗୁଡ଼ିଏ ଷୋଡ଼ଶୀଙ୍କ ସହିତ ଆଳାପ କରୁଛନ୍ତି । ସମସ୍ତେ ତାଙ୍କ ଆଡ଼କୁ ଦୃଷ୍ଟି ଫେରାଇଲେ । ସେ ମୁହଁ ଫେରାଇ ନେଇ ଅନ୍ୟ ଘରକୁ ପଶିଲେ । ସେ ଘରେ ରହିଛି ବଡ଼ ବଡ଼ ଆଲମୀରା ଭିତରେ ଲକ୍ଷ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକାର ଗହଣା ଓ ପରିଧାନ ସାମଗ୍ରୀ । ସବୁଗୁଡ଼ିକ କାଚ ଆଲମୀରା ଭିତରେ ସଜ୍ଜିତ ହୋଇ ରଖାଯାଇଛି । ସବୁଗୁଡ଼ିକ ବାହାରୁ ଚାବି ପଡ଼ିଥାଏ ଓ ବିଜୁଳି କରେଣ୍ଟରେ ଆବଦ୍ଧ ରହିଥାଏ । ହଠାତ୍‌ ଛୁଇଁଲେ ମୃତ୍ୟୁ ଛଡ଼ା ଅନ୍ୟ କିଛି ଗତି ନାହିଁ । ସେ ଘରକୁ ଲାଗି ଅଳ୍ପ ଭିତରକୁ ଗୋଟିଏ ବଡ଼ ଘର । ସେ ଘରେ ଦୁଇଟା ସାଗୁଆନ ଓ ଟିକ୍‌ କାଠର ପଲଙ୍କ, କେତେଗୁଡ଼ିଏ ଚୌକି ଓ ଟେବୁଲ ସଜାହୋଇ ରଖାହୋଇଛି । ପଲଙ୍କ ପାଖକୁ ଡ୍ରେସିଂ ଟେବୁଲ । କାନ୍ଥଗୁଡ଼ିକ ନାନା ପ୍ରକାର ମିଳନ ଛବିରେ ପୂର୍ଣ୍ଣ ଥାଏ । ଖଟ ଉପରେ ଖଣ୍ଡେ ଦୁଇଖଣ୍ଡ ଶାଢ଼ୀ ଲୋଚାକୋଚା ହୋଇ ପଡ଼ିଛି—କେତୋଟି ଗହଣାର ଭଗ୍ନାଂଶ ଏଣେ ତେଣେ ବିକ୍ଷିପ୍ତ ହୋଇ ପଡ଼ିଛି । ସେ ଅନୁମାନ କଲେ ଏହି ଘରଟି ଦସ୍ୟୁର ଅନ୍ତଃପୁର କିମ୍ବା ରାତ୍ରି ଯାପନ କରିବା କୋଠରୀ ହୋଇପାରେ । ତେବେ ମନେ ମନେ ଦସ୍ୟୁର ବୁଦ୍ଧିକୁ ସେ ଖୁବ୍‌ ପସନ୍ଦ କଲେ । ପ୍ରକୃତ ଏମାନେ ଏକ ପାତାଳପୁର ଏଠାରେ ନିର୍ମାଣ କରିଛନ୍ତି, ଏଥିରେ ତାଙ୍କର ଆଉ ସନ୍ଦେହ ରହିଲାନି । ସେଇ ଘରକୁ ଲାଗି ଆଉ ଗୋଟିଏ ଘର । କବାଟକୁ ଠେଲି ଭିତରେ ପଶିଲେ-। ନାକରେ କେତେ ପ୍ରକାର ଗନ୍ଧ ବାଜିଲା—ଦେଖିଲେ ଗୋଟାଏ କଡ଼କୁ ନାନାପ୍ରକାର ମଦ ଓ ଅନ୍ୟ କଡ଼ରେ ନାନାପ୍ରକାର ଫଳ ସଜା ହୋଇ ରଖାହୋଇଛି । ଏତେଗୁଡ଼ାଏ ବାଟ ଚାଲିଆସିବା ପରେ ଟିକେ ଶ୍ରାନ୍ତ ବୋଧ କରୁଥିଲେ । ସେ ବୀରଙ୍କୁ କେତୋଟି ଫଳ ଖାଇବାକୁ ଦେଇ ନିଜେ ମନଇଚ୍ଛା କେତୋଟି ଫଳ ଖାଇଦେଲେ । ତାଙ୍କର ଦୁର୍ବଳତା ଉଭେଇଗଲା । ସେ ପୁଣି ନିଜ ଉତ୍ସାହରେ ଆଗେଇ ଚାଲିଲେ । କାନରେ ନୂପୁର ଶବ୍ଦ ବାଜିଲା । କେହି ଜଣେ ନାଚ କରୁଥିବାର ଅନୁମାନ କଲେ । ପ୍ରାୟ କୋଡ଼ିଏ ବଖରା ପାର ହେବା ପରେ ସେ ଗୋଟିଏ ଘରେ ଅଟକି ଗଲେ-। ଚାରିଆଡ଼କୁ ଚାହିଁଲେ—ବାଟ ବନ୍ଦ । ଯେଉଁ ବାଟେ ଆସିଥିଲେ ସେଇ ବାଟେ ଫେରିଯିବାକୁ ଚାହିଁଲେ; କିନ୍ତୁ ସେ କବାଟ ଛାଏଁ ବନ୍ଦ ହୋଇଗଲା । ତେବେ ବର୍ତ୍ତମାନ ଉପାୟ କଣ ? ବୀରବାବୁ ସେତେବେଳେ ଭୟରେ ଜଡ଼ସଡ଼ ହୋଇ ଗଲେଣି । ସୁରବାବୁ କାନ୍ଥର ଚାରିଆଡ଼େ କିଛି ଖୋଜିବାକୁ ଲାଗିଲେ । ସେ ଦେଖିଲେ ଘରର ଗୋଟାଏ କଣକୁ କାନ୍ଥରେ ବୋତାମ ପରି କଣ ଗୋଟାଏ ଲାଗିରହିଛି । ସେ ତାହାକୁ ହଲା ହଲି କଲେ—କିନ୍ତୁ ଏ କଣ ହେଲା—ଚାରିଆଡ଼େ ଯେ ଅନ୍ଧାର ହୋଇଗଲା—ତାଙ୍କର ଚତୁରତା ଧରାପଡ଼ିଗଲା—ସେ ନିଶ୍ଚୟ ଦସ୍ୟୁ ହାବୁଡ଼ରେ ପଡ଼ିଲେ--ସେ ବଡ଼ ଭୟବିହ୍ୱଳ ହୋଇ ବୋତାମକୁ ଖୁବ୍‌ ଜୋରରେ ଟାଣି ଦେଲେ । ସଙ୍ଗେ ସଙ୍ଗେ ବିଜୁଳି ବତୀଗୁଡ଼ିକ ଜଳି ଉଠିଲା ଓ ଘରଟିର ବିଶେଷ ପରିବର୍ତ୍ତନ ହୋଇଗଲା । ପୂର୍ବ ଦ୍ଵାର ଖୋଲଯିବା ସଙ୍ଗେ ସଙ୍ଗେ କାନ୍ଥର ଗୋଟାଏ ଅଂଶ ଭିତରକୁ ପଶିଯାଇ ଗୋଟିଏ ଛୋଟ ଦ୍ୱାର ଦେଖାଗଲା-। ସୁରେନ୍ଦ୍ରବାବୁ ଆହୁରି କୌତୂହଳ ହୋଇ ଉଠିଲେ । ବୀରକିଶୋରକୁ ସେ ଘରୁ ବାହାରେ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଲେ । ନିଜେ ସେ ଦ୍ୱାରମୁହଁକୁ ଯାଇ ଭିତରକୁ ଅନାଇଲେ । କିଛି ଦେଖାଗଲା ନାହିଁ । ଭିତରଟା ନିଘୋଡ଼ ଅନ୍ଧାର । ସେ ପକେଟରୁ ଟର୍ଚ୍ଚ କାଢ଼ି ଦେଖିଲେ-। ତାହା ଗୋଟାଏ ସୁଡ଼ଙ୍ଗ ବୋଲି ମନେହେଲା । କେଜାଣି ଯେ ସେ କେତେ ବାଟ ଯାଇଛି ତାହା ସେ କଳନା କରିପାରିଲେ ନାହିଁ । ତେବେ ସେ ସାହସ ବାନ୍ଧି ସୁଡ଼ଙ୍ଗ ପାହାଚରେ ଗୋଡ଼ ପକାଇଲେ-। ଗୋଟିକ ପରେ ଗୋଟିଏ ଆଠଟି ପାହାଚ ଯିବାପରେ ସୁଡ଼ଙ୍ଗ ଦ୍ଵାରଟି ଛାଏଁ ଛାଏଁ ବନ୍ଦ ହୋଇଗଲା-। ସେ ଟର୍ଚ୍ଚ ସାହାଯ୍ୟରେ ଆଗକୁ ଆଗକୁ ଚାଲିଲେ ।

 

କିଛିଦୂର ଯିବାପରେ ଗୋଟିଏ କୋଠରୀ ପଡ଼ିଲା । ଦିନରେ ଆଲୋକ ନ ଜାଳିଲେ ଘରର କୌଣସି ଜିନିଷ ଦେଖାଯାଏ ନାହିଁ । ଆସ୍ତେ ଆସ୍ତେ ଘର ଭିତରକୁ ପଶିଲେ । ହଠାତ୍‌ ତାଙ୍କ ଆଖିରେ ଆଲୋକ ପଡ଼ିଲା । ସେ ସେଠାରେ ଲୁଚି ରହିଲେ । ଦୁଇଜଣ ଲୋକ ଖଣ୍ଡେ କାଗଜ ଧରି ନଳିନୀବାବୁଙ୍କୁ ଧମକ୍‌ ଦେଉଛନ୍ତି । ସେ ଆନନ୍ଦିତ ହୋଇ ଉଠିଲେ । ମନେ ମନେ ଭାବିଲେ ଦସ୍ୟୁର ଚାଲାକି ତ କମ୍‌ ନୁହେଁ ? ମୋର ଚାକରକୁ ହତ୍ୟା କରି ନଳିନୀବାବୁଙ୍କର ମୃତ୍ୟୁ ହୋଇଛି ବୋଲି ପ୍ରମାଣିତ କରିବା କମ୍‌ ବାହାଦୁର କଥା ନୁହେଁ । ଗୁରୁଗମ୍ଭୀର ସ୍ଵର ଶୁଣି ଚମକି ପଡ଼ିଲେ । ଏ କଣ ! ଦସ୍ୟୁମାନେ ଖଣ୍ଡେ ‘ଉଇଲ’ ଧରି ଦସ୍ତଖତ୍‌ କରିବାକୁ ଧମକାଉଛନ୍ତି । ନଳିନୀବାବୁ କ୍ଷୀଣ ସ୍ୱରରେ ଉତ୍ତର ଦେଲେ—ମୁଁ ମରି ସାରିଛି । ମରିବାକୁ ମୋର ଆଉ ଭୟ ନାହିଁ—ତା’ପରେ ସେ ଅଜ୍ଞାନ ହୋଇ ପଡ଼ିରହିଲେ । ସୁରେନ୍ଦ୍ରବାବୁଙ୍କ ମନ ବିଦ୍ୱେଷରେ ଭରିଉଠିଲା । କିନ୍ତୁ ଉପାୟହୀନ ହୋଇ କର୍ତ୍ତବ୍ୟଚ୍ୟୁତ ହେବାକୁ ପଡ଼ିଲା । ତା’ପରେ ଦୁଇଜଣ ଦସ୍ୟୁ ଉଠି ଚାଲିଗଲେ ।

 

ସୁରେନ୍ଦ୍ରବାବୁଙ୍କ ପ୍ରଧାନ ଚିନ୍ତା ହେଲା । ଗୁପ୍ତ ସୁଡ଼ଙ୍ଗ, ଆଉ ଅଛି କି ନାହିଁ—ଆଉ ଆଜି ରାତାରାତି ଦସ୍ୟୁପୁରର ସମସ୍ତ ଅନ୍ଦି କନ୍ଦି ଦେଖି ପୁଣି କେମିତି ଚାଲିଯିବେ । ସେ କୌଣସି ଶବ୍ଦ ନ କରି ଧୀରେ ଧୀରେ ପୂର୍ବ ଦିଗର ସୁଡ଼ଙ୍ଗ ଆଡ଼କୁ ଯିବାପାଇଁ ଲାଗିଲେ । ସେ ଯିବାକୁ ବାହାରିଛନ୍ତି–ଦେଖିଲେ କିଏ ଜଣେ ଦ୍ରୂତ ବେଗରେ ସେଇ ଆଡ଼କୁ ଆସୁଛି । ସେ ଲୋକଟି ସେଇ ବାଟ ଦେଇ ଆଗକୁ ଚାଲିଲା । ସୁରବାବୁ ମନେ ମନେ କଣ ଭାବି ତାକୁ ଅନୁସରଣ କଲେ । ପ୍ରାଣପଣେ ଚେଷ୍ଟା କରି ଦସ୍ୟୁର ପାଖକୁ ଯାଇ ପିସ୍ତଲରେ ପଛ ପଟୁ ତା ମୁଣ୍ଡରେ ଆଘାତ କଲେ । ଲୋକଟି ଅବ୍ୟକ୍ତ ଚିତ୍କାର କରି ତଳେ ପଡ଼ିଗଲା । ସେ ସଙ୍ଗେ ସଙ୍ଗେ ତା ପକେଟ ଅଣ୍ଡାଳି ପକାଇଲେ-। ତା ପକେଟରୁ ଗୋଟିଏ ଛୋଟ ଚାବିଛଡ଼ା କିଛି ମିଳିଲାନି । ସେଇଟାକୁ ଯତ୍ନର ସହିତ ନିଜ ପକେଟରେ ରଖିଲେ । ପକେଟରୁ ଦଉଡ଼ିଟିଏ ବାହାର କରି ତା ହାତ ଗୋଡ଼ ଦୃଢ଼ରୂପେ ବାନ୍ଧି ପକାଇଲେ-। ତା’ପରେ ଅତି ସାବଧାନରେ ଯିବାକୁ ଲାଗିଲେ ।

 

ଆଗକୁ ଅନ୍ଧାର, ପଛକୁ ବି ଅନ୍ଧାର । ଛୋଟ ସୁଡ଼ଙ୍ଗ ଭିତରେ ତାଙ୍କର ନିଶ୍ୱାସ ବନ୍ଦ ହୋଇଯିବାପରି ଲାଗୁଥାଏ । ଦେହରୁ ଝାଳ ଗମ୍‌ ଗମ୍‌ ବୋହିଯାଉଥାଏ । ତଥାପି ସେ ଆଗେଇ ଚାଲିଥାନ୍ତି ।

 

ପକେଟରୁ ଗୁପ୍ତ ଲଣ୍ଠନ ବାହାର କରି ଆଲୋକ ତଳେ ପକେଇଲେ । କିଛି କ୍ଷଣ ସତର୍କ ଭାବରେ ପରୀକ୍ଷା କରିବା ପରେ ହଠାତ୍‌ କଣ ଦେଖି ତାଙ୍କ ମନ ଆନନ୍ଦରେ ନାଚି ଉଠିଲା । ସେ ସ୍ପଷ୍ଟ ଦେଖିଲେ ଆଗରେ କେତେଗୁଡ଼ିଏ ପଦଚିହ୍ନ । ସେଗୁଡ଼ିକୁ ଲକ୍ଷ୍ୟ କରି ଆଗକୁ ଯିବାକୁ ଲାଗିଲେ । କିଛି ବାଟ ଆସି ସେ ଆଉ ପଦଚିହ୍ନ ଦେଖିପାରିଲେ ନାହିଁ । ଲକ୍ଷ୍ୟ କଲେ ପଦଚିହ୍ନଗୁଡ଼ିକ ସେଇ ଜାଗାରେ ଶେଷ ହୋଇଯାଇଛି । ତା ହେଲେ କଣ ପୁଣି ଗୃପ୍ତ ସୁଡ଼ଙ୍ଗ ଏଇଠି ଆରମ୍ଭ ହୋଇଛି । କିନ୍ତୁ ଅନେକ ଚେଷ୍ଟା କରି କିଛି ଚିହ୍ନ ଗନ୍ଧ ପାଇଲେ ନାହିଁ । ମନେପଡ଼ିଲା ସଙ୍କେତ ଶବ୍ଦ । —ସେ ମନରେ ସାହସ ବାନ୍ଧି କହିଲେ—କଙ୍କାଳ । ହଠାତ୍‌ ଗୋଟାଏ କି ଶବ୍ଦ ହେଲା । ସେ ଚକିତ ହୋଇ ଚାହିଁଲେ । ଶବ୍ଦଟା କଣ ସେ କିଛି ଠିକ୍‌ କରିପାରିଲେ ନାହିଁ । ନିଶ୍ଚୟ-ଭରା ଦୃଷ୍ଟିରେ ଚାହିଁଲେ ।

 

ତାଙ୍କ ଆଗରେ ଏ କଣ ? ସେ ବିସ୍ମୟ ବିହ୍ୱଳ ହୋଇ ଦେଖିଲେ ଗୋଟାଏ ଢାଙ୍କୁଣି ଉପରକୁ ଉଠୁଛି । ତଳେ ଗୁପ୍ତ ସୁଡଙ୍ଗ । ତାଙ୍କର ଲୋମ ଟାଙ୍କୁରି ଉଠିଲା । ତେବେ ଏ ହେଉଛି ଦ୍ୱିତୀୟ ଦସ୍ୟୁପୁରୀ ?

 

ସେ ଡେରି ନ କରି ସୁଡ଼ଙ୍ଗ ଦ୍ୱାରକୁ ଗଲେ । ତଳେ ପାହାଚ । ସେ ଓହ୍ଲାଇବାକୁ ଲାଗିଲେ । ତଳକୁ ଆସି ଦେଖିଲେ ଦୁଇ କଡ଼ରେ ଦୁଇଟା ଭୀଷଣ ଆକୃତିର ଲୋକ ସୁଡ଼ଙ୍ଗ ଦ୍ୱାର ବନ୍ଦ କରିବାକୁ ଅପେକ୍ଷା କରିଛନ୍ତି । ସେ ଆଗକୁ ଯିବାକୁ ଲାଗିଲେ । ତାଙ୍କ ଯିବା ପରେ ପରେ ସୁଡ଼ଙ୍ଗ ମୁହଁ ବନ୍ଦ ହେଲା ।

 

କିଛି ବାଟ ଯିବାପରେ ତାଙ୍କ ନାକରେ ବିଭିନ୍ନ ପ୍ରକାରର ଗନ୍ଧ ବାଜିଲା । ସେ ଗନ୍ଧ ବାରି ଗୋଟିଏ ଦୁଆର ନିକଟରେ ପହଞ୍ଚିଲେ । ଘରଟି ଭିତରପଟୁ ବନ୍ଦ—ଭିତରେ ବିଜୁଳି ଆଲୋକ ଜଳୁଛି । କେତୋଟି ସ୍ତ୍ରୀ ଲୋକ କଣ ପରୀକ୍ଷା କରୁଛନ୍ତି । ସେ ଅନୁସଂଧାନ କରି ଜାଣିଲେ ଏହା ଦସ୍ୟୁଦଳର ଲେବରେଟରି । ଏଠାରେ ବିଭିନ୍ନ ପ୍ରକାର ଔଷଧ ତିଆରି ହେବା ଛଡ଼ା ନାନା ପ୍ରକାର ବିଷାକ୍ତ ଦ୍ରବ୍ୟ ମଧ୍ୟ ପ୍ରସ୍ତୁତ ହୁଏ । ବଡ଼ ଆଶ୍ଚର୍ଯ୍ୟ କଥା ଏ ସବୁରେ ଦାୟିତ୍ୱରେ ଅଛନ୍ତି ନାରୀ । ଏଇଟା ଦ୍ୱିତୀୟ ପ୍ରମିଳାପୁର ନୁହେଁ ତ ?

 

ଗୋଟିଏ ତରୁଣୀ ଅନ୍ୟକୁ କହୁଛି—‘‘ଆଜି ମୁଁ ପୁରସ୍କୃତ ହୋଇଅଛି ଏଇ ଔଷଧଟି ତିଆରି କରି । ଏହା ଏତେ ଉତ୍କଟ ଓ ମାରାତ୍ମକ ଯେ ଦେହରେ ସାମାନ୍ୟ ଫୋଡ଼ି ଏଥିରୁ ଟୋପାଏ ମାତ୍ର ଲଗାଇ ଦେଲେ ପ୍ରା ଣୀସଙ୍ଗେ ସଙ୍ଗେ ମରି ଶୋଇବ— । ଏଥିପାଇଁ ସର୍ଦ୍ଦାର ଭାରି ଖୁସି ହୋଇଛନ୍ତି ମୋ ଉପରେ, ଜାଣିଲୁ ।’’

 

ସୁରବାବୁ ଦସ୍ୟୁର ବୁଦ୍ଧିକୁ ପ୍ରଶଂସା ନ କରି ରହିପାରିଲେ ନାହିଁ । ଏ ଦସ୍ୟୁ ଦଳ ଯେ ଗାଁର ମୂର୍ଖ ଆଳୁ କିମ୍ୱା କଦଳୀ ଚୋର ନୁହନ୍ତି—ତାଙ୍କର ଏ ଧାରଣା ସ୍ପଷ୍ଟ ହେଲା । ସେ ପୁଣି ଆଗେଇଲେ । ଏଠାରେ ଗୋଟାଏ କାରଖାନା । ଏଥିରେ ସବୁ ମାରଣାସ୍ତ୍ର ତିଆରି ହେଉଛି । ପାଖକୁ ଲାଗି Power House । ଦସ୍ୟୁପୁରୀକୁ Energy ଯୋଗାଉଛି । ପୁଣି କିଛି ବାଟ ଆଗେଇଲେ ।

 

ଅନ୍ୟ ଗୋଟିଏ ଘର ଦୁଆର ମୁହଁରେ ପହଞ୍ଚିଲେ । ପାଖ ଘରୁ ନିଶ୍ୱାସ ମାରିବା ଶବ୍ଦ ଶୁଣାଗଲା । ଚାହିଁ ଦେଖିଲେ ଦଶ ବାର ଜଣ ଦସ୍ୟୁ ସେ ଘରେ ଶୋଇଛନ୍ତି ଓ ସେ ଘରେ ନାନା ପ୍ରକାର ଅସ୍ତ୍ର ଶସ୍ତ୍ର ଟଙ୍ଗା ହୋଇଛି । ସେ ସଙ୍ଗେ ସଙ୍ଗେ କବାଟ ଆଉଯାଇ ତାଲା ପକାଇ ଚାବିକାଠିକୁ ପକେଟରେ ରଖିଲେ । ଏଇ ଗୁମ୍ଫାଟି ଆହୁରି କେତେବାଟ ଅଛି ଜାଣିବାକୁ ଉଦବେଗ ହୋଇ ଉଠିଲେ । ସେ ଚାରିଆଡ଼କୁ ସତର୍କ ଦୃଷ୍ଟି ପକାଇ ସୁଡ଼ଙ୍ଗ ଭିତରେ ପୁଣି ଆଗେଇ ଚାଲିଲେ-

 

ନିଘୋଡ଼ ଅନ୍ଧାର—କିଛି ଦେଖାଯାଉ ନାହିଁ । ସେ ପକେଟରୁ ଗୁଣ୍ଡ ଲଣ୍ଠନ ବାହାର କରି ସାବଧାନରେ ଯିବାକୁ ଲାଗିଲେ । କିଛି ବାଟ ଆସି ଦେଖିଲେ ଆଗରେ ବାଟ ବନ୍ଦ । ଯିବାର ଉପାୟ ନାହିଁ । ସେ କବାଟ ଠେଲି ଦେଖିଲେ ଆଉଜା ହୋଇଛି । ସତର୍କ ଭାବରେ ଭିତରକୁ ଗଲେ-। ଦେଖିଲେ ଘର ଭିତରେ ଗୋଟାଏ କଡ଼ରେ ଖଟଟିଏ ପଡ଼ିଛି—ପାଖରେ ଆଇନା ଲଗା ଗୋଟାଏ ଟେବୁଲ । ସେ ଟେବୁଲ ପାଖକୁ ଆସିଲେ । ଦରଜା ଖୋଲିବାକୁ ବାହାରିଛନ୍ତି ଟେବୁଲ ଉପରେ କଣ ଗୁଡ଼ାଏ ଲେଖା ହୋଇଥିବାର ଅନୁମାନ କଲେ । ନିରୀକ୍ଷଣ କରି ଦେଖିଲେ, କେତେଗୁଡ଼ିଏ ଚିଠି । ସେଥି ଭିତରେ ଖାନ୍‌ତାଲାସ କରି ଅନେକଗୁଡ଼ିଏ ଚିଠି ପାଇଲେ-। ଦେଖିଲେ ପ୍ରତ୍ୟେକ କାଗଜରେ କଣଗୁଡ଼ାଏ ଲେଖାହୋଇଛି । ତାଙ୍କର କୌତୂହଳ ବଢ଼ିଲା—ସେ ଟର୍ଚ୍ଚ ଆଲୁଅରେ ସେଗୁଡ଼ିକୁ ଦେଖିବାକୁ ଲାଗିଲେ ।

 

ସେ ଚିଠିଗୁଡ଼ିକ ପଢ଼ି ତାଙ୍କ ଲୋମ ଟାଙ୍କୁରି ଉଠିଲା । ଏ କଣ ଲେଖା ହୋଇଛି ? ସେ ନିଶ୍ୱାସ ବନ୍ଦକରି ବିସ୍ମୟଭରା ଦୃଷ୍ଟିରେ ପଢ଼ିଲେ । ଖଣ୍ଡେ କାଗଜରେ ଲେଖାଅଛି—ଏଥର ଶିକାର ସୁକାନ୍ତବାବୁ ଓ ସୁରମା । ସୁରମା ସହଜରେ ଜାଲରେ ପଡ଼ିବ । ତା ପାଇଁ ଚିନ୍ତା ନାହିଁ । ତା ଉପରେ ଅନେକ ଦିନୁ ମୋର ନଜର ଅଛି । ଏପରି ରତ୍ନ ପାଇଲେ ମୁଁ ନିଜକୁ ଭାଗ୍ୟବାନ୍‌ ମନେକରିବି । ସୁକାନ୍ତବାବୁଙ୍କ ଭାର ତମ ଉପରେ । ସୁରେନ୍ଦ୍ର ଦୁଇ ତିନିଥର ଜଙ୍ଗଲକୁ ଆସିଲାଣି । ତାକୁ ଜାଲରେ ପକାଇବା ଚେଷ୍ଟାରେ ଅଛି । ସେଇଟା ନିହାତି ବୋକା ଜାନଓ୍ୟାର । ତା’ର ଆଗରେ ମୁଁ ବୁଲୁଛ—ଅନ୍ଧପରି ମତେ ଚାହୁଁଛି । ଚିରଦିନ ସେ ଏମିତି ଅନ୍ଧାରର ଗୋଲକଧନ୍ଦାରେ ଘାଣ୍ଟି ହେଉଥିବ । ମୁଁ ମନଭରି ରୂପସୁରା ପିଇ ଆକାଶ କମ୍ଫାଇ ହସିଉଠି ତା କାନ ବଧିରା କରୁଥିବି । ସେ ଚାହିଁଥିବ ଜଳକା ପରି—

 

ବିରେନ କିଏ—କାହା ପାଖକୁ ଚିଠିଟି ଲେଖାଯାଇଛି । ସେ କିଛି ବୁଝିପାରିଲେ ନାହିଁ । ପତ୍ରଟି ପଢ଼ିସାରି ମନେ ମନେ ଶିହରି ଉଠିଲେ । ଓଃ କି ଭୀଷଣ ଚକ୍ରାନ୍ତ । ରୂପନିଶାରେ ମଣିଷ ଏତେ ତଳକୁ ଯାଇପାରେ ବୋଲି ତାଙ୍କର ଧାରଣା ନଥିଲା । ଭାବିଲେ ପୁରାଣବର୍ଣ୍ଣିତ ନରକ କୀଟ ଯଦି କେହି ଥାଏ—ତେବେ ଏଇ ଦୁଇ କଣ ତା’ର ଜ୍ୱଳନ୍ତ ଉଦାହରଣ । ଏ ଦୁଇଜଣ କିଏ ? ମୋ ଆଗରେ ସ୍ୱଚ୍ଛନ୍ଦରେ ବୁଲୁଛନ୍ତି, ଅଥଚ ମୁଁ ଜାଣିପାରୁ ନାହିଁ । ତେବେ କିଏ ଏ ବ୍ୟକ୍ତି ?

 

ସେ ଆଉ ଖଣ୍ଡେ କାଗଜ ବାହାର କରି ପଢ଼ିଲେ । ଲେଖା ଅଛି—ମୁଁ ଜିତାକୁ ଆଗରୁ ଭଲ ପାଉଥିଲି । କିନ୍ତୁ ସେ ତାର ପ୍ରତି ଦାନରେ ମତେ ଅପମାନିତ କରିଥିଲା । ତୁମର ବାପା ମା’ଙ୍କର ଇଚ୍ଛା ଥିଲା ମୋ ସହିତ ବିବାହ ଦେବାକୁ । କିନ୍ତୁ ତାହା ହେଇପାରିଲା ନାହିଁ । ଜିତାର ପିତା ଇତ୍ୟବଶରେ ମରିଗଲେ । ସେ ନିଜେ ମଧ୍ୟ ସ୍ପଷ୍ଟ ମନା କରିଦେଲା—ସୁରେନ୍ଦ୍ର ସହିତ ତାର ବିବାହ ହୋଇଗଲା । ପ୍ରତିଶୋଧ ନେବାପାଇଁ ମନ ମୋର ବିଷେଇ ଉଠିଥିଲା । ସେ ସମୟ ବର୍ତ୍ତମାନ ଆସିଛି । ଭୟ ଦେଖାଇ ତା’ଠାରୁ ପ୍ରେମ ଆଦାୟ କଲ କି ?

 

ଏ କି ରହସ୍ୟ ? ଚିଠି ପଢ଼ି ତାଙ୍କ ମୁଣ୍ଡ ଘୂରିଗଲା । ତାଙ୍କ ଆଖି ଆଗରେ ଯେଉଁ ଅନ୍ଧାର ଅନେକଦିନୁ ଜମାଟ ବାନ୍ଧିଥିଲା, ତାହା ହଠାତ୍ ମିଳେଇଗଲା । ଆକାଶର ଆଲୁଅରେ ସେ ପରିଷ୍କାର ସବୁ ଦେଖିପାରିଲେ । ଯେଉଁ ଗୁପ୍ତ ରହସ୍ୟ ଯୋଗୁ ଏତେଗୁଡ଼ିଏ ଅବଳା ନିରାଶ୍ରୟ ଭାବରେ ଜାଣିଶୁଣି ରୂପ ବ୍ୟବସାୟୀର ସ୍ୱାର୍ଥଯଜ୍ଞରେ ଝାସ ଦେଉଥିଲେ, ଏତେଦିନେ ସେ ରହସ୍ୟ ଭେଦ ହେଲା ।

 

ସେ ସାବଧାନରେ କାଗଜଗୁଡ଼ିକ ପକେଟରେ ରଖିଲେ । ହଠାତ୍‌ ତାଙ୍କର ଦୃଷ୍ଟି ଆଇନା ଉପରେ ପଡ଼ିଲା । ସେ ଚମକି ପଡ଼ିଲେ । କାହାର ମୂର୍ତ୍ତି ? ଏ ଯେ ବିଜୟକିଶୋର । ସେ ଏଠାକୁ ଆସିଲା କିପରି ?

 

ଅନ୍ୟ କିଛି ପାଇବା ଆଶାରେ ସେ ଟେବୁଲ ଆରପାଖକୁ ଗଲେ । ଆଇନା ପଛପଟେ ସେ ଲାଇଟ ପକାଇ ଚମକି ପଡ଼ିଲେ । ଏ କଣ ? ଏ ଯେ ଗୁପ୍ତ କୋଠରୀକୁ ଯିବାର ଦ୍ୱାର । ସେ ଟେବୁଲ ଘୁଞ୍ଚାଇ ଦେଇ ଗୁପ୍ତ କୋଠରୀର କବାଟ ଫିଟାଇ ଭିତରକୁ ଗଲେ । ଆଲୁଅରେ ଦେଖିଲେ ତଳେ ରକ୍ତଚିହ୍ନ ଘରର ପଶ୍ଚିମ ଦିଗକୁ ଲମ୍ୱିଯାଇ କାନ୍ଥ ପାଖରେ ବନ୍ଦ ହୋଇଛି । ରକ୍ତଚିହ୍ନ ଆସିଲା କୁଆଡ଼ୁ ? ପୁଣି ଏଇ ଚିହ୍ନ କାନ୍ଥ ନିକଟରେ କାହିଁକି ବନ୍ଦ ହୋଇଛି । ତାଙ୍କ ମନରେ ସନ୍ଦେହ ହେଲା-। ଭାବିଲେ—ନିଶ୍ଚୟ ଏଘର ଭିତରେ କେଉଁଠି ଗୁପ୍ତ ସୁଡ଼ଙ୍ଗ ଅଛି । ରକ୍ତଦାଗ ସେହି ସୁଡ଼ଙ୍ଗ ଆଡ଼କୁ ଯାଇଛି ବୋଧହୁଏ । ସେ ଟର୍ଚ୍ଚ ଆଲୁଅରେ ତୀକ୍ଷ୍‌ଣ ଦୃଷ୍ଟିରେ କାନ୍ଥକୁ ପରୀକ୍ଷା କଲେ । ଦେଖିଲେ କାନ୍ଥରେ ଗୋଟାଏ ସ୍ଥାନ ଅଛି ଅନ୍ୟ ସ୍ଥାନ ଅପେକ୍ଷା ମଳିନ ଦିଶୁଛି । ହାତ ଦେଇ ଦେଖିଲେ, ବୋତାମ ପରି କ’ଣ ଗୋଣ ଗୋଟାଏ । ତାଙ୍କ ମନରେ ଆଶାର ଢେଉ ଖେଳିଗଲା । ସେ ତାହାକୁ ଖୁବ୍‍ ଜୋରରେ ଚାପିଲେ । ହଠାତ୍‌ ଗୋଟାଏ ଶବ୍ଦ ହେଲା । କାନ୍ଥ ଦେହରୁ ଖଣ୍ଡେ ପଥର ତଳକୁ ଖସିପଡ଼ିଲା । ଗୁପ୍ତ ସୁଡ଼ଙ୍ଗ ଭିତରକୁ ପାହାଚ ଲମ୍ୱିଯାଇଛି । ସେ କମ୍ଫିତ ପଦରେ ତଳକୁ ଓହ୍ଲାଇବାକୁ ଲାଗିଲେ ।

 

ହଠାତ୍‌ ଗୋଟାଏ ପଚା ଦୁର୍ଗନ୍ଧରେ ଅସ୍ଥିର ହୋଇ ଉଠିଲେ । ମୁହଁରେ ରୁମାଲ ଦେଇ ଟର୍ଚ୍ଚ ଆଲୁଅ ସାହାଯ୍ୟରେ ସେ ଶେଷରେ ଗୋଟାଏ ଘରେ ପହଞ୍ଚିଲେ । ପଚାଗନ୍ଧରୁ ଅନୁମାନ କଲେ ନିଶ୍ଚୟ ଘରେ କେଉଁଠି ପଚା ଶବ ଅଛି ।

 

ସେ ଘର ଚାରିଆଡ଼େ ଆଲୁଅ ପକାଇ ଯାହା ଦେଖିଲେ ତହିଁରେ ତାଙ୍କର ରକ୍ତ ପାଣି ହୋଇଗଲା । ସେ ଭୟଜଡ଼ିତ ଦୃଷ୍ଟିରେ ଦେଖିଲେ, ଘରର ଚାରିଆଡ଼େ ଅସଂଖ୍ୟ ନରକଙ୍କଳ, ଅସ୍ଥି, ମୁଣ୍ଡ । କି ବିଭତ୍ସ ପୌଶାଚୀକ ଲୀଳା ! ଏସବୁ ଦେଖି ବୁଝିପାରିଲେ, ଦସ୍ୟୁମାନଙ୍କର ହତ୍ୟା କୋଠରୀ ଏହି ଗୋଟକ ।

 

ଭାବିଲେ ଏଇ ପଚା ଦୁର୍ଗନ୍ଧ କେଉଁଠୁ ଆସୁଛି । ଅନୁସନ୍ଧାନ କରି ଦେଖିଲେ, ଘରର ଗୋଟାଏ କଣରେ ଜଣେ ସ୍ତ୍ରୀ ଲୋକର ଶବ ପଡ଼ିଛି । ସେ ତା ମୁଁହରେ ଆଲୁଅ ପକାଇଲେ । ରମଣୀଟି ଯେ ଖୁବ୍‌ସୁନ୍ଦରୀ ଥିଲା ତା ମୁହଁ ଦେଖି ବୁଝିପାରିଲେ । ବୟସ ଅନୁମାନ କଲେ କୋଡ଼ିଏ କିମ୍ୱା ଏକୋଇଶ ହେବ । ସେ ମନେ ମନେ ଭାବିଲେ ଦସ୍ୟୁପୁରରେ ଯେଉଁଠି ଷୋଡ଼ଶୀ ସୁନ୍ଦରୀ ହସଖୁସିରେ ମଜଗୁଲ ହୋଇ ମୁକ୍ତ ଆକାଶର ବିହଙ୍ଗମ ପରି ଖେଳି ବୁଲୁଛନ୍ତି, ସେଇଠି ପୁଣି ସେଇ ସୁନ୍ଦରୀ ରମଣୀର ଏ ବିଭତ୍ସ ପରିଣତି ! ଏହାର କାରଣ ଆଉ କଣ ହୋଇପାରେ ? ଦସ୍ୟୁଦଳ କଣ ଏହାକୁ ଆଣିଥିଲା ହତ୍ୟାକରି ତାର ଜୀବନର ସବୁ ହସଖୁସି ଚିରଦିନ ପାଇଁ ଶେଷ କରିଦେବାକୁ ? ତାଙ୍କ ଆଖି ଆଗରେ ନାଚିଗଲା ଦସ୍ୟୁପୁରୀ ପାର୍କରେ ଷୋଡ଼ଶୀଗଣର ହର୍ଷୋତ୍‌ଫୁଲ୍ଲିତ ମୁଖ ଆଉ ଏଇ ଷୋଡ଼ଶୀ ମରଣ ସାଙ୍ଗ କରିଥିବା ରମଣୀର ମୁଖମଣ୍ଡଳ । ନାକରେ ଏତେ ପଚାଗନ୍ଧ ବାଜିଲା ଯେ ସେଠାରେ ଆଉ ବେଶି ସମୟ ରହିପାରିଲେ ନାହିଁ । ତାଙ୍କ ମନ ଦୁଃଖରେ ଭରି ଉଠିଲା । ସେ ଗୁପ୍ତ-କୋଠରୀରୁ ଉତ୍ତେଜନାରେ ଫେରିଆସିଲେ ।

 

ଦସ୍ୟୁଦଳରେ କୌଣସି ଚିହ୍ନ ନାହିଁ । ସେ ଆଗେଇ ଚାଲିଲେ । ସେ ଦେଖି ପାରିଲେ ଗୋଟାଏ ଘରେ ମିଞ୍ଜି ମିଞ୍ଜି ହୋଇ ଦୀପଟିଏ ଜଳୁଛି । ଜଣେ ରମଣୀ ଉପରେ ଶୋଇ ରହିଛି । ସେ ସେଘରକୁ ପଶିଗଲେ । ସୁରେନ୍ଦ୍ରବାବୁଙ୍କୁ ଦେଖି ରମଣିଟି ଭୟରେ ଚିତ୍କାର କରି ଉଠିଲା । ସେ ବିସ୍ମିତ ହେଲେ ଓ ଧୀର ଗଳାରେ କହିଲେ ଭୟ କାହିଁକି କରୁଛ ଜିତା ? ମୁଁ ହେଉଛି ତମର ସେଇ ହତଭାଗା ସୁରେନ୍ଦ୍ର, ଶୀଘ୍ର ମୋ ସାଙ୍ଗରେ ଚାଲିଆସ ।

 

ଜିତା ଘୃଣାରେ କହିଲା—ପୁଣି ପ୍ରତାରଣା । ଉଦ୍ଧାର କରିବାକୁ ଆସିଛୁ ନା ଅତ୍ୟାଚାର କରିବାକୁ ?

 

ବର୍ତ୍ତମାନ ସୁରେନ୍ଦ୍ରବାବୁ ବୁଝିଲେ, ତାଙ୍କ ଦେହରେ ଦସ୍ୟୁର ପୋଷାକ ଦେଖି ଜିତାର ସନ୍ଦେହ ହୋଇଛି । ସେ ଅଶ୍ରୁ ବିଗଳିତ ନେତ୍ରରେ କହିଲେ, ‘‘ଦସ୍ୟୁବେଶରେ ତୁମକୁ ନେବାପାଇଁ ସୁବିଧା ହେବ ବୋଲି ଏ ବେଶ ଧରିଛି । ମୋ ଉପରେ ବିଶ୍ୱାସ କର । ଶୀଘ୍ର ଚାଲିଆସ—କଥା କହିବାକୁ ଆଉ ସମୟ ନାହିଁ ।’’ ଜିତା ସୁରେନ୍ଦ୍ରବାବୁଙ୍କ ପ୍ରଣାମ କରି କହିଲା, ‘‘ଆପଣଙ୍କ ସହିତ ଜୀବନରେ ଆଉ ଦେଖା ହେବ, ମୁଁ ଏ କଥା କଳ୍ପନା କରି ନଥିଲି । ଆଜି ପର୍ଯ୍ୟନ୍ତ ନ ମରି କେବଳ ରହିଛି ଆପଣଙ୍କୁ ଶେଷଥର ପାଇଁ ଦର୍ଶନ କରିବାକୁ ।’’

 

ସୁରେନ୍ଦ୍ରବାବୁ ଅସ୍ଥିର ହୋଇ ଉଠୁଥିଲେ । ତାଙ୍କ ଆଖିରୁ ଧାର ଧାର ଲୁହ ବହିଯାଉଥିଲା-। ସେ କହିଲେ—‘‘ଜିତା ବିନା ବାକ୍ୟବ୍ୟୟରେ ତୁମେ ଶୀଘ୍ର ମୋ ସହିତ ଚାଲିଆସ-।’’

 

‘‘ଦସ୍ୟୁ ମୋତେ ଆପଣଙ୍କ ଅନୁପସ୍ଥିତିରେ ଧରି ଆଣିଥିଲା—ଆପଣ ମଧ୍ୟ ଆଜି ମୋତେ ଚୋରପରି ନେଇ ପଳାଇବେ । ଆପଣଙ୍କର ପୌରୁଷତା ଆଉ କେଉଁଠି ରହିଲା ? ଜାଣିଥିବେ ସୀତା ଇଚ୍ଛା କରିଥିଲେ ହନୁମାନ କାନ୍ଧରେ ବସି ଶ୍ରୀରାମଙ୍କ ନିକଟକୁ ପଳାଇଯାଇ ପାରିଥାନ୍ତେ ।’’

 

‘‘ତା ହେଲେ ତମେ କଣ କହିବାକୁ ଚାହଁ ଜିତା ?’’

 

‘‘ଶ୍ରୀରାମ ରାବଣର ବଂଶ ନାଶ କରି ସୀତାଙ୍କୁ ଉଦ୍ଧାର କରିଥିଲେ । ଆଜି ହୁଏତ ଆପଣ ମୋତେ ଉଦ୍ଧାର କରିନେବେ—କିନ୍ତୁ ଏଠାରେ ମୋପରି ଶହ ଶହ ଅବଳା ଯେ ଦୁଃଖ କଷ୍ଟରେ ସଢ଼ୁଛନ୍ତି, ସେମାନେ କଣ ଏହାକୁ ଚିରଦିନ ବରଣ କରିନେବେ ? ଏଇ ପୈଶାଚିକ ପ୍ରବୃତ୍ତିର କେବେ ଅବସାନ ହେବ ?’’

 

‘‘ଠିକ କହିଚ ଜିତା, ମୋତେ ଦସ୍ୟୁଦଳକୁ ଧ୍ୱଂସ କରି ତମକୁ ଉଦ୍ଧାର କରିବାକୁ ହେବ । ହଉ ଥାଅ—ଆଉ ଅଳ୍ପ କେତୋଟି ଦିନ ଅପେକ୍ଷାକର । ମୁଁ ଚାଲିଲି ।’’ ହଠାତ୍‌ ପଛରୁ ପିସ୍ତଲ ଶବ୍ଦ ହେଲା । ସୁରବାବୁଙ୍କ ହାତରୁ ଗୁପ୍ତ ଲଣ୍ଠନଟି ଖସିପଡ଼ିଲା । ଚାରିଆଡେ ଅନ୍ଧାର । ସୁରେନ୍ଦ୍ରବାବୁ ବିଦ୍ୟୁତ ବେଗରେ ଶବ୍ଦ ଲକ୍ଷ୍ୟ କରି ଛୁଟିଲେ । କିଛି ଦୁର ଅନ୍ଧାରରେ ଯାଇଛନ୍ତି କି ନାହିଁ ହଠାତ୍‌ ତାଙ୍କ ମସ୍ତକରେ ଭୀଷଣ ଆଘାତ ଲାଗିଲା । ସେ ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲେ ।

 

ଯେତେବେଳେ ତାଙ୍କର ହୋସ୍ ହେଲା, ଦେଖିଲେ ସେ ଗୋଟାଏ ଆରାମ ଚୌକି ଉପରେ ପଡ଼ିରହିଛନ୍ତି । ମନ୍ତ୍ରମୁଗ୍‌ଧ ପରି ଚାରିଆଡ଼କୁ ଚାହିଁଲେ । ଘରଟି ନିଘୋଡ଼ ଅନ୍ଧାର । କେବଳ ମିଞ୍ଜି ମିଞ୍ଜି ହୋଇ ଗୋଟିଏ ଛୋଟ ଦୀପ ଜଳୁଛି । ପାଖରୁ କୁଆଡ଼ୁ ଉତ୍କଟ ପଚାଗନ୍ଧ ଭାସିଆସୁଛି । ସେ ଅସ୍ଥିର ହୋଇ ଉଠିଲେ । ଉପରକୁ ଚାହିଁଲେ । ଉପରେ ଗୋଟିଏ ତୀକ୍ଷ୍‌ଣ ଛୁରୀ ତାଙ୍କୁ ଲକ୍ଷ୍ୟକରି ଝୁଲୁଛି । ସେ ଛୁରୀଟା ନିଶ୍ଚୟ ତାଙ୍କର ମୁଣ୍ଡକୁ ବିଦ୍ଧ କରିବ, ଏଥିରେ ସନ୍ଦେହ ନାହିଁ-। ସେ ପୁଣି ଶୋଇ ରହିଲେ । ଚେୟାରର ଚାରିଆଡ଼ ନିରୀକ୍ଷଣ କଲାପରେ ଦେଖିଲେ ଚେୟାରର ଠିକ୍‌ତଳକୁ କେତେଗୁଡ଼ାଏ ସୁଇଚ୍‌ ଅଛି । ସେଥିରୁ କେତୋଟି ଅଫ-ଅନ୍‌ କରିବାରେ ଲାଗିଲେ-। ହଠାତ୍‌ସେ ଘରର ଗୋଟିଏ ବିଜୁଳି ବତୀ ଜଳି ଉଠିଲା । ସେ ଏଥରକ ଘରର ସମସ୍ତ ପଦାର୍ଥ ଦେଖିପାରିଲେ । ତାଙ୍କଠାରୁ ଅନତୀଦୂରରେ ଦେଖିଲେ ମସ୍ତବଡ଼ ତମ୍ୱା ରଡ୍‌ ଝୁଲୁଛି । କାହିଁକି ଝୁଲୁଛି ସେ କିଛି ବୁଝି ପାରିଲେ ନାହିଁ । ସେ ପୁଣି ଚେୟାର ତଳେ ଥିବା ବୋତାମଗୁଡ଼ାକୁ ‘ଅଫ’ ‘ଅନ’ କରିବାରେ ଲାଗିଲେ । ହଠାତ୍‌ ସେ ତମ୍ୱା ରଡ୍‍ଟା ଲାଲ ହୋଇ ଉଠିଲା ଓ ସେ ଘରର ଚଟାଣରେ ମଧ୍ୟ ବିଜୁଳି ସ୍ରୋତ ଖେଳିଗଲା । ସେ ସଙ୍ଗେ ସଙ୍ଗେ ସୁଇଚ୍‌ଟିକୁ ବନ୍ଦ କରିଦେଲେ । ତା ପରେ ଟିକେ ଉଠିବାକୁ ଚେଷ୍ଟାକଲେ । ଏଥର ଦେଖିଲେ ଛୁରୀଟି ପୂର୍ବପରି ଆଉ ତଳକୁ ନ ଆସି ସେଇପରି ସ୍ଥିର ହୋଇ ରହିଛି । ଏହି ଘରଟି ଦସ୍ୟୁଦଳର ଫାଶୀ ଘର ଓ ସମସ୍ତ ଫାଶୀର ବ୍ୟବସ୍ଥା ବିଜୁଳି ସ୍ରୋତ ଦ୍ୱାରା ପରିଚାଳିତ ହେଉଛି, ଆଉ କିଛି ସନ୍ଦେହ ରହିଲା ନାହିଁ । ସେ ଆସ୍ତେ ଆସ୍ତେ ଉଠି ଘରର ଚାରିଆଡ଼ ଅନୁସନ୍ଧାନ କରିବାରେ ଲାଗିଲେ । ଦେହହାତ ବଡ଼ ଅବଶ ବୋଧ ହେଉଥିଲା । ସେ ଘରର କଣକୁ ଯାଇ ଦେଖିଲେ ଗୋଟାଏ ମସ୍ତବଡ଼ ସୁଇଚ୍ ଅଛି । ତା ପାଖରେ କଙ୍କାଳର ଚିତ୍ର ଦିଆଯାଇ ଲେଖାଅଛି—‘‘ହାତ ମାରନ୍ତୁ ନାହିଁ । ଏହା ପ୍ରଳୟ ସୃଷ୍ଟି କରିବାର ଏକମାତ୍ର ବୋତାମ ।’’ ସୁରେନ୍ଦ୍ରବାବୁ କିଛି ବୁଝିପାରିଲେ ନାହିଁ । ଅନେକ ଚିନ୍ତା କଲାପରେ ଅନୁମାନ କଲେ ଯେ ଏଇ ସୁଇଚ୍‌ର କାମ କେବଳ ବାହାର ଶତ୍ରୁଙ୍କ କବଳରୁ ଦସ୍ୟୁଦଳକୁ ରକ୍ଷାକରିବା ପାଇଁ ରଖାଯାଇଛି । ଏଇ ସୁଇଚ୍‍ଟି ପକାଇ ଦେଲାମାତ୍ରେ ଦସ୍ୟୁପୁରର ସମସ୍ତ ସ୍ଥାନରେ ବିଜୁଳି ସ୍ରୋତ ଚାଳିତ ହୋଇ ଦସ୍ୟୁପୁରକୁ ଧ୍ୱଂସ କରିଦେବ । ତେବେ କଣ ଦସ୍ୟୁଦଳର ଶେଷ ଇଚ୍ଛା ଯେ, ଦିନେ ଏ ପୁରକୁ ଧ୍ୱଂସ କରି ଚାଲିଯିବାକୁ ? ସେ କିଛି ଭାବି ଠିକ୍‌କରିପାରିଲେ ନାହିଁ ।

 

କଣ ଗୋଟାଏ ଶବ୍ଦ ହେଲା । ସେ କାନପାରି ଶୁଣିଲେ କବାଟ ଖୋଲିବା ଶବ୍ଦ । ସେ ସଙ୍ଗେ ସଙ୍ଗେ ଲାଇଟ୍‌ ଲିଭାଇ ପୂର୍ବ ପରି ଚେୟାର ଉପରେ ଢଳିପଡ଼ିଲେ । ଅନ୍ଧାରରେ ଚାହିଁ ଦେଖିଲେ—କିଏ ଦୁଇଜଣ ଆସୁଛନ୍ତି ।

 

ଜଣେ ଦସ୍ୟୁ ପାଖକୁ ଆସି ତାଚ୍ଛଲ୍ୟ ସ୍ୱରରେ କହିଲା—‘‘କିଓ ସୁରେନ୍ଦ୍ର ବାବୁ ! ବିଛା ଧରିବା ମନ୍ତ୍ର ନ ଜାଣି ଗୋଖର ସାପ ଲାଙ୍ଗୁଳରେ ହାତ ମାରିବା ଫଳ ପାଇଲା ତ ? ଏତେ ବଦ୍‌ସାହାସ । ଶିକାରୀ ହାତରୁ ଶିକାର ନେବ ଗାଉଁଲି ଭୂତ ହୋଇ । ବାଘ ଘରେ ପଶି ତା ମୁହଁରୁ ଶିକାର ନେବାପାଇଁ ବିଲୁଆର ସାହାସ ! ଧିକ୍‌ ତମ ବଦସାହାସକୁ !’’

 

ସୁରେନ୍ଦ୍ର ବାବୁ ଜାଣିପାରିଲେ ନାହିଁ ଯେ ତାଙ୍କର ଆତ୍ମୀୟ ବନ୍ଧୁ ବୀରକିଶୋର ତାଙ୍କୁ କାହିଁକି ଏତେ ଭର୍ତ୍ସନା କରୁଛି । ସେ ପର କ୍ଷଣରେ ଭାବିଲେ ଏହା ବୀରର ଚାଲାକି ହୋଇପାରେ । ଦସ୍ୟୁ ପାଖରେ ଏପରି ଭାବ ନ ଦେଖାଇଲେ ଯେ ସେ ଧରାପଡ଼ିଯିବ ।

 

ତା ପରେ ବୀରକିଶୋର ଓ ଅନ୍ୟ ଦସ୍ୟୁଟି ଫେରି ଚାଲିଗଲେ ।

 

ପରକ୍ଷଣରେ ଫେରିଆସିଲେ ସେଇ ‘‘ଦୁଇଜଣ । ଦସ୍ୟୁ ଦୁଇଜଣ ସୁରେନ୍ଦ୍ର ବାବୁଙ୍କ ପାଖକୁ ଆସିଲେ । ପ୍ରଥମ ଦସ୍ୟୁଟି କେତେଗୁଡ଼ିଏ ସୁଇଚ୍‌ ପରୀକ୍ଷା କରି କହିଲା—‘‘ସୁରେନ୍ଦ୍ରବାବୁ, ଏମେତି କେତେବେଳେ ପର୍ଯ୍ୟନ୍ତ ଶୋଇଥିବେ । ଉଠନ୍ତୁ ନା—ଟିକେ ବାହାରୁ ବୁଲି ଆସିବା ।’’

 

ସୁରେନ୍ଦ୍ରବାବୁ ଦସ୍ୟୁର ଚାଲାକି ବୁଝିପାରିଲେ । ସେ କିଛି ନ କହି ନିରବ ରହିଲେ ।

 

ଦ୍ୱିତୀୟ ଦସ୍ୟୁଟି କହିଲା—‘‘ଆମେ ଆସ ଯିବା—ସେ ତାର ଉଠିବ ଯେ ନିଜ ଇଚ୍ଛାରେ–ସେତେବେଳେ ଦେଖାଯିବ ।’’

 

ପ୍ରଥମ ଦସ୍ୟୁଟି ଟିକିଏ ତାତ୍ସଲ୍ୟ ହସି କହିଲା—ଆଚ୍ଛା...ଆଚ୍ଛା, ଆଉ କିଛି ସମୟ ଶୋଇବାକୁ ଦିଅ ।

 

ତାପରେ ସେମାନେ ଚାଲିଗଲେ ।

 

ସେ କଣ କରିବେ କିଛି ଠିକ୍‌ କରିପାରିଲେ ନାହିଁ । ଶେଷରେ ବିଜୁଳିସ୍ରୋତରେ ତାଙ୍କର ପ୍ରାଣ ଶେଷ ହୋଇଯିବ । ଜିତାକୁ ଉଦ୍ଧାର କରିବା ବାସନା ମଧ୍ୟ ସବୁ ଜଳି ପୋଡ଼ିଯିବ ।

 

ଦ୍ୱିତୀୟ ଦସ୍ୟୁଟି ପୁଣି ଫେରି ଆସିଲା । ଇଏ ବୀରବାବୁଛଡ଼ା ଅନ୍ୟ କେହି ନୁହେଁ । ସେ ସୁରବାବୁଙ୍କ କାନ ପାଖରେ କଣ ଚପ୍‌ ଚୁପ୍‌ ହୋଇ କହିଲା, ‘‘ଶୀଘ୍ର ପଳାଇ ଆସନ୍ତୁ—ଏ ଘରର ସମସ୍ତ ପଦାର୍ଥରେ ବିଜୁଳିସ୍ରୋତ ଖେଳାଇ ଦେବାକୁ ସେଇ ଲୋକଟି ଧମକ ଦେଇ ମେନ୍‌ ସୁଇଚ୍‌ ପାଖକୁ ଯାଇଛି । ଶୀଘ୍ର ପଳାଇ ଆସନ୍ତୁ ।’’

 

ସୁରେନ୍ଦ୍ରବାବୁ ଆହୁରି ଆଶ୍ଚର୍ଯ୍ୟ ହେଲେ—ତା ହେଲେ ଏ ମେନ୍‌ ସୁଇଚ୍‌ ଛଡ଼ା ଅନ୍ୟ ଆଡ଼େ ମଧ୍ୟ ମେନ୍‌ ସୁଇଚ୍‌ ଅଛି ନା ? ସେ ଜୀବନର ଆଶା ଛାଡ଼ିଦେଲେ । ଉତ୍ତେଜନାରେ ତାଙ୍କ ଦେହ ଥରିଉଠିଲା । ସେ ଉଠିବାକୁ ଚେଷ୍ଟା କଲେ । ଦେଖିଲେ ସୁଇଚ୍‌ଟି ଅନ୍‌ ଅଛି । ତାକୁ ସଙ୍ଗେ ସଙ୍ଗେ ଅଫ୍‌ କରିଦେଲେ ।

 

ବୀରବାବୁ ଅସ୍ଥିର ହୋଇ ଉଠି କହିଲେ, ‘‘ଆଉ ଅଳ୍ପ ସମୟ ମାତ୍ର । ଆମେ ଦୁହେଁ ପୋଡ଼ି ମରିଯିବା । ଶୀଘ୍ର ପଳାଇ ଆସ ସୁରବାବୁ !’’

 

‘‘କିଏ ବୀର ?’’ ସେ ଯେପରି ଧ୍ୟାନରୁ ଉଠିଲେ ।

 

ବୀରବାବୁ କହିଲେ, ‘‘ମୋ ଦୋଷ କ୍ଷମା କରିବେ । ଉପାୟହୀନ ହୋଇ ମୁଁ ଆପଣଙ୍କୁ ବହୁତ କଷ୍ଟ ଦେଇଛି ।’’

 

‘‘କଷ୍ଟ ନୁହେଁ ବୀର । ତୁ ମୋତେ ବିପଦରୁ ରକ୍ଷା କରିଛୁ ।’’ ଦୁଇବନ୍ଧୁ କୋଠରୀରୁ ବାହାରି ଆସିଲେ ।

 

ଆପଣ ଦସ୍ୟୁକବଳରେ ଧରା ପଡ଼ିଲେ କିପରି ?

 

ସୁରବାବୁ ଅଶ୍ରୁପୂର୍ଣ୍ଣ ନୟନରେ କହିଲେ—‘‘ମୁଁ ଜିତା ସହିତ ସାକ୍ଷାତ କରିବା ସମୟରେ ବନ୍ଧୁକ ଶବ୍ଦ ହେଲା—ସେ ଯେପରି ଆଉକିଛି କହିପାରୁ ନଥିଲେ ।’’

 

‘‘ଚାଲ ବୀର—ଫେରି ଚାଲ । ଜିତାକୁ ଆଉଥରେ ଦେଖି ଆସିବା । ଗୁରୁଗମ୍ୱୀର ଶବ୍ଦରେ ସେ ହତଜ୍ଞାନ ହୋଇପଡ଼ିଥିବ ।’’

 

ବୀରବାବୁ କହିଲେ, ‘‘ଆପଣ ବୁଝିପାରୁ ନାହାନ୍ତି ? ପୁଣି ବିପଦ ବରଣ କରିବାକୁ ଇଚ୍ଛା କରୁଛନ୍ତି । ବର୍ତ୍ତମାନ ଭଗବାନଙ୍କ କୃପାରୁ ବଞ୍ଚିଗଲେ । ଯଦି ସୁରେନ୍ଦ୍ରବାବୁ ମୁଁ ତୁମ ସଙ୍ଗରେ ଯାଇଥାନ୍ତି, ତେବେ ବିପଦଟା ମୃତ୍ୟୁ ରୂପେ ଦେଖାଯାଇଥାନ୍ତା ।’’

 

ସୁରେନ୍ଦ୍ରବାବୁ ଆରମ୍ଭ କଲେ—‘‘ଆଜି ମୁଁ ଜିତାକୁ ଉଦ୍ଧାର କରି ପାରିଥାନ୍ତି ।’’

 

‘‘ଆପଣ ସେ କଥା ବର୍ତ୍ତମାନ ଭାବନ୍ତୁ ନାହିଁ । ଏଥରକ ଜିତା ଦେବୀଙ୍କୁ ଉଦ୍ଧାର କରିବା ସହଜ ହୋଇପଡ଼ିବ ।’’

 

ସୁରେନ୍ଦ୍ରବାବୁ ଯନ୍ତ୍ରଚାଳିତ ପରି ବୀରକିଶୋରର ପଛେ ପଛେ ଚାଲୁଥାନ୍ତି । ସେ ଯେପରି ମୂକ ପାଲଟି ଯାଇଛନ୍ତି । ତାଙ୍କ ଛାତିରେ ଯେମିତି କେହି ହାତୁଡ଼ିରେ ତୁହାକୁ ତୁହା ପିଟୁଛି । ଜିତାର ମୁଖମଣ୍ଡଳ ବାରମ୍ୱାର ଆସି ନାଚିଯାଉଛି ତାଙ୍କ ଆଖି ଆଗରେ ।

 

କିଛି ବାଟ ଯିବାପରେ ସୁଡ଼ଙ୍ଗ ଦ୍ୱାର ଦେଖାଗଲା । କାନ୍ଥର ଗୋଟାଏ କଣରେ ମାଟି ଖୋଳାହୋଇ ବାଟ କରା ହୋଇଛି । ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେ କଣ କହିବାକୁ ଯାଉଥିଲେ, ଅନ୍ଧାର ଭିତରୁ କାହାର ପାଟି ଶୁଭିଲା । କାମ ଫତେ ?

 

ସର୍ବନାଶ । ଏ ଯେ ପ୍ରେମାନନ୍ଦ ସିଂଙ୍ଗ୍‌ । ବୀରକିଶୋରର ହାତ ଥରି ଉଠିଲା । ସେ ଚଞ୍ଚଳ ପଦକ୍ଷେପରେ ସୁଡ଼ଙ୍ଗ ଦ୍ୱାରକୁ ଚାଲିଆସିଲେ । ଦ୍ୱାର ଦେଶରେ ‘କଙ୍କାଳ’ ଡାକିବାରୁ ଦ୍ୱାର ଖୋଲିଗଲା । ସେମାନେ ଅବିଳମ୍ୱେ ବାହାରକୁ ବାହାରି ଆସିଲେ । ସମ୍ମୁଖରେ ପୁଣି ଘଡ଼ିକୁ ଚାହିଁଲେ–ରାତି ଚାରି । ଅନ୍ଧାର ଭିତରେ ଆଗେଇ ଚାଲିଲେ ସେମାନେ ।

 

ଦୈନିକ ସମାଜରେ ସେଦିନ ପ୍ରକାଶ ପାଇଲା ଗୋଟାଏ ମର୍ମନ୍ତୁଦ ଖବରଟି ସହରରେ ଚହଳ ପକାଇ ଦେବା ସଙ୍ଗେ ସଙ୍ଗେ ସମସ୍ତ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କୁ ଦୁଃଖ ଓ ଭୟରେ ଅଭିଭୂତ କରିପକାଇଲା । ଖବରଟି ହେଉଛି—

 

ଗତ ତା ୫-୮-୫୮ ରୁ ଶ୍ରୀଯୁକ୍ତ ସୁରେନ୍ଦ୍ର ଚୌଧୁରୀ ଓ ବୀରକିଶୋର ଦାସ ଗୁଇନ୍ଦା ବିଭାଗ ଇନ୍‌ସପେକ୍ଟରର ଓ ସବ୍‌ଇନ୍‌ସପେକ୍ଟରଙ୍କର କୌଣସି ପତ୍ତା ମିଳୁ ନଥିଲା । ବର୍ତ୍ତମାନ ଖବର ନେବାରେ ଜଣାଯାଇଛି ଯେ ସେମାନଙ୍କୁ କେହି ଦୁର୍ବୃତ୍ତ ହତ୍ୟାକରି ଖଣ୍ଡଗିରି ନିକଟରେ ପକାଇଦେଇ ଯାଇଛି । ପୁଲିସ ବିଭାଗ ଅନୁସନ୍ଧାନ କରି ତାଙ୍କର ମୃତ ଦେହ ଉଦ୍ଧାର କରିଛନ୍ତି ।

 

ଘଟଣାରୁ ପ୍ରକାଶ ଯେ ଗତ ୫-୮-୫୮ ତାରିଖରେ ସୁରେନ୍ଦ୍ରବାବୁ ଓ ବୀରବାବୁ, ସୁକାନ୍ତବାବୁ ଓ ଥିରୁମଲ ଅଗ୍ରଓ୍ୟାଲାଙ୍କର ଘରେ ହୋଇଥିବା ଡକାୟତି ଓ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଉଦ୍ଦେଶ୍ୟରେ ଖଣ୍ଡଗିରି ଜଙ୍ଗଲକୁ ଯାଇଥିଲେ । ସେଠାରେ କେହି ଦୁର୍ବୃତ୍ତ ସେମାନଙ୍କୁ ହତ୍ୟା କରିଅଛି । ପୁଣି ଖବର ନେବାରେ ଜଣା ଯାଇଛି ସୁକାନ୍ତବାବୁ ସେମାନଙ୍କର ହତ୍ୟା ଖବର ପାଇ ସଙ୍ଗେ ସଙ୍ଗେ ପ୍ରାଣ ହରାଇଛନ୍ତି । ଘଟଣାରୁ ପ୍ରକାଶ ଯେ ସୁକାନ୍ତବାବୁଙ୍କ ଭାଇଙ୍କୁ ହତ୍ୟା କରିବାପରେ ଦସ୍ୟୁଦଳର ଲୋଲୁପ ଦୃଷ୍ଟି ତାଙ୍କର ଯୁବତୀ ଝିଅ ସୁରମା ଓ ମନୋରମା ଉପରେ ପଡ଼ିଥିଲା । ସେଇ ହତ୍ୟାକାଣ୍ଡ ପରେ ମଧ୍ୟ ଦସ୍ୟୁଦଳର ଲୋକେ ସୁକାନ୍ତବାବୁଙ୍କୁ ହତ୍ୟା କରି ସୁରମା ଓ ମନୋରମାକୁ ନେଇଯିବାକୁ ସୁଯୋଗ ଉଣ୍ଡୁଥିଲେ । ସୁରେନ୍ଦ୍ର ଓ ବୀରବାବୁଙ୍କ ସାହାଯ୍ୟ ପାଇ ସେମାନେ ନିଜକୁ ଶତ୍ରୁର ଆକ୍ରମଣରୁ ରକ୍ଷା କରିପାରୁଥିଲେ । ହଠାତ୍‌ ଏମାନଙ୍କର ମୃତ୍ୟୁରେ ଭବିଷ୍ୟତ ଭୟର ଆଶଙ୍କାରେ ତାହାଙ୍କର ହୃଦଯନ୍ତ୍ର କ୍ରିୟା ବନ୍ଦ ହୋଇ ମୃତ୍ୟୁ ଘଟିଛି ବୋଲି ଅନୁମାନ କରାଯାଏ । ତିନୋଟି ଲାସ୍‌କୁ ପରୀକ୍ଷା କରିବାପାଇଁ ଡାକ୍ତରଖାନାକୁ ପଠାଇ ଦିଆଯାଇଛି-

 

ସୁରମା ଏପରି ନିଃସହାୟ ଅବସ୍ଥାରେ ଆଉ ବଞ୍ଚି ରହିବ—ଏକଥା କୈଳାସବାବୁ ବିଶ୍ୱାସ କରିପାରିଲେନି । ସୁରେଶବାବୁ ଓ ବୀରବାବୁଙ୍କୁ ହତ୍ୟା କରାଯାଇ ଭୁଲ୍‌ ହୋଇଯାଇଛି ବୋଲି ସେ ମନେକଲେ । ତେବେ ବର୍ତ୍ତମାନ ଘଟଣାକୁ ଯଥାସମ୍ଭବ ସୁଧାରୀ ସୁରମାକୁ ସେ କିପରି ପାଇବେ ବ୍ୟାକୁଳ ହୋଇ ଉଠିଲେ । କଣ କରିବେ—ସୁରମା ସହିତ ସାକ୍ଷାତ ହେବ କିପରି ? ସୁରମା ଯେ ପୋଲିସର ଆଶ୍ରୟ ନେଇ ନଥିବ, ଏକଥା କିଏ କହିବ ? କିନ୍ତୁ ସେ ତ କେବେ ହେଲେ ସୁରମାକୁ ଛାଡ଼ିପାରିବେନି । ସୁରମାକୁ ନିଜର ଅଙ୍କ ବିଭୁଷିତ କରି ତାର ରକ୍ତ ଅଧରରୁ ପ୍ରେମମଧୁ ପାନ କରିବେ, ତାହା ତାଙ୍କର ଜୀବନର ଲକ୍ଷ୍ୟ । ସେ ସୁରମାକୁ ଭୁଲିଯାଇପାରିବେନି । ସୁରମାର ପଦ୍ମ ମୁଖ, ଏଣି ନୟନ, ଧନୁପରି ଟଣାଟଣି ଭୂରୁଯୁଗ, କୋକିଳ-କଳ କଣ୍ଠସ୍ୱର, ଆଉ ସାରସ ଗମନକୁ ସେ ତ ଭୁଲି ପାରିବେନି । ହୁଏତ ଆଜି ସୁରମାକୁ ପୁରାଣଯୁଗର ବିଶ୍ୱାମିତ୍ର ଦେଖିଥିଲେ ସେ ମେନକା ଅପ୍‌ସରୀର ପ୍ରେମକୁ ପ୍ରତ୍ୟାଖାନ ନିଶ୍ଚୟ କରିଥାନ୍ତେ ।

 

ମନେ ଅଛି ତାଙ୍କର—ବିବାହ ପ୍ରସଙ୍ଗରେ ଥରେ ସେ ସୁକାନ୍ତ ବାବୁଙ୍କ ଘରକୁ ଯିବାର ସୁବିଧା ପାଇଥିଲେ—ସେଇଠି ହେଇଥିଲା ତାଙ୍କର ସୁରମା ସହିତ ପ୍ରଥମ ସାକ୍ଷାତ । ସୁରମାର ରୂପ ସମ୍ଭାରରେ ସେ ଏତେ ମୁଗ୍‌ଧ ହୋଇଯାଇଥିଲେ ଯେ ସେ ଚଷମା ଖୋଲି ଓ ବାରମ୍ୱାର ଆଖିରେ ଦେଇ ନିରୀକ୍ଷଣ କରିଥିଲେ । ସୌନ୍ଦର୍ଯ୍ୟର ପ୍ରାଚୁର୍ଯ୍ୟ ଯେ ପୁଣି ମଣିଷ ଏପରି ପାଇପାରେ, ସେ ସେଇଦିନ ବିଶ୍ୱାସ କଲେ । ପାଞ୍ଚମିନିଟ୍‌ ଆଳାପ କରିବାର ସୁଯୋଗ ମିଳିଥିଲା ତାଙ୍କୁ—କିନ୍ତୁ ! ନିରାଣ ହୋଇଥିଲେ । ସୁରମା ମନାକରିଦେଲା ସୁକାନ୍ତ ବାବୁଙ୍କୁ—ସେ କୈଳାସବାବୁଙ୍କୁ ବିବାହ କରିବାକୁ ଚାହେଁନା—କାହିଁକି ? ସେ କଣ ସୁରମା ଆଖିରେ ଅଯୋଗ୍ୟ ବିବେଚିତ ହେଲେ... ? ଏ ପ୍ରଶ୍ନର ସମାଧାନ କରିପାରି ନଥିଲେ କୈଳାସବାବୁ—ଶପଥ କରିଥିଲେ ଏହାର ପ୍ରତିଶୋଧ ସେ ଦିନେ ନା ଦିନେ ନେବେ—ହୁଏତ ଦିନେ ସୁରମା ଜୀବନ ସହିତ ତାଙ୍କୁ ଖେଳିବାକୁ ପଡ଼ିବ ।

 

ସେ ଦିନ ରାତି ବାର । ସୁରମା ଏକୁଟିଆ ତା ନିଜ କୋଠରୀରେ ଶୋଇ ରହିଥାଏ । ହଠାତ୍‌ କଣ ଗୋଟାଏ ଶବ୍ଦରେ ତାର ନିଦ ଭାଙ୍ଗିଗଲା । ସେ ଉଠି ଖଟ ଉପରେ ବସିଲା—ଘନ ଅନ୍ଧାର ଭିତରେ ସେ ବାହାରକୁ ଚାହିଁଲା, କିଛି ଦେଖିପାରିଲା ନାହିଁ—ଲାଇଟିକୁ ଆହୁରି ତେଜିଲା–ଟର୍ଚ୍ଚଟାକୁ ପାଖକୁ ଆଣିଲା—କବାଟ ଦୃଢ଼ କରି ଶିକୁଳି ଲଗାଇଲା । ତା’ପରେ ଝରକାରେ ଶବ୍ଦ–ଖାଲି ଶବ୍ଦ ତ ନୁହେଁ, କାଠ ସହିତ ଲୁହ ରଡ୍‌ଗୁଡ଼ାକ ତରଳି ଝଡ଼ି ପଡ଼ୁଛି—ନିକଟରେ ଗୋଟାଏ ଛାୟା ମୂର୍ତ୍ତି—ହାତରେ ପିସ୍ତଲ—ସୁରମା କଣ କରିବ କିଛି ଠିକ୍‌ କରିପାରିଲା ନାହିଁ—କାହାକୁ ଡାକିବ କି ନାଁ କିଛି ଭାବିପାରିଲା ନାହିଁ—ବଡ଼ ସାହାସରେ ଦୁଆର କବାଟ ପାଖକୁ ଗଲା—ଛାୟା ମୂର୍ତ୍ତିଟି ଅସ୍ପଷ୍ଟ ସ୍ୱରରେ କହିଲା—‘‘ସାବଧାନ, ପଳାୟନ କଲେ ଏଇ ପିସ୍ତଲ ତାହାର ଜବାବ ନିଶ୍ଚୟ ଦେବ—ସୁରମା କବାଟକୁ ଫିଟାଇଲା ସତ–ଆଉ ଯାଇପାରିଲା ନାହିଁ—ଫେରି ଆସିଲା କମ୍ଫିତ ପଦରେ ପୁଣି ତାର ବିଛଣା ଉପରକୁ । ଛାୟା ମୂର୍ତ୍ତିଟି ଘର ଭିତରେ ପ୍ରବେଶ କଲା-। ଦେହରେ କଳା ପୋଷାକ, ମୁହଁରେ ଦାଢ଼ୀ–ହାତରେ ଗୁଳିଭରା ପିସ୍ତଲ । ସୁରମାର ଆଖି ଭୟରେ ବୁଜି ହୋଇଗଲା ।

 

‘‘ସୁରମା, ଭୟ କରିବାର କିଛି କାରଣ ନାହିଁ । ମୁଁ ତୁମର କିଛି କ୍ଷତି କରିବାକୁ ଆସି ନାହିଁ । ମୁଁ ଆସିଛି ଗୋଟାଏ କଥାର ସମାଧାନ ପାଇଁ ।’’

 

ସୁରମା ଶୁଣିଯାଉଥିଲା କଥାଗୁଡ଼ାକ ଖାଲି—ଜଳ ଜଳ କରି ଚାହିଁରହିଥିଲା—ତା ହୃଦ୍‌ଯନ୍ତ୍ର କ୍ରିୟା ବନ୍ଦ ହୋଇ ଆସୁଛି ।

 

‘‘ସୁରମା ତମେ ଭୟ କରୁଛ—ତା ହେଲେ ମୁଁ ଫେରିଯିବି—କିନ୍ତୁ ସୁରମା—ଆଜି କାହାପାଇଁ ମୁଁ ଏଇ ଡକାୟତ ସାଜିଛି ? କାହାପାଇଁ ଆଜି ଜୀବନର ମାୟା ମମତା ଭୁଲି ରାତି ଅଧରେ ତୁମର ଦ୍ୱାରସ୍ଥ ହୋଇଛି ? ତମେହେଁ ତାର ସମାଧାନ କରିବ—କ’ଣ କହୁଛ ସୁରମା ଦେବୀ !’’

 

ସୁରମା ମନରେ ଟିକେ ସାହସ ହେଲା । ସେ ସମସ୍ତ ଶକ୍ତି ଏକତ୍ର କରି କହିଲା—‘‘କଣ ଚାହୁଛନ୍ତି ଆପଣ—ଆପଣଙ୍କ ପରିଚୟ ?’’

 

‘‘ମୋର ପରିଚୟ ? ବଡ଼ ଆଶ୍ଚର୍ଯ୍ୟ ସୁରମା—ମୁଁ ତମର ଅପରିଚିତ ହୋଇଥିଲେ ବୋଧେ ମୁଁ ସାହସ କରି ନଥାନ୍ତି ଆଜି ତମ ସାମନାରେ ଠିଆ ହେବାକୁ । ତେବେ ପରିଚୟ ଏତିକି ଜାଣିଲେ ବୋଧେ ଯଥେଷ୍ଟ ହେବ–ମୋର ପରିଚୟ ବୋଧେ–ଠିକ୍‌ ହେବ–ଏ ଅଧମ ଜଣେ ତମ ରୂପର ପୂଜାରୀ—ତମର ପ୍ରେମର କଠୋର ଉପାସକ’’

 

‘‘କଣ କହୁଛନ୍ତି ଆପଣ ?’’

 

‘‘ମୁଁ ଭୁଲ କହୁନି ସୁରମା—ଜୀବନରେ ଥରେ ତମ ସହିତ ଆଳାପ କରିବା ସୁଯୋଗ ମିଳିଥିଲା ମୋତେ । ସେଇ ହିଁ ଥିଲା ଆମ ଦୁହିଁଙ୍କର ପ୍ରଥମ ଓ ଶେଷ ସାକ୍ଷାତ । ମୁଁ ତମକୁ ଦେଖି ନିଜକୁ ଭୁଲିଯାଇଥିଲି । ମୁଁ ମୋର ସର୍ବସ୍ୱ ସମର୍ପି ଦେଇଥିଲି ତମକୁ । ମନେଥିବ ତମର ସୁରମା–ତମେ ମନାକରିଥିଲ ମତେ ବିବାହ କରିବାକୁ— ? କିନ୍ତୁ ମୁଁ ସେଦିନ ଶପଥ କରିଥିଲି ତମଛଡ଼ା କାହାକୁ ବିବାହ କରିବିନି ? ତେବେ ଏହାର ସମାଧାନ କିପରି ହେବ ?’’

 

‘‘ମୁଁ ଜାଣେ—ଆପଣ ଭଲ ପାଆନ୍ତି—ଜୀବନ ଦେଇ ଭଲ ପା’ନ୍ତି—କିନ୍ତୁ ମୁଁ ମୋର ମତାମତ ସିଧା ସଳଖ ପ୍ରକାଶ କରିପାରିବାକୁ ଅକ୍ଷମ । ବାପା ବଉ ଥାଉ ଥାଉ ଆଉ ଭାବି ପତି ନିର୍ବାଚନ କରିବା ଦାୟିତ୍ୱ ମୋ ଉପରେ ନଥିଲା ।’’

 

‘‘ହା—ହା—ବର୍ତ୍ତମାନ ଏହା ସହଜ । ତମର ବାପା ଆଉ ବର୍ତ୍ତମାନ ନାହାନ୍ତି । ବର୍ତ୍ତମାନ ତମର ମତ ପ୍ରକାଶ କରିବାରେ ତ କିଛି ଅସୁବିଧା ହେବ ନାହିଁ ?’’

 

‘‘ନାଁ—କିଛି ଅସୁବିଧା ହେବନି–କିନ୍ତୁ ଆପଣ ଆଜି ଦସ୍ୟୁ ବେଶରେ କାହିଁକି ମୋର ଦ୍ୱାରସ୍ଥ ହୋଇଛନ୍ତି ? ଏହା କଣ ଆପଣ ପସନ୍ଦ କରୁଛନ୍ତି ? ମନେକରନ୍ତୁ ଆପଣ ନିଜେ ସୁରମା ହୋଇଥାନ୍ତେ—ଆଉ ଆପଣଙ୍କର କେହି ଜଣେ—’’

 

‘‘ତା’ ଠିକ୍‌ ସୁରମା । କିନ୍ତୁ ସୁରମା ମୁଁ ବଡ଼ ଦୁଃଖିତ—ତମେ ମୋର ଅବସ୍ଥା ବୁଝିପାରିନ ଏପର୍ଯ୍ୟନ୍ତ । ଯେତେବେଳେ ମଣିଷ କୌଣସି ଗୋଟାଏ ନିର୍ଦ୍ଦିଷ୍ଟ ଘଟଣାରେ ଗଭୀର ଭାବେ ଜଡ଼ିତ ହୁଏ—ସେତେବେଳେ ଯେ କୌଣସି ଉପାୟ ହିଁ ତା’ ଆଖିରେ ସୁଗମ ବୋଲି ଦେଖାଯାଏ । ଆଜି ମୁଁ ଆସିଛି ଏପରି ବେଶରେ—ତାହା କେବଳ ତମକୁ ଭଲପାଇବାର ଏକାଗ୍ରତା ଛାଡ଼ି କଣ ହୋଇପାରେ ?’’

 

‘‘ଧନ୍ୟବାଦ୍‌—ମୁଁ ବିଶେଷ ଆନନ୍ଦିତ ଆପଣଙ୍କ ସ୍ନେହରେ । ଆପଣ ମୋପରି ଜଣେ ସାମାନ୍ୟ ଗରିବ ପାଇଁ ନିଜର ପଦମର୍ଯ୍ୟାଦା ଭୁଲି ମୋର ଦ୍ୱାରସ୍ଥ ହୋଇଛନ୍ତି—ମୁଁ ଆପଣଙ୍କୁ ରିକ୍ତ ହସ୍ତରେ କେବେ ଫେରିଯିବାକୁ ଦେବିନି–ମୁଁ ନିଶ୍ଚୟ ଆପଣଙ୍କୁ ବିବାହ କରିବି—କିନ୍ତୁ ଆପଣ ଯଦି ଗୋଟିଏ ସୁନାଗରିକ ହୋଇ ଦୁନିଆ ଭିତରକୁ ଫେରିଆସିବେ ।’’

 

‘‘ସୁରମା, ଏଇ ସାମାନ୍ୟ କଥା । ମୁଁ ତମପାଇଁ କଣ ନ କରିପାରେ ? ମୁଁ ତମରି ପାଇଁ ଦ୍ୱିତୀୟ ପାତାଳପୁର ଗଢ଼ିଥିଲି—ଆଜି ପୁଣି ତାହା ଧ୍ୱଂସକରି ଫେରିଆସିବି—ଏଇଠି ଦ୍ୱିତୀୟ ସ୍ୱର୍ଗ ତିଆରି କରିବି—ସେଥିପାଇଁ ଚିନ୍ତା କରିବା ଆବଶ୍ୟକ ନାହିଁ ସୁରମା ।’’

 

Hands up, Hands up । ପ୍ରେମାନନ୍ଦ ବାବୁ ଓ ନରେନ୍ଦ୍ରବାବୁ ପିସ୍ତଲ ହସ୍ତରେ ପସିଆସିଲେ ଘର ଭିତରକୁ । ଝରକା ପାଖରେ ଅନେକ କନେଷ୍ଟବଳ ପିସ୍ତଲ ହାତରେ ଠିଆ ହୋଇଛନ୍ତି । ସୁରମା ବିଛଣା ଉପରୁ ଉଠି ଠିଆହେଲା । ଯୁବକଟି ଅନ୍ୟନୋପାୟ ହୋଇ ପିସ୍ତଲ ତଳେ ରଖିଦେଇ ସୁରମା ଆଡ଼େ ଗୋଟାଏ ବକ୍ର ଦୃଷ୍ଟି ନିକ୍ଷେପ କରି ହାତ ଟେକି ଠିଆ ହୋଇ ରହିଲା । ପ୍ରେମାନନ୍ଦବାବୁ ସଙ୍ଗେ ସଙ୍ଗେ ତା ହାତରେ କଡ଼ି ଲଗାଇ ଦେଇ ଥାନାକୁ ନେଇଗଲେ ।

 

ସୁରମା ଆଜି ପ୍ରକୃତ ଶତ୍ରୁକୁ ପରାଜିତ କରିଛି—ତାର ମନରେ ବଡ଼ ଗର୍ବ—ହୁଏତ ଆଜି ସୁରେନ୍ଦ୍ରବାବୁ ଥିଲେ ସେ ତାକୁ ବଡ଼ ପ୍ରଶଂସା କରିଥାନ୍ତେ ।

 

ପ୍ରେମାନନ୍ଦବାବୁ ଦସ୍ୟୁର ପୋଷାକଟି ଖୋଲି ଯୁବକଟିକୁ ହାଜତକୁ ପଠାଇଦେଲେ । ଦସ୍ୟୁର ପୋଷାକ ତଳେ ଗୋଟିଏ ନିଟୋଳ ଭଦ୍ରଲୋକର ପୋଷାକ–ପ୍ରେମାନନ୍ଦ ବାବୁ ଆଶ୍ଚର୍ଯ୍ୟ ହେଲେ । ତନ୍ନ ତନ୍ନ କରି ପରୀକ୍ଷା କରିବା ପାରିବା ପରେ ପକେଟ୍‌ରୁ ଗୋଟିଏ ନିମନ୍ତ୍ରଣ କାର୍ଡ ବାହାରିଲା । ତା ଉପରେ ଗୋଟାଏ କଙ୍କାଳର ଚିହ୍ନ । ଦସ୍ୟୁ ନମ୍ୱର ଦୁଇ—ନିମନ୍ରଣ ପତ୍ରଟି ପାଠ କରିବାରୁ ବୁଝାଗଲା ଯେ ଆସନ୍ତା ଅମାବାସ୍ୟାରେ ଦସ୍ୟୁଦଳର ଗୋଟାଏ ସଭା ହେବ । ସେ ସଭାରେ ସମସ୍ତ ସଭ୍ୟ ଉପସ୍ଥିତ ରହିବାକୁ ଦସ୍ୟୁ ସର୍ଦ୍ଦାରର ନିର୍ଦ୍ଦେଶ । ନମ୍ୱରରୁ ଜଣାଗଲା ଯେ ଏହି ଯୁବକଟି ପକେଟରେ ରଖି ପ୍ରେମାନନ୍ଦବାବୁ ଯୁବକ ନିକଟକୁ ଗଲେ ।

 

‘‘ଆଚ୍ଛା ମୁଁ କେତୋଟି ପ୍ରଶ୍ନ ପଚାରିବି—ଆଶା, ଠିକ୍‌ ଠିକ୍‌ ଉତ୍ତର ଦେବ ।’’

 

ଯୁବକଟି ନିରବ ରହିବା ଦେଖି ପ୍ରେମାନନ୍ଦବାବୁ ପଚାରିଲେ, ‘‘ତମର ପରିଚୟ ପାଇବାକୁ ଆମ୍ଭେମାନେ ଉଦବେଗ୍‌ ହୋଇପଡ଼ିଛୁ । ଆଶା, ତମେ ଆମକୁ ଜଣେଇବାକୁ କୁଣ୍ଠାବୋଧ କରିବନି ।’’

 

‘‘ମୋର ପରିଚୟ ଜାଣିବା ଆଉ ଆବଶ୍ୟକ ନାହିଁ ପ୍ରେମାନନ୍ଦବାବୁ—ମୁଁ ଗୋଟାଏ ଦସ୍ୟୁ—ମଣିଷଠାରୁ ହୀନ ଜୀବ ।’’

 

ଆଶ୍ଚର୍ଯ୍ୟ ହେଲେ ପ୍ରେମାନନ୍ଦବାବୁ—ସେ ତାଙ୍କୁ ବି ଚିହ୍ନି ରଖିଛି ।

 

‘‘ଆଚ୍ଛା, କଙ୍କାଳ ଚିହ୍ନଟି କଣ ?’’

 

ଯୁବକଟି ଇତସ୍ତତଃ ହୋଇ କହିଲା, ‘‘ତାହା କିଛି ନୁହେଁ । ତାହା ହେଉଛି ଆମ ଦଳର ଚିହ୍ନ ।’’

 

‘‘ତମେ କଣ ଜଣେ ଦସ୍ୟୁ ?’’

 

‘‘ହଁ ମୁଁ ଗୋଟାଏ ଡକାୟତ–ମୁଁ ଗୋଟାଏ ପିଶାଚ ।’’ ଆଖି ଦୁଇଟା ଭୟଙ୍କର ହୋଇଉଠିଲା ତାର । ପୁଣି ସ୍ୱଗତ କହି ଉଠିଲା— ‘‘ଲଛମନ୍‌, ତୁ ସୁଖରେ ଥା । ମୁଁ ଆଜିଠାରୁ ଗଲି-। ସ୍ୱର୍ଗରେ ଥାଇ ତତେ ରାହା ଦେଖାଉଥିବି । ତୁ ଦସ୍ୟୁଦଳର ଆଜିଠାରୁ ମାଲିକ । ତତେ ଯେପରି ଏ ହତଭାଗା ପୋଲିସ ଧରି ନପାରନ୍ତି ।’’

 

‘‘ଆଚ୍ଛା–ମୁଁ ବଡ଼ ଖୁସି—ତମେ ନିଜର ଭୁଲ ବୁଝିପାରିଛ—ଏଇ ନିଜ ବୃତ୍ତିରୁ ତମେ ଅପସରି ଯିବବୋଲି ମୋର ଆଶା । ମୁଁ ଜାଣୁଛି ତମେ ଜଣେ ଉଚ୍ଚ ଶିକ୍ଷିତ । ତମେ କେବେହେଲେ ଏପରି ଜୀବନକୁ ପସନ୍ଦ କରିବନି । ଦେଶ ଆମର ସ୍ୱାଧିନ ହୋଇଛି । ସମସ୍ତେ ସମାନ ଅଧିକାର ପାଇ ଗୋଟିଏ ଗୋଟିଏ ସୁନାଗରିକ ହୋଇ ସୁସ୍ଥ ଜୀବନ ଯାପନ କରିବା ଆମର ଲକ୍ଷ୍ୟ । ଯଦି ଦେଶରେ ଏପରି ଗୋଟିଏ ଗୋଟିଏ ଦସ୍ୟୁଦଳ ରହି ଆମ୍ଭମାନଙ୍କର ଧନ ଜୀବନ ବିପନ୍ନ କରିବେ, ତେବେ ଆମେ କେତେ ବର୍ଷରେ ମୁଣ୍ଡ ଟେକିବୁ ? ଆମର ଏପରି ସ୍ୱାଧୀନତା ଲାଭହେଲେ ସୁଦ୍ଧା କଣ ଫଳ ହେବ ? ବର୍ତ୍ତମାନ ଭୁବନେଶ୍ୱର ସହର ଏ ଦସ୍ୟୁ-ଦଳ ଉପଦ୍ରବରେ ଯେପରି ବିପନ୍ନ ହୋଇଛି, ମୁଁ ଆଶା କରୁଛି ଏଠାରେ ଗଢ଼ିଉଠୁଥିବା ରାଜଧାନୀ ସମୂଳେ ଧ୍ୱଂସ ପାଇବ ସିନା ।’’

 

‘‘ମୁଁ ନିଜକୁ ସୁସ୍ଥ ନାଗରିକ ଜୀବନକୁ ଫେରାଇ ଆଣିଛି ପ୍ରେମାନନ୍ଦବାବୁ । ମୋର ଏଇ ଜେଲଖାନା ହେବ–ଚିରଲୀଳାସ୍ଥଳୀ । ଏଇଠି ମୁଁ ଶେଷ ନିଶ୍ୱାସ ଛାଡ଼ିବି—ଜୀବନରେ କରିଥିବା ସବୁ ପାପର ପ୍ରାୟଶ୍ଚିତ ହେବ ।’’

 

‘‘ନା–ତମକୁ ଆମେ ମୁକ୍ତିଦେବୁ । କିନ୍ତୁ ତମେ ଗୋଟାଏ କଥା କରିବ ?’’

 

‘‘କୁହନ୍ତୁ ଆଜ୍ଞା–ମୁଁ କଣ କରିପାରେ ଆପଣଙ୍କର ।’’

 

‘‘ତମେ ଗୋଟାଏ ଚିଠି ଲେଖ ତମ ସର୍ଦ୍ଦାର ପାଖକୁ—’’

 

‘‘No sir, ଜୀବନ ଯିବ ପଛେ ତା କଦାପି କରିପାରିବିନି । ମୁଁ ବିଶ୍ୱାସଘାତକ ହେବି ନାହିଁ । ନା’ ନା’ ମୋତେ ବଳାନ୍ତୁ ନାହିଁ ।’’

 

ପ୍ରେମାନନ୍ଦବାବୁ ହଠାତ୍‌ ରାଗିଉଠି କହିଲେ—‘‘ତମେ ଏଥର ସ୍ୱର୍ଗପୁରକୁ ବାଟ ଖୋଜ-।’’

 

‘‘Well sir, very well । ଶୀଘ୍ର ମାରି ଦିଅନ୍ତୁ । ଉତ୍ତମ ।’’

 

‘‘ନା ତୁମକୁ ଲେଖିବାକୁ ହେବ—ନଚେତ୍‌...’’

 

‘‘ମୃତ୍ୟୁ—ଏଇ କଥା ନା !’’

 

‘‘ମୃତ୍ୟୁ ସରିଯାଇଛି ତମର । ଯମପୁରରେ ଭୋଗିବାକୁ ପଡ଼ିବ ଯମଦଣ୍ଡ ।

 

‘‘ତାହା ମୋର ଜୀବନର ଚରମ ପରିଣତି ହେବ ବୋଲି ମୁଁ ଜାଣେ । ମୁଁ କିନ୍ତୁ କଦାପି ଲେଖିପାରିବିନି ।’’

 

‘‘ଦିନେ ବାଧ୍ୟ ହେବ ତମେ—କିନ୍ତୁ ମଝିରେ ଯମଯନ୍ତ୍ରଣା ଭୋଗିବା ସାର ହେବ ଖାଲି-।’’

 

‘‘ତୋ ପରି ଗୋଟାଏ କୁକୁରର ଆଦେଶ ପାଳନ କରିପାରିବନି ଦସ୍ୟୁ ସର୍ଦ୍ଦାର ବିରେନ୍‌-। ତୋପରି ଅନେକ ପୁଲିସକୁ ଗୋଟାଏ ଫୁତ୍‌କାରରେ ଉଡ଼ାଇଦେଇପାରିବ, ଗୋଟାଏ ମୂହୁର୍ତ୍ତରେ-। ସୁରେନ୍ଦ୍ର ଆଉ ବୀର ଆଜି ପ୍ରାଣତ୍ୟାଗ କରିଛନ୍ତି—କାହାର କୌଶଳରେ ?’’

 

ହୋଃ ହୋଃ ହୋଇ ହସି ଉଠିଲେ ପ୍ରେମାନନ୍ଦବାବୁ । ସେ ଆଉ କିଛିଦିନ ଅପେକ୍ଷା କରି ପୁଣି ତାଙ୍କର କାର୍ଯ୍ୟ ହାସଲ କରିବାକୁ ମନେ ମନେ ସ୍ଥିର କରି ଅଫିସକୁ ଫେରି ଆସିଲେ ।

 

ଅଫିସ ଘରେ ପ୍ରେମାନନ୍ଦବାବୁ ଦସ୍ୟୁର ପୋଷାକଟି ଓ ନିମନ୍ତ୍ରଣ କାର୍ଡ ଖଣ୍ଡିକ ଆହୁରି ଥରେ ପରୀକ୍ଷା କଲେ । ତାଙ୍କ ମନ ଉଜ୍ଜ୍ୱଳ ହୋଇ ଉଠିଲା । ଆଗାମି ବୈଠକ ଆସନ୍ତା ଅମାବାସ୍ୟା ରାତିରେ । ଆଉ ମୋଟେ ଚାରିଦିନ ରହିଲା । ବେଶ୍‌ ଖୁବ୍‌ ଭଲ ହେବ । ଏଥର ଦସ୍ୟୁଦଳ ଧରାପଡ଼ିବାରେ କିଛି ଅସୁବିଧା ରହିବ ନାହିଁ । ସେ ପୋଷାକପତ୍ର ନେଇ ସୁକାନ୍ତବାବୁଙ୍କ ଘରକୁ ଧାଇଁଲେ ।

 

ସୁରମା ଡ୍ରଇଁ ରୁମରେ ବଡ଼ ଉଦବେଗରେ ପ୍ରେମାନନ୍ଦବାବୁଙ୍କୁ ଅପେକ୍ଷା କରିଥାଏ । ପ୍ରେମାନନ୍ଦବାବୁଙ୍କ ପ୍ରବେଶରେ ସେ ଆନନ୍ଦୋତ୍‌ଫୁଲ୍ଲ ହୋଇ ଉଠିଲେ । ପେମାନନ୍ଦବାବୁ ମଧ୍ୟ ଆନନ୍ଦରେ ଅଧୀର ହୋଇ କହିଲେ, ‘‘ସୁରମା ଦେବୀ, ଆପଣ ପ୍ରକୃତ ଦସ୍ୟୁକୁ ଏତେଦିନ ଧରିପାରିଛନ୍ତି । ଏଇ ନିଅନ୍ତୁ ଦସ୍ୟୁର ପୋଷାକ, ଆଉ ନିମନ୍ତ୍ରଣ ପତ୍ର ।’’

 

ମନୋରମା ତାହା ସବୁ ନେଇ ନିରୀକ୍ଷଣ କରି ଦେଖିଲା । ପ୍ରେମାନନ୍ଦବାବୁ ତା କାନପାଖରେ ମୁହଁ ଲଗାଇ କ’ଣ କହିଲେ । ସୁରମା ମଧ୍ୟ କଣ ଚୁପ୍‌ ଚୁପ୍‌ କରି ପ୍ରେମାନନ୍ଦବାବୁଙ୍କୁ କହିଲା । ପ୍ରେମାନନ୍ଦବାବୁ ଅଳ୍ପ ସମୟ ପରେ ଫେରି ଆସିବେ ବୋଲି କହି ବିଦାୟ ନେଲେ ।

 

ଦସ୍ୟୁଗୁହାର ସଭାଗୃହଟି ସୁସଜ୍ଜିତ । ବିଦ୍ୟୁତ୍‌ ଆଲୋକରେ ଉଦ୍‌ଭାସିତ ହୋଇ ଉଠୁଛି ଆଜି ଦସ୍ୟୁପୁରୀ । ଦସ୍ୟୁସର୍ଦ୍ଦାର ସଭା ମଣ୍ଡପ ଉପରେ ଆସୀନ । ତା ପାଖକୁ ଲାଗି ଦୁଇଟି ଚେୟାର—ତାହା ସହକାରୀ ସର୍ଦ୍ଦାର ଦ୍ୱୟଙ୍କର ନିଶ୍ଚୟ । ଅଳ୍ପ ଆଗକୁ ଗୋଟିଏ କଡ଼କୁ ନାରୀମାନଙ୍କ ପାଇଁ ଓ ଅପର କଡ଼ରେ ପୁରୁଷମାନଙ୍କର ସୁନ୍ଦର କୁସନ୍‌ ଆସନର ବ୍ୟବସ୍ଥା କରାଯାଇଛି ।

 

ସଂଧ୍ୟା ସାତଟା—ଦସ୍ୟୁଦଳର ନିର୍ଦ୍ଦିଷ୍ଟ ସମୟ । ଆଜି ହେଉଛି ମାସିକ ଅଧିବେଶନ । କ୍ରମେ କ୍ରମେ ସଭ୍ୟଗଣ ନିଜ ନିଜର ଆସନରେ ଉପବେଶନ କଲେ । ଦ୍ୱିତୀୟ ନମ୍ବର ଦସ୍ୟୁ ବିରେନ୍‌ ସର୍ଦ୍ଦାରଙ୍କୁ ନମସ୍କାର କରି ୨ୟ ନମ୍ବର ଆସନରେ ବସିପଡ଼ିଲା । ବିରେନ୍‌ ସହିତ ମଧ୍ୟ ସାତ ନମ୍ବର ଦସ୍ୟୁ ରବିନ୍‌ ଥିଲା । ସେ ନିଜର ଆସନରେ ବସି ପଡ଼ି ସର୍ଦ୍ଦାରଙ୍କ ମୁଖକୁ ଅନବରତ ଚାହିଁ ରହିଲା । ସର୍ଦ୍ଦାର ବିରେନ୍‌ ମୁଖକୁ ଅନବରତ ଚାହିଁ ରହିଲା । ସର୍ଦ୍ଦାର ବିରେନ୍‌ ମୁଖକୁ ଅନାଇ କହିଲେ, ‘‘ତୁମେ ସୁରମା ଘରକୁ ଯାଇଥିଲ, କଣ ହେଲା ?’’

 

ବିରେନ୍‌ ଇତସ୍ତତଃ ହୋଇ କହିଲେ, ‘‘ନା’ ମୁଁ ଯାଇ ନାହିଁ କିମ୍ବା ଯିବାକୁ ସାହସ କରି ନାହିଁ । ଦେଖୁଛି ସେ ବଡ଼ ଚତୁରୀ । ଆଜିର ଅଧିବେଶନରେ ତାହାକୁ ଅପହରଣ କରିବାର ଉପାୟ ଚିନ୍ତା କରାଯିବ ।’’

 

ସର୍ଦ୍ଦାର ଲଛମନ କହିଲେ—‘‘ମନୋରମା ବଡ଼ ଚତୁରୀ, ନା—ଆଚ୍ଛା ଆଜି ଏ ଅଧିବେଶନରେ କି, କି ବିଷମ ଆଲୋଚନା ହେବ—ତାହା ଠିକ ହୋଇଛି ନା ?’’

 

ତୃତୀୟ ନମ୍ବର ଦସ୍ୟୁ ଉଠି Agenda ଟିକୁ ପଢ଼ିବାକୁ ଲାଗିଲେ ।

 

୧ । ଗତ ତା୨୪-୭-୫୩ରେ ପୁରୀରୁ ଅପହୃତ ହୋଇଥିବା କୁମାରୀ ପ୍ରଭା ଓ ସୁପ୍ରଭାଙ୍କୁ ଆଜି ବନଦେବୀଙ୍କ ନିକଟରେ ବଳି ଦିଆଯିବ । ସେମାନେ ଏ ପର୍ଯ୍ୟନ୍ତ ସର୍ଦ୍ଦାରଙ୍କ କଥାରେ ଏକମତ ହୋଇ ନାହାନ୍ତି ।

 

୨ । ସୁରେନ୍ଦ୍ରର ସ୍ତ୍ରୀ ଜିତା ଦେବୀଙ୍କୁ ଆଜି ଅଧିବେଶନରେ ଅପମାନିତ କରାଯିବ । ସେ ଏ ପର୍ଯ୍ୟନ୍ତ ଆମ କଥାରେ ଏକମତ ହୋଇ ନାହିଁ ।

 

୩ । ନଳିନୀ ବାବୁଙ୍କ ହତ୍ୟାର ଭୟ ଦେଖାଇ ତାଙ୍କଠାରୁ Willଟି କରଗତ କରିବାକୁ ପଡ଼ିବ ।

 

୪ । ସୁରମା ଓ ମନୋରମାକୁ ଅପହରଣ କରିବାକୁ ବ୍ୟବସ୍ଥା କରାଯିବ ।

 

୫ । କୁମାରୀ ରେଣୁକା ବୋଷଙ୍କୁ ତାଙ୍କର ଦକ୍ଷତା ପାଇଁ ପୁରସ୍କାର ଦିଆଯିବ । ସେ ଗୋଟିଏ ମାରଣାସ୍ତ୍ର ନିର୍ମାଣ କରିଛନ୍ତି—ଯାହାକି ପାଞ୍ଚ ମିନିଟ୍‌ ଭିତରେ କୋଟି କୋଟି ମାନବ ଧ୍ୱଂସ କରିଦେବ ।

 

୬ । ଗତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ କୁମାରୀ ସୁନୀତି ଦେବି, ଭଲିଖେଳରେ ନିର୍ମଳା ଦେବୀ, ବ୍ୟାଟରେ ଉର୍ମିଳା ଦେବୀ—ଲମ୍ବଡିଆଁରେ ଭକ୍ତଚରଣ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାହାଙ୍କୁ ପୁରସ୍କାର ଦିଆଯିବ ।

 

୭ । ସର୍ଦ୍ଦାରଙ୍କ ସହିତ ଦଳର ମୁଖ୍ୟ କର୍ତ୍ତାମାନଙ୍କର ଗୁପ୍ତ ଆଲୋଚନା ।

 

୮ । ଅନ୍ୟାନ୍ୟ ଘଟଣାବଳୀ ।

 

୯ । ପ୍ରୀତି ଭୋଜନ ପରେ ସଭା ଭଙ୍ଗ କରାଯିବ ।

 

ସଭାକାର୍ଯ୍ୟ ଆରମ୍ଭ ହେବାକୁ ଆଉ ପ୍ରାୟ ପନ୍ଦର ମିନିଟ୍‌ ବାକି ଅଛି । ସବୁ ଦସ୍ୟୁ ନିଜ ନିଜର ଆସନ ଅଧିକାର କରୁଛନ୍ତି, ଗୋଟିଏ ଆସନ ଖାଲି ଅଛି । ଦେଖାଗଲା ଯେ ଦସ୍ୟୁ ରବୀନ୍‌ ଏ ପର୍ଯ୍ୟନ୍ତ ଆସିଲା ନାହିଁ । କିଛି ସମୟ ଅପେକ୍ଷା କରାଗଲା । ରବୀନ୍‌ର ଦେଖା ନାହିଁ । ହଠାତ୍‌ ଜଣେ କେହି ପହଞ୍ଚିଲେ । ସର୍ଦ୍ଦାର ସଚକିତ ନୟନରେ ଆଗନ୍ତୁକର ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ନିରୀକ୍ଷଣ କରି କର୍କଶ ସ୍ୱରରେ କହିଲେ, ‘‘ତୁମେ କିଏ ?’’

 

‘‘ମୁଁ ଦୁଇ ନମ୍ବର ଦସ୍ୟୁ ବିରେନ୍‌ ।’’

 

ସର୍ଦ୍ଦାର ନିକଟସ୍ଥ ଦସ୍ୟୁ ବୀରାନ୍‌ ଆଡ଼କୁ ଚାହିଁ ଆଗକ ଆଡ଼କୁ ଚାହିଁଲେ । ତାଙ୍କ ମନ ଭିତରେ ସନ୍ଦେହର ଛାୟା ଘେରିଗଲା । ସେ ଠିଆ ହୋଇ କହିଲେ, ‘‘ବନ୍ଧୁଗଣ ! ନିଶ୍ଚୟ ପୋଲିସ ଆମର ସନ୍ଧାନ ପାଇ ପାରିଛି । ମୁଁ ଆଶ୍ୱସ୍ଥ ହୋଇଥିଲି ସୁରେନ୍ଦ୍ର ଓ ବୀର କିଶୋରର ମୃତ୍ୟୁ ଖବର ପାଇ, କିନ୍ତୁ ସେମାନେ କିପରି ମଲେ କେଉଁଠି ମଲେ ତାହାର କୌଣସି ସଠିକତା ନଥିବାରୁ ସେ ଖବରକୁ ମଧ୍ୟ ମିଥ୍ୟାବୋଲି ମନେକରେ ।’’

 

ବିରେନ୍‌ କୃତ୍ରିମ ସାହସ ଦେଖାଇ କହିଲା, ‘‘ତାହାହିଁ ମୋର ବିଶ୍ୱାସ । ଏହି ଆଗନ୍ତୁକ ଯେ ପୋଲିସ ଦଳର ଲୋକ ଏଥିରେ ସନ୍ଦେହ କରିବାର କିଛି ନାହିଁ ।’’ ସର୍ଦ୍ଦାର କହିଲେ, ‘‘ରଣଜିତ୍‌, ଏଇ ଆଗନ୍ତୁକଟିକୁ ଶୀଘ୍ର ହତ୍ୟାକର । ହଁ ସୁବାସ (୭ମ ନମ୍ବର ଦସ୍ୟୁ) ସୁଇଚ୍‌ ଠିକ୍‌ ରଖ—ବିପଦ ନିଶ୍ଚୟ ଅବଶ୍ୟମ୍ଭାବୀ ।’’ ସୁବାସ ସଙ୍ଗେ ସଙ୍ଗେ ନିଜ କାମରେ ଉଠି ଚାଲିଗଲା । ସଭାର ଉପସ୍ଥିତ ସମସ୍ତଙ୍କ ମୁଖରେ ବିଷାଦର ଛାୟା ଖେଳିଗଲା ।

 

ଆଗନ୍ତୁକଟି କହିଲା, ‘‘ସର୍ଦ୍ଦାର ମୁଁ ଆଜି ଏକା ମରିବି ନାହିଁ—ସମସ୍ତେ ସାଥି ହୋଇ ମରିବା । ଧନ୍ୟ ବୁଦ୍ଧି ! ଆଜି ଏଇ ସଭା ଭିତରେ ପୋଲିସ ଯେ ଲୁଚି ରହିଛି—ତାହା ଆପଣଙ୍କ ପରି ସୁଚତୁର ଲୋକ ଜାଣିପାରି ନାହିଁ ।’’ ବିରେନ୍‌ର ଭୟର ଉପକ୍ରମ ହେଲା ।

 

ସମସ୍ତେ ନିଜ ନିଜ ଆଡ଼କୁ ଥରେ ଥରେ ଅନାଇ ଆଗନ୍ତୁକ ଆଡ଼କୁ ଚାହିଁ ରହିଲେ ।

 

ବିରେନ୍‌ ସାହସର ସହିତ କହିଲା, ‘‘ସର୍ଦ୍ଦାର—ଏ ଗୋଟିଏ ପାଗଳ ନିଶ୍ଚୟ । ପୋଲିସ ଆମ ଭିତରେ ଅଛି—ଏହା ଅସମ୍ଭବ । ଏଇ ନିଶ୍ଚୟ ପୋଲିସ ଦଳର ଲୋକ ହୋଇ ଛଳନା କରୁଛି-। ଏହାକୁ ଶୀଘ୍ର ହତ୍ୟା କରାଯାଉ ।’’

 

‘‘ଏହା ଆଦୌ ଅସମ୍ଭବ ନୁହେଁ–ଏହା ନିହାତି ସମ୍ଭବ—ପୋଲିସ ସର୍ଦ୍ଦାରଙ୍କ ଅତି ନିକଟରେ ।’’ ଆଗନ୍ତୁକଟି କହି ଉଠିଲେ । ସର୍ଦ୍ଦାର ଚାରିଆଡ଼କୁ ଚାହିଁଲେ ।

 

ବିରେନ୍‌ ସେତେବେଳକୁ ଜାଣିପାରିଲା ମୃତ୍ୟୁ ଏଥର ନିଶ୍ଚୟ ।

 

ସର୍ଦ୍ଦାର ଆଗନ୍ତୁକଟିକୁ ବିରେନ୍‌ ବୋଲି ଚିହ୍ନିପାରିଲେ ନାହିଁ । ସେ ନିଶ୍ଚିତ ରୂପେ ଜାଣିଥିଲେ ଯେ ବିରେନ୍‌ ତାଙ୍କର ଅତି ନିକଟରେ ।

 

ବିରେନ୍‌ର ପୋଷାକ ଓ ଦାଢ଼ୀ ନିଶ ଠିକ୍‌ ସର୍ଦ୍ଦାରଙ୍କ ନିକଟସ୍ଥ ୨ୟ ନମ୍ବର ଦସ୍ୟୁ ପରି । କିନ୍ତୁ ଆଗନ୍ତୁଙ୍କର ପରିପାଟି ସେପରି ନଥିଲା । ସର୍ଦ୍ଦାର ସନ୍ଦେହରେ, ତୀକ୍ଷ୍‍ଣ ଦୃଷ୍ଟିପକାଇ ଆଗନ୍ତୁକ ଆଡ଼କୁ ଚାହିଁ ରହିଲେ ।

 

ଆଗନ୍ତୁକଟି କହି ଉଠିଲା—‘‘ସର୍ଦ୍ଦାର ଦେଖନ୍ତୁ ସୁକାନ୍ତବାବୁଙ୍କ ମୃତ୍ୟୁ ଖବର ମିଥ୍ୟା ।’’ ସର୍ଦ୍ଦାର ଆଶ୍ଚର୍ଯ୍ୟ ହୋଇ ଚାରିଆଡ଼କୁ ଚାହିଁ କହିଲେ—‘‘ସୁକାନ୍ତର ମୃତ୍ୟୁ ଖବର ମିଥ୍ୟା !’’ ସୁରେନ୍ଦ୍ର ଆଉ ବୀର କିଶୋରର ମୃତ୍ୟୁ ମଧ୍ୟ ମିଥ୍ୟା—ଅସମ୍ଭବ ।’’

 

୨ୟ ନମ୍ବର ଦସ୍ୟୁ ନିଶ୍ଚିତ ରୂପେ ଜାଣିପାରିଲେ ଯେ ଆଗନ୍ତୁକଟି ଜେଲରେ ଥିବା ରାମଚନ୍ଦ୍ର ଚୌଧୁରୀ । ତେବେ ଆଶ୍ଚର୍ଯ୍ୟ ହେଲେ–ଜେଲର ଫାଟକ ଡେଇଁ ଆସିଲା କିପରି ?

 

ଆଗନ୍ତୁକଟି କହିଲା, ‘‘ମୁଁ ସୁରମା ଘରକୁ ଯାଇଥିଲି । ପ୍ରେମାନନ୍ଦ ମୋଠାରୁ ପୋଷାକ ଇତ୍ୟାଦି ନେଇ ଓ ନିଶ ଦାଢ଼ି କାଟି ଜେଲରେ ରଖିଥିଲା । ମୁଁ କଳ କୌଶଳରେ ମାସିକ ଅଧିବେଶନରେ ଯୋଗଦେବା ପାଇଁ ଜେଲରୁ ଖସି ପଳାଇ ଆସିଛି ।’’

 

ସର୍ଦ୍ଦାର ଉଭୟ ସଙ୍କଟରେ ପଡ଼ି ବିରେନ୍‌ ଆଡ଼କୁ ପୁଣି ଥରେ ଚାହିଁଲେ । ପୁଣି ମୁଖ ଫେରାଇ ଆଣି କହିଲେ—‘‘ବନ୍ଧୁଗଣ ଘଟଣାଟା କଣ କିଛି ବୁଝିହେଉ ନାହିଁ । ବିରେନ୍‌ କଥାର ବିପରୀତ ହେଉଛି ଆଗନ୍ତୁକ କଥା । ସେ କୌଣସି କଥା ଠିକ୍‌ ନ କରିପାରି ବିଦ୍ରୂପ ହସ ହସି କହିଲେ, ‘‘ତା ହେଲେ ୨ୟ ନମ୍ବର ଦସ୍ୟୁ ସୁରେନ୍ଦ୍ର । ଠିକ୍‌ ଅଛି । ଜାଣି ଜାଣି ଧରା ଦେଇଛି ଶିକାରୀ ଜାଲରେ । ମୁଁ ଜାଣିଛି ସେ ଆସିଛି ଅନେକ ଥର ଏ ଦସ୍ୟୁପୁରକୁ । ଦୟାକରି ଛାଡ଼ି ଦେଇଥିଲି—କ୍ଷମା ଦେଇଥିଲି ତାକୁ । ତାର ମୃତ୍ୟୁ ଖବର ପାଇ ବିଶେଷ ଆଶ୍ୱସ୍ଥ କିମ୍ବା ଖୁସି ହୋଇ ନ ଥିଲି । ତାର ମୃତ୍ୟୁକୁ ମୁଁ ମଧ୍ୟ ବିଶ୍ୱାସ କରି ନଥିଲି । ସେ ମୃତ୍ୟୁର ଛଳନା କରି ଯେ ମୃତ୍ୟୁମୁଖରେ ବଳେ ବଳେ ପତିତ ହେବ, ମୁଁ କଳ୍ପନା କରି ନଥିଲି । ବେଶ୍‌ ଭଲ କଥା ।’’

ସମସ୍ତେ ଭୟରେ ଓ ଉଦବେଗରେ ଚାହିଁ ରହିଲେ ୨ୟ ନମ୍ବର ଦସ୍ୟୁଆଡ଼େ ।

ସର୍ଦ୍ଦାର ୨ୟ ନମ୍ବର ଦସ୍ୟୁର ଥୋଡ଼ିକି ଧରି କହିଲେ—‘‘ତୁମେ ବିରେନ୍‌ ନା ? ସଙ୍ଗେ ସଙ୍ଗେ ନିଶ ଓ ଦାଢ଼ି ଖସିପଡ଼ିଲା । ଉତ୍ତ୍ୟକ୍ତ ହୋଇ ସର୍ଦ୍ଦାର କହିଲେ ‘‘ସୁରେନ୍ଦ୍ର–ବାଃ ବାଃ, ଠିକ୍‌ କରିଛୁ । ତୋରି ରକ୍ତ ଆଜି ମଣ୍ଡିତ କରିବ ବନଦେବୀଙ୍କ ଜିହ୍ନା ।’’

‘‘ସେଥିପାଇଁ ମୋର ଭୟ ନାହିଁ’’—ସୁରେନ୍ଦ୍ରବାବୁ କହିଲେ ।

ସର୍ଦ୍ଦାର ଗର୍ଜିଉଠି କହିଲେ—‘‘ବେଶ୍‌ ଭଲ କଥା, ଆଜି ଯମାଳୟରେ ନର୍କଦଣ୍ଡ ଭୋଗିବାକୁ ପଡ଼ିବ । ରଣଜିତ୍‌ ସେ ଇଂଜେକ୍‌ସନ ଫାଇଲ୍‌ଟା ଆଣ ।’’

ରଣଜିତ୍‌ ଇଞ୍ଜେକ୍‌ସନ ଫାଇଲଟି ଆଣି ଥୋଇଦେଲା ସର୍ଦ୍ଦାରଙ୍କ ନିକଟରେ ।

ରବିନ୍‌ କେବଳ ଆଶଙ୍କା ଓ ଆବେଗରେ ଚାହିଁରହିଥାଏ ।

ସର୍ଦ୍ଦାର କହି ଉଠିଲେ, ‘‘ଜାଣୁ ସୁରେନ୍ଦ୍ର, ଏ ଇଞ୍ଜେକ୍‌ସନର କ୍ରିୟା ?’’

ଗୁରୁଗମ୍ଭୀର ସ୍ୱରରେ ଉତ୍ତର ଆସିଲା—‘‘ତୋଠାରୁ ଅଧିକ ଜାଣେ ।’’

ସର୍ଦ୍ଦାର ସୁରେନ୍ଦ୍ର ବାବୁଙ୍କ ବାହୁକୁ ଧରି କହିଲା—‘‘ସୁରେନ୍ଦ୍ର, ଏଇ ଇଞ୍ଜେକ୍‌ସନ ଦ୍ୱାରା ଚିରଦିନ ପାଇଁ ଭୁଲିଯିବ ଦୁନିଆକୁ । ବେଶ୍‌ ଆଉ ଗୋଟିଏ ସେକେଣ୍ଡରେ ।’’

ପୁଣି ସମସ୍ତେ ନିଶ୍ଚଳ ଓ ନିସ୍ପନ୍ଦ ହୋଇ ବସି ରହିଲେ । ବିଷାଦର ଛାୟା ପୁଣି ଫେରିଗଲା । ସମସ୍ତେ ସର୍ଦ୍ଦାରଙ୍କ ମୁଖକୁ ଚାହିଁ ରହିଲେ ।

ସର୍ଦ୍ଦାର ଗର୍ଜି ଉଠି କହିଲା ‘‘କହ ସୁରେନ୍ଦ୍ର—ଆଉ କିଏ ଆମ ଆମ ଭିତରେ ପୋଲିସ-?’’

‘‘ମୁଁ ଜାଣେ ନା ସର୍ଦ୍ଦାର—’’

ପୁଣି ନିରବତା ଗ୍ରାସକଲା ସଭା ମଣ୍ଡପକୁ ।

‘‘ଦେଖ ସୁରେନ୍ଦ୍ର, ତୋର ବଞ୍ଚିବାର ଆଉ ଅବସର ମୋଟେ ପାଞ୍ଚମିନିଟ; ଅର୍ଥାତ୍‌ ଇଞ୍ଜେକ୍‌ସନ ନେବାର ପାଞ୍ଚମିନିଟ ପରେ... ଯଦି ତୋର ମରଣକୁ ଭୟ ଥାଏ, ତେବେ ଶୀଘ୍ର କହ ଆଉ କିଏ ଆମ ଭିତରେ ପୋଲିସ ଅଛି ?’’

 

‘‘ତୋତେ ଯେଉଁମାନେ ସର୍ଦ୍ଦାର ବୋଲି ମନେ କରିଛନ୍ତି—ସେଇମାନେ ପୋଲିସ ଦଳର କାହିଁକି ସହରର ବହୁ ଉଚ୍ଚ ପଦସ୍ଥ ଗଣ୍ୟମାନ୍ୟ ବ୍ୟକ୍ତି ମଧ୍ୟ । ସମସ୍ତେ ଏଇ ସଭା ମଣ୍ଡପରେ ଅଛନ୍ତି ।’’

 

‘‘ହୁଁ, ତାହାହିଁ ଠିକ୍‌ । ତୁ ଯଦି ମୋଦଳରେ ମିଶିଯାନ୍ତୁ, ତତେ ମୁଁ ଅନେକ ରତ୍ନ ପୁରସ୍କାର ଦିଅନ୍ତି । ଫେରାଇ ଦିଅନ୍ତୁ ତୋର ପ୍ରାଣର ଜିତାକୁ । ତୋତେ ଅର୍ପଣ କରନ୍ତି ଶତଶତ ଷୋଡ଼ଶୀ ଓ ରୂପସୀ ଝିଅଙ୍କର ଲବଣୀ ପିତୁଳା ତନୁଲତା ।’’

 

ଜିତା ନାମଟି ହଠାତ୍‌ ଶୁଣି ସୁରେନ୍ଦ୍ରବାବୁ ଚମକି ଉଠିଲେ । ଅନ୍ତରର କେଉଁ ନିଭୃତ କୋଣରୁ କୋହର ଢେଉ ମାଡ଼ି ଆସିଲା । କୋହ ଚାପି କହିଲେ, ‘‘ସର୍ଦ୍ଦାର ତୁ ଏଇ କେତୋଟି ନ୍ୟସ୍ତସ୍ୱାର୍ଥ ଲୋକଙ୍କୁ ତୋର କବଳରେ ବାନ୍ଧି ରଖିଛୁ ବୋଲି ସୁରେନ୍ଦ୍ରକୁ ଧନ ଓ ଭୋଗ ଲୋଭରେ ବାନ୍ଧିପାରିବୁ , ତା ନୁହେଁ । ସୁରେନ୍ଦ୍ର ଜନ୍ମ ହୋଇଛି ତମଭଳି ଦଳର ଯମ ହୋଇ ।’’

 

ସର୍ଦ୍ଦାର ହସି ଉଠିଲା ହୋ ହୋ ହୋଇ । ପରକ୍ଷଣରେ ସର୍ଦ୍ଦାର ଲଜ୍ଜିତ ହୋଇଗଲା ଓ କହିଲା, ‘‘ହଁ ଜାଣେ, ସୁବାସ ବର୍ତ୍ତମାନ ବନ୍ଦୀ ।’’ ପୁଣି ସୁରାନ୍ଦ୍ରେ ବାବୁକୁ ଧରି ଇଞ୍ଜେକ୍‌ସନ ଦେବାକୁ ଉଦ୍ୟତ ହେଲା । ସମସ୍ତେ ଚାହିଁ ରହିଲେ ଅପଲକ ଦୃଷ୍ଟିରେ ।

 

ସୁବାସ ମେସିନ୍‍ଗନ୍‍ଗୁଡ଼ିକରେ ବାରୁଦ ଭରି ରଖିବ କଣ, ତାହାର ସବୁ ମେସିନଗୁଡ଼ିକୁ ଅଚଳ କରିଦେଲା । ତା’ପରେ ସେଠାରୁ ଗଲା ବିଜୁଳି ଶକ୍ତି କାରଖାନାକୁ । ସେଠାରେ ଥିବା ସମସ୍ତ କଳ ଅଚଳ କରିସାରିବାପରେ ସଂଗୃହୀତ କରେଣ୍ଟରୁ ପ୍ରଧାନ ପ୍ରଧାନ ତାରଗୁଡ଼ିକ କାଟିଦେଲା । ତାପରେ ଦସ୍ୟୁଗୁହାରେ ଥିବା ରାସାୟନିକ ଗବେଷଣାଗାରକୁ ଖୁବ୍‌ ଶକ୍ତି ଭାବରେ ଚାବି ପକାଇ ପକେଟରେ ଚାବି ରଖିଲା । ଅସ୍ତ୍ର ଶସ୍ତ୍ର ଗଚ୍ଛିତ ଥିବା ଗୃହରେ ମଧ୍ୟ ତାଲା ପକାଇ ଚାବିଟି ପକେଟରେ ରଖି ଗୁହାଦ୍ୱାରକୁ ଗଲା ।

 

‘‘କୌନ ହୈ ? ସୁବାସ, କ୍ୟା ବାତ ହୈ ?’’

 

‘‘କିଛି ନାହିଁ ରହମାନ, ତୁ ଜାଣିଛୁନା ଆଜି ପୋଲିସ ଏ ଗୁହାକୁ ଆସୁଛି ।’’

 

ରହମନ ବଡ଼ ଭୟଭୀତ ହୋଇ ପଡ଼ିଥିଲା । ‘‘ସଚ୍‌ ବାତ୍‌ କ୍ୟା ସୁବାସ ?’’ ସୁବାସ ଏଇ ଅବସରରେ ତା ମୁହଁରେ କ୍ଲୋରୋଫର୍ମ ପଟି ବାନ୍ଧି ଦେଇ ଅଚେତ୍‌ କରି ଗୋଟାଏ କଡ଼ରେ ଶକ୍ତ ଦୌଡ଼ରେ ବାନ୍ଧି ପକାଇଲା । ତାପରେ ଗୃହାଦ୍ୱାରରୁ ପଥର ବାହାର କରି ଖୁବ୍‌ ଜୋରରେ ହୁଇସିଲ ବଜାଇଲା ।

 

ସର୍ଦ୍ଦାର ବିଦ୍ରୂପ ହସ ହସି କହିଲା, ‘‘ସୁରେନ୍ଦ୍ର, ମୁଁ ମୋ ନିଜ ହାତରେ ତତେ ହତ୍ୟା କରିବି ସୁରେନ୍ଦ୍ର । ତୋର ଲାଲରକ୍ତ ଦେଖି ମୁଁ ହସି ଉଠିବି—ବେଶ୍‌ ରଖିଦିଅ ଏଇ ଇଞ୍ଜେକସନ ମୁଁ ନିଜେ ହତ୍ୟା କରି ମୋର ହାତ ସାର୍ଥକ କରିବି ।’’

 

ଜୋତା ମଚ୍‌ ମଚ୍‌ ଶବ୍ଦ ହେଲା । ସର୍ଦ୍ଦାର ଭୟହୀତ ହୋଇ ପଛକୁ ଚାହିଁଲା । ସେ ଯାହା ଦେଖିଲା ତାର ମୃତ୍ୟୁର ଉପକ୍ରମ ହେଲା ।

 

ସଙ୍ଗେ ସଙ୍ଗେ ଦସ୍ୟୁମାନେ ନିଜ ନିଜର ପିସ୍ତଲଗୁଡ଼ିକ ଧରି ପୋଲିସ ଦଳକୁ ଆକ୍ରମଣ କଲେ । କିନ୍ତୁ ଦସ୍ୟୁଙ୍କ ସଂଖ୍ୟା ଅପେକ୍ଷା ପୋଲିସ ସଂଖ୍ୟା ଥିଲା ଯଥେଷ୍ଟ ଅଧିକ । ଇନସ୍‌ପେକ୍ଟର ପ୍ରେମାନନ୍ଦବାବୁ ଉତ୍ତ୍ୟକ୍ତ ହୋଇ କହିଲେ, ‘‘ଯଦି ତୁମ୍ଭମାନଙ୍କର ଜୀବନରେ ଆଶା ଥାଏ, ତେବେ ସୁନାପିଲାଟିପରି ସବୁ ପିସ୍ତଲଗୁଡ଼ିକ ରଖିଦିଅ, ଆଉ ଯଦି ତାହା ଏଠାରେ ପ୍ରୟୋଗ କରିବାକୁ ଚାହିଁବ, ତେବେ ଥରେ ପରୀକ୍ଷା କରି ଦେଖିନିଅ ଯେ ତା ଭିତରେ ଗୁଳି ନାହିଁ, ଅଛି ଗୁଡ଼ାଏ ବ୍ଲାଙ୍କ ଫାୟାର ପାଇଁ ବାରୁଦ ।’’

 

ଦସ୍ୟୁଦଳ ଆଶ୍ଚର୍ଯ୍ୟ ହୋଇ ଉଠିଲେ ପୋଲିସ ତାଙ୍କ ଭିତରେ ଅନେକୁ ଦିନରୁ ପଶି ସେମାନଙ୍କୁ ଧରିବାକୁ ସାହସ କରୁଛି ।

 

ସୁରେନ୍ଦ୍ର ବାବୁ ଟିକିଏ ହସି କହିଲେ, ‘‘ସର୍ଦ୍ଦାର, ଏବେ ଚିହ୍ନିଲ ଆଉ ଜଣେ ପୋଲିସ କିଏ ଏଇ ଦସ୍ୟଦଳ ଭିତରେ ?’’

 

ସର୍ଦ୍ଦାର ସଙ୍ଗେ ସଙ୍ଗେ ଅସ୍ତ୍ରାବନତ କଲା । ପରେ ପରେ ସମସ୍ତ ଦସ୍ୟୁ ଅସ୍ତ୍ରାବନତ କଲେ ।

 

ସୁରେନ୍ଦ୍ର ବାବୁ କହିଲେ—‘‘ସର୍ଦ୍ଦାର ବର୍ତ୍ତମାନ ତୁମେ ଭାବୁଥିବ ତୁମେ ଯାଇ ଏଇ ତୁମର ମେସିନଗନ୍‌ ଚଳାଇ ପୋଲିସ ଫୋର୍ସକୁ ଆକ୍ରମଣ କରିବ କିମ୍ବା ଭୂମିରେ ବିଜୁଳି ସ୍ରୋତ ଖେଳାଇ ପୋଲିସ ଦଳକୁ ହତ୍ୟା କରିବ । କିନ୍ତୁ ସବୁ ଆଗରୁ ନଷ୍ଟ କରିଦିଆଯାଇଛି । ବର୍ତ୍ତମାନ ପଦେମାତ୍ର ହଲଚଲ ହେଲେ ବିପଦ ।’’

 

ପ୍ରେମାନନ୍ଦବାବୁ ସମସ୍ତ ଦସ୍ୟୁଙ୍କୁ ଲୌହ କଙ୍କଣ ପିନ୍ଧାଇ ଦେଲେ ।

 

ସୁରେନ୍ଦ୍ରବାବୁ ବିଦ୍ରୂପ କରି କହିଲେ, ‘‘ପ୍ରେମାନନ୍ଦବାବୁ ଆମେ ଦୁଇଜଣ ରହିଗଲୁ ଯେ–ବିରେନ୍‌ ଆଉ ସୁବାସ ।’’

 

ପ୍ରେମାନନ୍ଦବାବୁ ହସି ହସି କହିଲେ, ‘‘ତମେ ପୋଲିସ ଫୋର୍ସ ଆସିବାପାଇଁ କହି କୁଆଡ଼େ ଗଲ କି ?’’

 

‘‘ମୁଁ ପରା ନାରୀହରଣ ସଂଘର ୨ୟ ସଭ୍ୟ । ଡେରି ହୋଇଯିବ ବୋଲି ଶୀଘ୍ର ଚାଲିଆସିଲି ।’’

 

‘‘ଆରେ ମୋ ମତରେ ଆପଣ ସୁରମା ବେଶ ସାଜି ଭଲ ପ୍ରେମ କରିପାରିଥାନ୍ତେ, ଦସ୍ୟୁଦଳର ଅନେକ ରସିକିଆ ବୋକାଙ୍କୁ ଭୁଲାଇ ପାରିଥାନ୍ତେ । ରାଜି ହୋଇଥିଲେ ରାଜଭୋଗ ମିଳିଥାନ୍ତା, ଏ ବିପଦ ଭିତରେ ପଶିଲେ କାହିଁକି ? ଯାହା କହନ୍ତୁ ସୁରବାବୁ, ଆପଣଙ୍କୁ ସୁରମା ବେଶଟା ଖୁବ୍‌ ଫିଟ କରିଥିଲା ।’’

 

ଆଗନ୍ତୁକ ହଠାତ୍‌ କହିଉଠିଲା, ‘‘ତାହେଲେ ସେଦିନ ସୁରମା ବୋଲି ସୁରବାବୁ ମତେ ପ୍ରତାରଣା କରିଥିଲେ ?’’

 

‘‘ଛାଡ଼ନ୍ତୁ ସେକଥା କୈଳାସବାବୁ । ଆପଣ ସୁରମା ପ୍ରେମରେ ବଡ଼ ପାଗଳ, ମୁଁ ଜାଣିଛି-। ଆପଣ ତାଙ୍କୁ ବିବାହ କରିବାକୁ ଖୁବ୍‌ ଆକାଙ୍‌କ୍ଷିତ ଥିଲେ, ହେଲେ ଛାଡ଼ନ୍ତୁ, ସେ ତ ପର କଥା-। ଆପଣ ଜେଲରୁ ପଳାଇ ଆସିଲେ କିପରି ?’’

 

ଲଜ୍ଜାବନତ ମୁଖରେ କୈଳାସବାବୁ କହିଲେ—‘‘ଜେଲ ଜଗୁଆଳକୁ ହତ୍ୟାକରି ।

 

‘‘ବର୍ତ୍ତମାନ ଉପାୟ ?’’

 

ନୀରବ ରହିଲେ କୈଳାସବାବୁ ।

 

ସର୍ଦ୍ଦାର ମୁଖୋତ୍ତଳନ କଲା । କମ୍ପିତ କଣ୍ଠରେ କହି ଉଠିଲା, ‘‘ମୁଁ ମହାପାପି ସୁରେନ୍ଦ୍ରବାବୁ । ଜୀବନରେ ଶହ ଶହ ନାରୀ ହରଣ କରି ସେମାନଙ୍କ ସତୀତ୍ୱ ଲୁଣ୍ଠନ କରିଛି । ତା ସହିତ ମଧ୍ୟ ଶହ ଶହ ଧନୀ ବାଦସାହାଙ୍କୁ ଦାଣ୍ଡର ଭିକାରୀ କରିଛି । ଏଇ ଯେଉଁ ଯୁବତୀଗୁଡ଼ିଙ୍କୁ ଦେଖୁଛନ୍ତି, ଏମାନେ ସମସ୍ତେ ସମସ୍ତେ ହେଉଛନ୍ତି ଧନୀଘରର ଝିଅ । ଏମାନଙ୍କୁ ମୁଁ ଏଠାରେ ଭୁଲାଇ ରଖିପାରିଛି କେବଳ ଧନର ମୋହରେ । ଭାବୁଛି ମୋର ଏଇ ଘୃଣିତ ଜୀବନର ଇତିବୃତ୍ତ କହି ମୋର ଦୁଃଖ ଲାଘବ କରିବି । କିନ୍ତୁ ମୋର ଏତିକି ମିନତି ସୁରେନ୍ଦ୍ର ବାବୁ, ପ୍ରେମାନନ୍ଦବାବୁ, ମୋତେ ଫାଶି ଖୁଣ୍ଟରେ ଝୁଲାଇବେ, କିନ୍ତୁ ଏଇ ନିଷ୍ପାପ ଅବଳାଗୁଡ଼ିଙ୍କୁ ଯେପରି ଦୁଃଖ କଷ୍ଟ ଦେବେନି ।’’

 

‘‘ନା ସର୍ଦ୍ଦାର ତମେ ବି ଫାଶି ପାଇବନି । ଯଦି ଚାହିଁବ, ସମସ୍ତେ ଏକ ପରିବାର ଭଳି ଚଳିବାର ବ୍ୟବସ୍ଥା କରିଦିଆହେବ । ଯଦି କେହି ଚାହେଁ, ତେବେ ସେମାନେ ନିଜ ନିଜ ଘରକୁ ଫେରିଯିବେ ।’’

 

‘‘ସେମାନେ ଆଉ କେଉଁ ମୁହଁରେ ଫେରିଯିବେ ସେମାନଙ୍କ ଘରକୁ ?’’

 

ତା’ହେଲେ ଚିନ୍ତା କରିବା ଦରକାର ନାହିଁ । ସର୍ଦ୍ଦାର ଆମେ ଜାଣୁଛୁ—ଝିଅଗୁଡ଼ିକ ସମସ୍ତେ ଶିକ୍ଷିତା । ଆଜି ତମର ରାସାୟନିକ ଗବେଷଣାଗାର କେବଳ ଏଇମାନଙ୍କପାଇଁ ସମୃଦ୍ଧ ହୋଇପାରିଛି । ସରକାର ତମ ସମସ୍ତଙ୍କୁ ଗୃହ ଚାଷଜମି ଯୋଗାଇ ଦେବେ । ଯିଏ ଯେଉଁ ପ୍ରକାର ଶିଳ୍ପ ବିଦ୍ୟା ଜାଣେ, ତାହାକୁ ସେଇ ଶିଳ୍ପୀ ବିକାଶ ପାଇଁ ସାହାଯ୍ୟ ଦିଆଯିବ । ତେବେ ତମେମାନେ ଗୋଟିଏ ଗୋଟିଏ ସୁସ୍ଥ ନାଗରିକ ହୋଇ ଚଳିଲେ ଆମ୍ଭେମାନେ ଖୁସିହେବୁ ।’’

 

‘‘ମୁଁ ଜଣେ ବିଶିଷ୍ଟ ନାଗରିକ ଥିଲି ।’’ ସର୍ଦ୍ଦାର ଆରମ୍ଭ କଲେ । ‘‘ମୁଁ ବମ୍ବେର ଗୋଟିଏ ମିଲ୍‌ ମାଲିକ । ଆପଣ ଜାଣିଥିବେ ୧୯୪୮ ମସିହାରେ ଦେଣା ଯୋଗୁ ନିଲାମ ହେଲା ମୋର ମିଲ— ‘ସୁବାସ ଉଇଭିଂମିଲ’ । ମିଲଟା ମିଲ ଭଲ ଚାଲୁଥିଲା । ସେ ମିଲଟାକୁ ଖଦଡ଼ ଲୁଗା ବୁଣାରୁ ଆରମ୍ଭ କରିଥିଲି । ଅନେକ ବିଧବା ସ୍ତ୍ରୀଲୋକମାନଙ୍କୁ ରଖି ସୂତାକଟା ଆରମ୍ଭ କରିଥିଲି । ସେତେବେଳେ ଖଦଡ଼ର ଆଗ୍ରହ ଦେଶରେ ବଢ଼ି ନଥିଲା । ତେବେ ମିଲର ଉନ୍ନତି କରିବାପାଇଁ ମୁଁ କେତେଗୁଡ଼ିଏ ଯନ୍ତ୍ରଚାଳିତ ତନ୍ତ ବସାଇଲି । ତଦ୍ଦ୍ୱାରା ହାତକଟା ସୂତାରେ କଳ ତନ୍ତରେ ଲୁଗା ବୁଣାହେଲା । ଏହା ଖଦଡ଼ ଲୁଗାଠାରୁ ସୁନ୍ଦର ହେଲା ଓ ମୂଲ୍ୟ ଅଳ୍ପ ହେଲା । ଏହାର ଚାହିଦା ୟା ମଧ୍ୟରେ ମୋ ମିଲରେ ଅନେକ ଝିଅ ଯୋଗଦେଲେ । ମୁଁ ଥିଲି ସେତେବେଳେ ଜୀବନପଥରେ ପହିଲି ପଥିକ । ଏହି ପହିଲି ଜୀବନରେ ଧନର ପ୍ରାଚୁର୍ଯ୍ୟରେ ମୋ ଗୋଡ଼ ଖସିଗଲା । ମୁଁ ସେ ଝିଅମାନଙ୍କ ପିଛାରେ ଅନେକ ପଇସା ଖର୍ଚ୍ଚ ଖାଲି କଲିନି ତ ଅବାଧ ମିଳନ ହେତୁ ଅବୈଧ ସନ୍ତାନ ଜନ୍ମ ଜନିତ ଦଣ୍ଡରେ ମୋତେ ବହୁବାର ଦଣ୍ଡିତ ହେବାକୁ ପଡ଼ିଲା । ଜୀବନରେ ଏଇ ନାନା ଘାତ ପ୍ରତିଘାତ ଭିତରେ ମୁଁ ଜୀବନକୁ ଆହୁରି ଉପଭୋଗ କରିବାକୁ ପାଇଁ ଅଭ୍ୟାସ କରିଥିଲି ସୁରା ପାନ-। ତାହା ମୋତେ ତଳକୁ ଖସାଇ ଦେବାରେ ଅନେକ ସାହାଯ୍ୟ କରିଥିଲା । ତା ପରେ ବେଶ୍ୟାଳୟକୁ ମୁଁ ମନେ କଲି ଗୋଟାଏ ଶ୍ରେଷ୍ଠ ଉପଭୋଗ୍ୟ ସ୍ଥଳି ବୋଲି । ମୁଁ ବୋଧେ ବେଶ୍ୟାଳୟରୁ ଆଉ ଫେରିଲି ନାହିଁ । ଶେଷରେ ମିଲର ଅବ୍ୟବସ୍ଥା ହେଲା–ଆଉ ଅନେକ ମହାଜନଙ୍କଠାରୁ ବିଭିନ୍ନ ସୂତ୍ରରେ ଆସିଥିବା ଟଙ୍କା ପରିଶୋଧ ହୋଇପାରିଲା ନାହିଁ ଓ ଶେଷରେ ମୋର ପ୍ରିୟ ମିଲ୍‌ଟି ନିଲାମ ହୋଇଗଲା—

 

ଯେଉଁଦିନ ଏ ଖବରଟି ଚାରିଆଡ଼େ ପ୍ରଚାରିତ ହେଲା–ସେତେବେଳେ ମୁଁ ଆଖି ଖୋଲି ଚାହିଁଲି—ଯେଉଁ ବେଶ୍ୟାଳୟ ମୋର ପ୍ରିୟସ୍ଥଳି ଥିଲା–ଯିଏ ମୋତେ କ୍ଷଣେ ପାଖରୁ ଛାଡ଼ିବାକୁ ଇଚ୍ଛା କରୁନଥିଲା—ସେଦିନ ସେ ମୋତେ ତାହାର ଅଙ୍କଶୟନରୁ ବଞ୍ଚିତ କରି କହିଲା—ତମର ଏ ଘରେ ଆଜିଠାରୁ ଆଉ ସ୍ଥାନ ନାହିଁ—ତମେ ଏକ୍ଷଣି ଚାଲିଯାଇପାର ।

 

ମୁଁ ଦେବାଳିଆ ହୋଇଥିଲି–ମୋର ଦୁନିଆ ନଥିଲା—ଏଥିପାଇଁ ମୁଁ ଯେତିକି ଦୁଃଖିତ ହୋଇ ନଥିଲି ମୁଁ ତତୋଽଧିକ ଦୁଃଖିତ ହୋଇଥିଲି ସାମାନ୍ୟ ଜଣେ ରୂପ ବ୍ୟବସାୟୀ ବେଶ୍ୟାର କର୍କଶ ବ୍ୟବହାରରେ—ସେଦିନୁ ପ୍ରତିଜ୍ଞା କରିଥିଲି—ଏହାର ପ୍ରତିଶୋଧ ନେବି ।

 

ଘଟଣାଚକ୍ରରେ ଆସି ପହଞ୍ଚିଲି ଓଡ଼ିଶାରେ—ଭୁବନେଶ୍ୱରକୁ ଆସିଲି ଲିଙ୍ଗରାଜ ଦର୍ଶନ କରିବାପାଇଁ—ଭାବିଥିଲି ପୁରୀ ଯାଇ ମହୋଦଧିରେ ସ୍ନାନ କରି ମୋର କୃତପାପ ନାଶ କରିବି । କିନ୍ତୁ ମୋତେ ଭୁବନେଶ୍ୱରର ପ୍ରାକୃତିକ ସୌନ୍ଦର୍ଯ୍ୟ ମୁଗ୍‌ଧ କରିଦେଲା । କେଦାର ଓ ଗୌରୀଙ୍କର ପ୍ରେମ ପୁଣି ମୋ ଆଖି ଆଗରେ ଝଲସି ଉଠିଲା । ମୋର ପୂର୍ବ କଥା ସବୁ ମନେପଡ଼ିଗଲା । ମୁଁ ଖଣ୍ଡଗିରିକୁ ମୋର ଶ୍ରେଷ୍ଠ ଆଶ୍ରୟସ୍ଥଳି ମନେକଲି । ସେତେବେଳେ ତ ବର୍ତ୍ତମାନପରି ଏତେ ଲୋକରଣ୍ୟ ନଥିଲା—ଏ ଛୋଟିଆ ସହର ଭୁବନେଶ୍ୱରରେ କେଇଟି ମାତ୍ର ଯାତ୍ରୀ । ବ୍ରାହ୍ମଣମାନଙ୍କର ବେଶ୍‌ ଦି ପଇସା ଆଦାୟ—ହାଇସ୍କୁଲ, ପୋଷ୍ଟ ଅଫିସ, ଡାକ୍ତରଖାନାରେ କର୍ମଚାରୀମାନେ ଏଠାରେ ବଡ଼ ହାକିମ ।’’

 

ସୁରେନ୍ଦ୍ରବାବୁ କହିଲେ ତା ପରେ କଣ ହେଲା ?

 

‘‘ମୁଁ ଜଣେ ବିଦେଶୀ ଲୋକ—କାହାକୁ ଚିହ୍ନେନି—ଖାଲି ଯାହା ପଣ୍ଡା କେଉଁଠୁ ପୁରୁଣା ଖାତାଟା ବାହାର କରି ମୋ ବାପ ଅଜାଙ୍କ ନାଁ କହିଥିଲା—ଛାଡ଼ନ୍ତୁ—ସେଟା ତ ପଇସା ନେବାର ପଲିସି—ମୁଁ ଜାଣି ନଥିଲି । ତେବେ ସେଇ ପଣ୍ଡା ମତେ ପରିଚୟ କରିଦେଇଥିଲେ ଏଠାକାର ହାଇସ୍କୁଲ ହେଡ଼ମାଷ୍ଟର ବିଜୟବାବୁଙ୍କ ସହିତ । ବିଜୟ ବାବୁଙ୍କ ସହିତ ମୋର ବେଶ୍‌ ଘନିଷ୍ଠତା ଜନ୍ମିଥିଲା ଖୁବ୍‌ ଅଳ୍ପ ସମୟ ଭିତରେ । ମୁଁ ଏଇ ଅଳ୍ପଦିନ ଭିତରେ ତାଙ୍କର ମନଚରିତ ଜାଣିଯାଇଥିଲି ।

 

ମୋ ଜୀବନର ସମସ୍ତ ବୃତ୍ତାନ୍ତ କହି ମୋର କଳ୍ପିତ ପ୍ରସ୍ତାବଟି ଆଗତ କରିଥିଲି । ତାଙ୍କ ସମ୍ମୁଖରେ ସେ ମୋର ପ୍ରସ୍ତାବରେ ଅତ୍ୟନ୍ତ ଆହ୍ଲାଦିତ ହୋଇ ସାହାଯ୍ୟ କରିବେ ବୋଲି ନିର୍ଭର ବାଣୀ ଶୁଣାଇଲେ । ଆହୁରି ମଧ୍ୟ ଡାକ୍ତର ରମାକାନ୍ତବାବୁ, ପୋଷ୍ଟମାଷ୍ଟର ବାବୁ, ଜିତେନବାବୁ ସାହାଯ୍ୟ କରିଥିଲେ । ମୁଁ ସେମାନଙ୍କୁ ଆନନ୍ଦ ସହକାରେ ଗ୍ରହଣ କଲି । ତାଛଡ଼ା କୈଳାସବାବୁଙ୍କ ପରି ମଧ୍ୟ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ମୋ ଦଳରେ ଯୋଗଦେଲେ । ମୁଁ ଥିଲି ସମସ୍ତଙ୍କ ଠାରୁ ବୟସ୍କ ମୋତେ ଦଳର ସର୍ଦ୍ଦାର ବୋଲି ସେମାନେ ମାନିନେଲେ । ତାପରେ ନିଜ ନିଜର ସର୍ଦ୍ଦାର ବୋଲି ଚରିତାର୍ଥ କରିବାରେ ଲାଗିଲୁ । କୈଳାସବାବୁ ମୋ ପାଖରେ ଗୋଟିଏ ପ୍ରସ୍ତାବ ଆଗତ କଲେ ଯେଉଁଥିରେ କି ମୁଁ ତାହାଙ୍କୁ ଦଳର ସର୍ବେସର୍ବା ବୋଲି ଘୋଷଣା କରିଥିଲି । ତାହା ହେଉଛି ସୁରେନ୍ଦ୍ର ବାବୁଙ୍କ ଚାକରର ଗଣ୍ଡିକୁ ନଳିନୀବାବୁଙ୍କ ଶୋଇବା ସ୍ଥାନରେ ରଖି ନଳିନୀବାବୁଙ୍କୁ ଏଠାକୁ ଆଣି ତାଙ୍କଠାରୁ ସମ୍ପତ୍ତି ଉଇଲ କରାଇ ସୁରମାକୁ ବିବାହ କରିବାକୁ । ତାଛଡ଼ା ସୁରେନ୍ଦ୍ରବାବୁଙ୍କ ସ୍ତ୍ରୀ ଜିତାକୁ ଅପହରଣ କରି ସୁରେନ୍ଦ୍ରବାବୁଙ୍କୁ ଅପମାନିତ କରିବା ସଙ୍ଗେ ସଙ୍ଗେ ବିଜୟବାବୁଙ୍କୁ ସନ୍ତୁଷ୍ଟ କରିବାକୁ ।

 

ସୁରେନ୍ଦ୍ରବାବୁ କୋହ ଚାପିରଖି କହିଲେ, ‘‘ସାବାସ—ତମର ଏଇ ଉର୍ବର ମସ୍ତିଷ୍କରୁ ଏ ଦୁର୍ବୁଦ୍ଧି— ? ଆଉ ସାଥି ବିଜୟ, ସହକର୍ମୀ ରମାକାନ୍ତବାବୁ, ଆଉ ଜିତେନବାବୁ । କେଶଟା କେତେଦୂର ?’’

 

ସୁବାସ ବେଶଧାରୀ ବୀରବାବୁ କହିଲେ, ‘‘ଆଉ ମୋଟେ ହାତେ ଦୂର—’’

 

ବିଜୟବାବୁ ଇତ୍ୟାଦି ମୁଖାବନତ କଲେ । ସେ କ୍ଷୀଣ ସ୍ୱରରେ କହିଲେ, ‘‘ବୁଦ୍ଧିଜୀବି ସୁରେନ୍ଦ୍ରର ବୁଦ୍ଧିପାଖରେ ଆମ୍ଭମାନଙ୍କର ବୁଦ୍ଧି ହାର ମାନିଛି ।’’

 

‘‘ହଁ ସର୍ଦ୍ଦାର, ଆପଣ ଏଥର କହନ୍ତୁ ।’’

 

‘‘ଏଇ ଦସ୍ୟୁପୁରୀ ଗଢ଼ାହେଲା ଠିକ୍‌ ଦ୍ୱିତୀୟ ସ୍ୱର୍ଗପରି । ଯୁବତୀ ଝିଅମାନଙ୍କୁ ଭୁଲାଇବାପାଇଁ ସୁରମ୍ୟ ପୁଷ୍ପୋଦ୍ୟାନ କଳକଳ ନିନାଦିନୀ ନିର୍ଝରିଣୀ—ପୃଥିବୀର ବିଭିନ୍ନ ଜୀବଜନ୍ତୁଙ୍କ ଚିଡ଼ିଆଖାନା । ଖାଲି ସେତିକି ନୁହେଁ, ସେମାନଙ୍କ ରହିବାଭଳି ସୁନ୍ଦର ହର୍ମ୍ୟ—ପ୍ରାସାଦ, ଗହଣା ପୋଷାକର ବ୍ୟବସ୍ଥା । ଥିରୁମଲଙ୍କର ଗହଣା ଚୋରି ହୋଇ ଆସିଥିଲା ଆଉ କାହାପାଇଁ— ? ଘରର କୌଣସି ଜିନିଷ ଭଙ୍ଗା ନ ଯାଇ ଏପରିକି ଆଲମିରା ଚାବି ଫିଟା ନଯାଇ ଅଳଙ୍କାର ଆସିଥିଲା କିପରି ? ମିସ୍‌ ଲୀଳା ଦେବୀ ଆବିଷ୍କାର କରିଥିବା ମାଗନେଟିକ ସ୍କୃ ସାହାଯ୍ୟରେ ସେଇ ଯନ୍ତ୍ରଟି କେବଳ କୋଲପ ସାନାରେ ରଖି କେତୋଟି ବୋତାମ ଚିପିଲେ ତାହା ଆପେ ଆପେ ଖୋଲିଯିବ । ତା’ଛଡ଼ା ଆମ୍ଭେମାନେ ଭୂମି କିମ୍ବା କୌଣସି ବସ୍ତୁ ସ୍ପର୍ଶ କରୁ ନଥିଲୁ । Magnetic Screw ସାହାଯ୍ୟରେ ଆମେ ସବୁ କାମ କରୁଥିଲୁ ।’’ ସୁରେନ୍ଦ୍ରବାବୁ କହିଲେ, ‘‘ପ୍ରେମାନନ୍ଦବାବୁ, ଆମେ ତ ସେଥିପାଇଁ ଆଶ୍ଚର୍ଯ୍ୟ ହେଉଥିଲେ ।’’

‘‘ହୁଁ ଶୁଣନ୍ତୁ । ଏତେଗୁଡ଼ାଏ ଲୋକ ତ ଏଠାରେ ରହିଲେ । ସେମାନଙ୍କର ଖାଇବା ପିଇବା ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ପାଇଁ ମୁଁ ଖୋଲିଥିଲି ଗୋଟାଏ ହୋଟେଲ ଯେଉଁ ହୋଟେଲକୁ ସୁରେନ୍ଦ୍ରବାବୁ କେବଳ ସନ୍ଦେହ କରିଥିଲେ । ସେ ହୋଟେଲର ସୁଡ଼ଙ୍ଗ ବାଟେ ନାନା ପ୍ରକାର ଖାଦ୍ୟ ଆସି ଏଠାରେ ଖିଆପିଆ ହୁଏ । ତା’ପରେ ଏଠାରେ ଡାକ୍ତରଖାନା, ରାସାୟନିକ ଗବେଷଣାଗାର, ବୈଜ୍ଞାନିକ ଗବେଷଣାଗାର ରହିଛି । ଏ ସବୁ ଦାୟିତ୍ୱରେ ମହିଳାମାନେ ଅଛନ୍ତି । ବିଜୁଳି ସ୍ରୋତ ସାହାଯ୍ୟରେ ସବୁ କାମ ଆମେ କରୁଥିଲୁ । ଏହି ବିଜୁଳି ସ୍ରୋତ ସାହାଯ୍ୟରେ ଆମେ ବସିବା ଜାଗାଟା ଉପରକୁ ଉଠିଯାଇଥାନ୍ତା ଓ ଏଠାରେ ସମସ୍ତ ଚଟାଣରେ ବିଜୁଳି ସ୍ରୋତ ପ୍ରବେଶ କରି ଏଠାରେ ଥିବା ଶତ୍ରୁଙ୍କୁ ମୃତ୍ୟୁମୁଖରେ ପତିତ କରିଥାନ୍ତା । ସୁରେନ୍ଦ୍ରବାବୁ ସମସ୍ତ ବୁଲି ଦେଖିଛନ୍ତି-। ଆମେମାନେ ଗୋଟାଏ ବଡ଼ ଗବେଷଣା କରୁଥିଲୁ କ୍ଷେପଣାସ୍ତ୍ର—ଯାହା ସାହାଯ୍ୟରେ କି ଆମ୍ଭେମାନେ ଆମର ଦସ୍ୟୁପୁରକୁ ଧରି ଆକାଶରେ ବସବାସ କରିଥାନ୍ତୁ । ଆମ୍ଭେମାନେ ଯେତେଦୂର ଆଗେଇଛୁ, ସେଥିରୁ ଆମ୍ଭେମାନେ ଆଶା କରୁଛୁ ଦିନେ ଲୋକମାନେ ଏଇ କ୍ଷେପଣାସ୍ତ୍ର ସାହାଯ୍ୟରେ ପୃଥିବୀକୁ ତ ଧ୍ୱଂସ କରିବେ ବରଂ ଚନ୍ଦ୍ରଲୋକରେ ଓ ଗ୍ରହ ଗ୍ରହାନ୍ତରେ ବସବାସ କରିବେ । ମୁଁ ସମସ୍ତ ପ୍ରକାର ହାତ ହତିଆର, ବିଷୋଦ୍‌ଭବ ରାସାୟନିକ ପଦାର୍ଥ ଏଇଠାରେ ତିଆରି କରାଉଥିଲି । ମୋର ଏଠାରେ କିଛି ଅଭାବ ନଥିଲା । ଦ୍ୱାରିକାପୁରପରି ମୁଁ ଲକ୍ଷ ପାଟରାଣୀଙ୍କ ସହିତ ଆନନ୍ଦରେ ଥିଲି । କିନ୍ତୁ ଏହା ବେଶୀଦିନ ନୁହେଁ ବୋଲି ମୁଁ ଜାଣିଥିଲି । ଆଜି ଠିକ୍‌ ତାର ଶେଷ ପରିଣତି ହୋଇଛି । ମୁଁ ଏଥର ଶାନ୍ତି ପାଇବି ସୁରେନ୍ଦ୍ରବାବୁ—’’

ବୀରକିଶୋର ବିଜୟବାବୁଙ୍କ ମୁହଁକୁ ଟେକି କହିଲା—‘‘ଆପଣଙ୍କ ଜୀବନ ରହସ୍ୟ କିଛି ଅଛି ?’’ ବିଜୟବାବୁଙ୍କ ମୁଖ ଅପମାନରେ ଲାଲ ପଡ଼ିଗଲା ।

ସୁରେନ୍ଦ୍ରବାବୁ ଓ ପ୍ରେମାନନ୍ଦବାବୁ ବନ୍ଦି ହୋଇଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଭିତରେ ପଶିଲେ । ସୁରେନ୍ଦ୍ରବାବୁ ସିଧା ସଳଖ ଜିତା ରହିଥିବା କୋଠରୀକୁ ଗଲେ । ସେ କୋଠରୀ ଭିତରେ ପଶି ଯାହା ଦେଖିଲେ ସେଥିରେ ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା । ସେ ସଙ୍ଗେ ସଙ୍ଗେ ତଳେ ବସିପଡ଼ିଲେ । ତାଙ୍କର ସମସ୍ତ ଶକ୍ତି ଯେପରି ଲୋପ ପାଇଯାଇଛି । ଜିତା ଆଉ ଇହ ଧାମରେ ନାହାନ୍ତି । ତାଙ୍କର ମୃତ ଶରୀରଟି କୌଣସି ଏକ ଅବ୍ୟକ୍ତ ଭାଷାର ପ୍ରକାଶର ଅପେକ୍ଷାରେ ରହିଯାଇଛି । ଜିତା ଚାଲିଯାଇଛି । ସୁରେନ୍ଦ୍ରବାବୁଙ୍କ ଅସୀମ ସାହସ ବୁଦ୍ଧିକୁ ପ୍ରଶଂସା କରିବାପାଇଁ ଆଉ ସେ ନାହାନ୍ତି । ସୁରେନ୍ଦ୍ରବାବୁଙ୍କର ନିରବରେ ଅଶ୍ରୁମୋଚନ କରିବା ଛଡ଼ା ଆଉ କିଛି ଉପାୟ ନଥିଲା । ସେ ବିରହ ବ୍ୟାକୁଳ ହୋଇ ଚିରନିଦ୍ରିତା ଶବକୁ ଚୁମ୍ବନ ଦେଇ କାନ ପାଖରେ କେତେ ଡାକିଲେ—‘‘କହିଲେ ଜିତା, ତମରି କଥା ରକ୍ଷା କରି ଦସ୍ୟୁପୁରକୁ ଧ୍ୱଂସକରି ସେଇ ଶୈତାନଙ୍କ ହାତରେ ଲୌହ କଙ୍କଣ ପିନ୍ଧାଇ ତମକୁ ଉଦ୍ଧାର କରିବାକୁ ଆସିଛି । ଥରେ ଆଖି ଖୋଲି ଦେଖ, ମୁଁ ତମକୁ ଉଦ୍ଧାର କରିବାକୁ ଆସିଛି ଜିତା, ଥରେ ଆଖି ଖୋଲ ।’ ସୁରେନ୍ଦ୍ରବାବୁ କାନ୍ଦିବାକୁ ଲାଗିଲେ ।

ପ୍ରେମାନନ୍ଦବାବୁ ନଳିନୀବାବୁଙ୍କୁ ଓ ଅନ୍ୟାନ୍ୟ ବନ୍ଦିନୀ ଯୁବତୀମାନଙ୍କୁ ଉଦ୍ଧାରକରି ସମସ୍ତ ଦସ୍ୟୁଦଳ ସହିତ ମହାପଟୁଆରରେ ଥାନାକୁ ଫେରିଲେ । ଥାନାରେ ଗୋଟାଏ ଦିନ ଅବସ୍ଥାନ କରିବା ପରେ ପୁରୀକୁ ଟ୍ରେନରେ ସମସ୍ତ ଦସ୍ୟୁଙ୍କୁ ପଠାଇ ଦିଆଗଲା ଓ ଉଦ୍ଧାର କରାଯାଇଥିବା ଝିଅମାନଙ୍କୁ ସେମାନଙ୍କ ବାପ ମାଙ୍କ ନିକଟକୁ ପଠାଇ ଦିଆଗଲା । ଥିରୁମଲଙ୍କୁ ଡକାଇ ତାହାଙ୍କ ଗହଣା ଫେରାଇ ଦିଆଗଲା ।

 

ନଳିନୀବାବୁଙ୍କ ମନ କୃତଜ୍ଞତାରେ ଭରିଗଲା । ସେ ସୁରେନ୍ଦ୍ରବାବୁଙ୍କ କୁଣ୍ଡାଇ ପକାଇ କହିଲେ, ‘‘ଧନ୍ୟ ସୁରେନ୍ଦ୍ରବାବୁ, ତୁମର ସାହସ ଓ ବୁଦ୍ଧିରେ ମୋର ପରିବାର ରକ୍ଷାପାଇଗଲେ ।’’

 

କେଦାରଗୌରୀ ଛକ ପାଖରୁ ବୀରବାବୁ ଓ ସୁରବାବୁ ଥାନାକୁ ନଯାଇ ସିଧା ଚାଲିଲେ ନଳିନୀବାବୁଙ୍କ ଘରକୁ । ସୁକାନ୍ତବାବୁ ଘଟଣା କଣ ହେଲା ଜାଣିବାପାଇଁ ଘରେ ସ୍ଥିର ହୋଇ ବସିପାରୁ ନଥାନ୍ତି । ସୁକାନ୍ତବାବୁ ହଠାତ୍‌ ଏମାନଙ୍କୁ ଦୂରରୁ ଦେଖି ଦୁଇ କନ୍ୟାଙ୍କ ସହିତ ଖଣ୍ଡେ ବାଟ ଚାଲି ଆସିଲେ । ସମସ୍ତେ ନଳିନୀବାବୁଙ୍କ ପଦତଳେ ଲୋଟିଗଲେ । ନଳିନୀବାବୁଙ୍କ ଶୀର୍ଣ୍ଣ ଶରୀରକୁ ଦେଖି ସୁରମା କାନ୍ଦି ପକାଇ କହିଲା, ‘‘ବାପା, ଆପଣ କେମିତି ଏତେ ଦିନ ଆମକୁ ଭୁଲି ରହିଥିଲେ ?’’

 

ସୁରେନ୍ଦ୍ରବାବୁ ନଥିଲେ ମୁଁ ବୋଧେ ଆଉ ଫେରିନଥାନ୍ତି ମା ।

 

ସମସ୍ତଙ୍କ ଆଖିରେ ଲୁହ । ସୁକାନ୍ତବାବୁ କହିଲେ, ‘‘ସୁରେନ୍ଦ୍ରବାବୁ ନଥିଲେ ମୁଁ ବୋଧେ ଆଉ ବଞ୍ଚି ନଥାନ୍ତି । ଧନ୍ୟ ତମର ବୁଦ୍ଧି ସୁରବାବୁ ।

 

ନଳିନୀବାବୁ କହିଲେ, ‘‘ସୁରବାବୁ ଓ ବୀରବାବୁ ଓ ଯେଉଁ ଉପକାର କରିଛନ୍ତି, ତାହା ଆମପରି ସାମାନ୍ୟ ଲୋକ କଣ ଶୁଝିବ, ତାଙ୍କ ପାଖରେ ଆମେ ଏକା କାହିଁକି ଦେଶ ମଧ୍ୟ ଋଣି ରହିବ ।

 

ସେତେବେଳକୁ ସମସ୍ତେ ବୈଠକଖାନାର ପହଞ୍ଚିଗଲେଣି । ସୁରମା ଓ ମନୋରମାର ଗୋଡ଼ ତଳେ ଲାଗୁ ନଥାଏ । ସେମାନେ ଯେମିତି ନୂତନ ସ୍ୱର୍ଗ ପାଇଛନ୍ତି ।

 

‘‘ଯାଅ ମା’ ଖାଇବା ପିଇବାର ବ୍ୟବସ୍ଥା କର । ବାବାଙ୍କୁ ସୁସ୍ଥ କର, ସେ ନିଶ୍ଚୟ ଶ୍ରାନ୍ତ ଥିବେ ।’’

 

‘‘ନାଇଁ ସୁକାନ୍ତ, ମୁଁ ଦୁର୍ବଳ ହୋଇନି । ମୋ ପାଇଁ ବ୍ୟସ୍ତ ହେବା ଦରକାର ନାହିଁ । ବରଂ ସୁରେନ୍ଦ୍ର ଓ ବୀରବାବୁଙ୍କ କଥା ବୁଝ ।’’

 

‘‘ଭାଇ, ମୁଁ ଗୋଟାଏ ପ୍ରସ୍ତାବ ମନେ ମନେ ଚିନ୍ତା କରିଛି । ତମେ ତାକୁ ଗ୍ରହଣ କଲେ ବୋଧେ ଭଲ ହୁଅନ୍ତା ।’’

 

‘‘ମୁଁ କଣ ତୋ କଥାରୁ ବାହାରିଯିବି ବୋଲି ଭାବିଛୁ ? ହୁଁ ସୁରବାବୁ, ଆପଣମାନେ ଭିତରକୁ ଯାଇ ଖିଆପିଆ କରନ୍ତୁ । କାଲି ରାତିଟାଯାକ ଅବିଶ୍ରାନ୍ତ ପରିଶ୍ରମ କରିଛନ୍ତି ।’’

 

ଅନିଚ୍ଛା ସତ୍ୱେ ବୀରବାବୁ ଓ ସୁରବାବୁ ଭିତରକୁ ଗଲେ । କର୍ମରତା ସୁରମା ଓ ମନୋରମା ଏମାନଙ୍କୁ ଦେଖି ଟିକେ ଆଡ଼ ହେଲେ । ସେଇ ସଲଜ ଭାବ ଭିତରେ ଉଙ୍କିମରା ଚାହାଣି ମଝିରେ ସୁରେନ୍ଦ୍ରବାବୁଙ୍କ ଆଖିରେ ମିଳନ ସୁରମା ସହିତ ଓ ମନୋରମାର ଆଖିର ମିଳନ ବୀରବାବୁଙ୍କ ସହିତ ହୋଇଥିଲା । ତାହା ଯେପରି ଜୀବନର କାମ୍ୟ । ଆଖି ଫେରାଇବାକୁ ଇଚ୍ଛା ହେଉ ନଥିଲା । ସୁରେନ୍ଦ୍ରବାବୁଙ୍କ ଆଖିର ମିଳନ ସୁରମା ସହିତ ଓ ମନୋରମାର ଆଖିର ମିଳନ ବୀରବାବୁଙ୍କ ସହିତ ହୋଇଥିଲା । ତାହା ଯେପରି ଜୀବନର କାମ୍ୟ । ଆଖି ଫେରାଇବାକୁ ଇଚ୍ଛା ହେଉ ନଥିଲା । ସୁରେନ୍ଦ୍ରବାବୁ ଓ ବୀରବାବୁ ଯେପରି କଣ ଆକଣ୍ଠ ପାନ କରୁଥିଲେ ।

 

ସୁରେନ୍ଦ୍ରବାବୁ ଡ୍ରଇଁରୁମରେ ଆସୀନ । ମନରେ ନାନା ଅଡ଼ୁଆ ତଡ଼ୁଆ ଭାବନାର, ତରଙ୍ଗ । ସୁରମା ହଠାତ୍‌ ପଶିଆସି କହିଲା—‘‘ଆପଣ କେତେବେଳୁ ଏଠି ବସିଲେଣି ? ମୋତେ ଖବର ଦେଇ ନାହାନ୍ତି—’’

 

‘‘ଭୁଲଟା ମୋର ନୁହେଁ ସୁରମା ଦେବୀ—ଅନ୍ତତଃ ମୋର କଣ ଥରେ ଅଧେ ଖବର ବୁଝିବାର ଉଚିତ ନଥିଲା ।’’

 

‘‘ଆପଣଙ୍କୁ କଥାରେ କିଏସେ ପାରିବ ସୁରଭାଇ—ଆଚ୍ଛା ସେ ଝିଅମାନଙ୍କର ବିଚାରରେ କଣ ହେଲା—ଆଉ ସର୍ଦ୍ଦାର ଓ ବିଜୟବାବୁଙ୍କର ।’’

 

‘‘କଣ ଆଉ ହୁଅନ୍ତା—ଝିଅମାନେ ପରସ୍ପର ପ୍ରେମିକଙ୍କୁ ବିବାହ କଲେ—ଆଉ ପ୍ରତ୍ୟେକଙ୍କୁ ସଶ୍ରମ କାରାଦଣ୍ଡ ପାଞ୍ଚବର୍ଷ—’’

 

ସୁରମା ଖିଲି ଖିଲି ହସି ଉଠିଲା—ସେମାନଙ୍କର ବି ନିର୍ଦ୍ଦିଷ୍ଟ ପ୍ରେମିକ ଥିଲେ ନା—’’

 

‘‘ହୁଁ, ଆଉ ଗୋଟାଏ ଖବର ତମକୁ ଦେବା ଭୁଲି ଯାଇଛି—ମୋର ବିଚାର ହୋଇ ମୋତେ କଣ ଆଦେଶ ହୋଇଛି ଜାଣିଚ ?’’

 

‘‘ଆପଣଙ୍କୁ ପୁଣି କି ଆଦେଶ— ?’’

 

‘‘ଶୁଣିବ—ସୁରେନ୍ଦ୍ରବାବୁଙ୍କ ସହିତ କୁମାରୀ ସୁରମା ଦେବୀଙ୍କ ଆଜୀବନ ଦାମ୍ପତ୍ୟ କାରାଦଣ୍ଡ—lifelong conviction ।’’

 

ସୁରମା ବୁଝିପାରୁନଥିଲା ଯେପରି । ‘‘କିଛି ବୁଝିପାରୁନ ସୁରମା ! ସଶ୍ରମ ଦାମ୍ପତ୍ୟ କାରାଦଣ୍ଡ ଆମ ଦୁଇଜଣଙ୍କୁ—’’ ସୁରମାର ଚିବୁକ ହଲାଇ ଦେଲେ ସୁରବାବୁ ।’’

 

ସୁରମାର ମୁଖ ଲଜ୍ଜାରେ ଲାଲ ପଡ଼ିଗଲା । ସେ ଫେଁ କିନି ହସିଦେଇ ଦୌଡ଼ି ଚାଲିଗଲା ।

 

ସୁରବାବୁଙ୍କ ସହିତ ସୁରମାର ଓ ବୀରବାବୁଙ୍କ ସହିତ ମନୋରମାର ବିବାହ ଯଥା ସମୟରେ ସଂମ୍ପୂର୍ଣ୍ଣ ହୋଇଗଲା ।

 

ବିବାହିତ ଜୀବନରେ ପହିଲି ରାତି । ସୁରବାବୁ ପଣତ ତଳୁ ସୁରମାର ସୁଗୋଲ ମୁଖକୁ ଆନତକରି କହିଲେ, ‘‘ଭୁଲିଯାଉ ଯେ—ଧର୍ମରାଜ ବିଚାରପତିଙ୍କ ଆଦେଶ—ତୁମେ ଆଜିଠାରୁ ମୋର ବାହୁପାଶରେ ବନ୍ଦିନୀ—ସୁରେନ୍ଦ୍ର ସୁରମାର ରକ୍ତାଭ ଗଣ୍ଡ ଯୁଗରେ ଚୁମ୍ବନ ଆଙ୍କି ତାଙ୍କ ବଳାୟିତ ବାହୁପାଶରେ ଆବତ୍ତ କଲେ—ସୁରମା ତା କପାଳରେ ଅନୁଭବ କରୁଥିଲା ସୁରବାବୁ ଉଷ୍ମ ଓ ଖର ପ୍ରଶ୍ୱାସର ସ୍ରୋତ...

Image